‘ସରପଞ୍ଚ ହେବିନି, ମୁଁ ଅଟୋ ଚଳାଇବି’ ଇସ୍ତଫା ନେଇ ଉପଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ

‘ଆଜ୍ଞା, ମୁଁ ଜଣେ ଅଟୋ ଚାଳକ। ସେଥିରୁ ଯାହା ରୋଜଗାର କରେ ସେଥିରେ ମୁଁ ପରିବାର ଚଳାଏ। ପରିସ୍ଥିତିରେ ପଡ଼ି ସରପଞ୍ଚ ଦାୟିତ୍ୱ ନେଇଥିଲି। ହେଲେ ଏବେ ତାହା ଦରକାର ନାହିଁ। ସରପଞ୍ଚ ପଦରେ ମୋର କୌଣସି ଆସକ୍ତି ନାହିଁ।

baragada

Photograph: (en.wikipedia.org)

ବରଗଡ଼: ‘ଆଜ୍ଞା, ମୁଁ ଜଣେ ଅଟୋ ଚାଳକ। ସେଥିରୁ ଯାହା ରୋଜଗାର କରେ ସେଥିରେ ମୁଁ ପରିବାର ଚଳାଏ। ପରିସ୍ଥିତିରେ ପଡ଼ି ସରପଞ୍ଚ ଦାୟିତ୍ୱ ନେଇଥିଲି। ହେଲେ ଏବେ ତାହା ଦରକାର ନାହିଁ। ସରପଞ୍ଚ ପଦରେ ମୋର କୌଣସି ଆସକ୍ତି ନାହିଁ। ମୋ ଉପରେ ମା’, ବାପା, ପୁଅଝିଅ ଓ ପତ୍ନୀ ନିର୍ଭରଶୀଳ। ମୋତେ ସରପଞ୍ଚ ହେବାର ନାହିଁ। ଏଣୁ ପଦରୁ ମୁଁ ଇସ୍ତଫା ଦେଉଛି।’ ଏଭଳି କିଛି ଉଲ୍ଲେଖ କରି ଉପଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ବରଗଡ଼ ଜିଲ୍ଲା ସଦର ବ୍ଲକ୍‌ ବରହାଗୋଡ଼ା ପଞ୍ଚାୟତ ଦାୟିତ୍ୱରେ ଥିବା ସରପଞ୍ଚ ଶରତ କୁମ୍ଭାର। ତାଙ୍କୁ କିଛି ଲୋକ ଭୟଭୀତ କରିବାରୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଉପଜିଲ୍ଲାପାଳ ପତ୍ର ପାଇବା ପରେ ଭଲରେ ଚିନ୍ତା କରି ଆସିବାକୁ ପରାମର୍ଶ ଦେଇଥିବା ସେ ପ୍ରକାଶ କରିଛନ୍ତି।

ଅଭିଯୋଗ ଅନୁସାରେ, ବରହାଗୋଡ଼ା ଗାଁର ଅଟୋଚାଳକ ଶରତଙ୍କୁ ଲୋକେ କହିବାରୁ ୱାର୍ଡସଭ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ପଞ୍ଚାୟତରେ ନାଏବ ସରପଞ୍ଚ ହୋଇଥିଲେ। କିନ୍ତୁ ପଞ୍ଚାୟତ ସରପଞ୍ଚଙ୍କ ପରଲୋକ ହେବା ପରେ ତାଙ୍କୁ ସରପଞ୍ଚ ଦାୟିତ୍ୱ ଦିଆଯାଇଥିଲା। ସେହି ଦିନରୁ ସେ ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱ ତୁଳାଉଛନ୍ତି। କିଛିଦିନ ତଳେ ପଞ୍ଚାୟତରେ ମନଇଚ୍ଛା କାର୍ଯ୍ୟ ହୋଇଥିଲା। ତାଙ୍କୁ ଦସ୍ତଖତ କରିବାକୁ କୁହାଯିବାରୁ ସେ ମନା କରିଥିଲେ। ଏଥିପାଇଁ ତାଙ୍କୁ ଜୀବନରେ ମାରିଦେବା ଲାଗି ଧମକ ଦିଆଯାଇଥିଲା। ଏହା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗାଁରେ ଶାନ୍ତିରେ ରହିବା ସହ ଅଟୋଚାଳକ ଭାବରେ ରହିବାକୁ ଚାହାନ୍ତି ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାସହ ତାଙ୍କ ଇସ୍ତଫାପତ୍ର ସେ ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି। ଘଟଣାଟି 
ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe