ଆଇଏଏସ୍‌ ସ୍ତରରେ ଅଦଳବଦଳ : ଶାଶ୍ବତ ମିଶ୍ର ହେଲେ ଉଚ୍ଚଶିକ୍ଷା ସଚିବ, ପୂର୍ତ୍ତ ବିଭାଗ ଦାୟିତ୍ବରେ କ୍ରିଷନ୍ କୁମାର

Advertisment
‘ଫନି’ ମୁକାବିଲା : ୯ ଜିଲ୍ଲା ପାଇଁ ୧୨ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ୧୯୯୫ ବ୍ୟାଚ୍ ଆଇଏଏସ୍ ଅଫିସର୍ ବିଷ୍ଣୁପଦ ସେଠୀ ଓ ୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର୍ ଶାଶ୍ବତ ମିଶ୍ରଙ୍କ ପଦବି ଅଦଳବଦଳ ହୋଇଛି। ଶ୍ରୀ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତ ଦିଆଯାଇଥିଲା ବେଳେ ଶ୍ରୀ ସେଠୀଙ୍କୁ ତାଙ୍କ ସ୍ଥାନରେ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର୍ ଭାବେ ନିଯୁକ୍ତି ମିଳିଛି। ତେବେ ଶ୍ରୀ ସେଠୀ ପୂର୍ବ ପରି ଏସ୍‌ଆର୍‌ସି ଓ ଓସ୍‌ଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।

ଏହି ଦୁଇ ଅଫିସର୍‌ଙ୍କ ସହ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଅଦଳବଦଳ ଆଜି କରିଛନ୍ତି। ବିଏମ୍‌ସି ପ୍ରଶାସକ ଓ ବିଡିଏ ଉପାଧ୍ୟକ୍ଷ ପଦବିରୁ ଗତକାଲି ବିଦା ହୋଇଥିବା ୨୦୦୨ ବ୍ୟାଚ୍ ଆଇଏଏସ୍ ଅଫିସର୍ କ୍ରିଷନ୍ କୁମାରଙ୍କୁ ଆଜି ପୂର୍ତ୍ତ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ତେବେ ସେ ପୂର୍ବ ପରି ସମବାୟ ବିଭାଗର ସଚିବ ଭାବେ ମୂଳ ଦାୟିତ୍ବ ଓ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ପୂର୍ବରୁ କୃଷି ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିବା ଶ୍ରୀ କୁମାରଙ୍କୁ ସେହି ପଦବିରୁ ଅବ୍ୟାହତି ଦିଆଯାଇଛି। ଗତ ୨୮ ତାରିଖରେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଚାକିରିରୁ ଅବ୍ୟାହତି ନେଲା ପରେ ଇଆଇସି ରସାନନ୍ଦ ସାହୁଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଦୁଇ ଦିନ ପରେ ଏଥିରେ ପରିବର୍ତ୍ତନ କରାଯିବା ଚର୍ଚ୍ଚାର ବିଷୟ ହୋଇଛି।

ମତ୍ସ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ ରାଜସ୍ବ ପର୍ଷଦର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ପଶୁ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ମତ୍ସ୍ୟ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ପ୍ରେମ କୁମାର ଝାଙ୍କୁ ଗତକାଲି ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏହାର ୨୪ ଘଣ୍ଟା ନ ପୂରୁଣୁ ସାନି ନିର୍ଦ୍ଦେଶ ଜାରି କରିଛନ୍ତି ସରକାର। ବୈଷୟିକ ଶିକ୍ଷା ଓ ତାଲିମ୍‌ ନି‌େର୍ଦ୍ଦଶକ ବଲୱନ୍ତ ସିଂହଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଶ୍ରୀ ସିଂହ ଦାୟିତ୍ବ ନେବା ପର୍ଯ୍ୟନ୍ତ ଶ୍ରୀ ଝା ସେଠାରେ ରହିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ଓଜନ ମାପ ନିୟନ୍ତ୍ରକ ତଥା ଖାଉଟି ବ୍ୟାପାର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ପୂର୍ବ ପରି ବିଜୁ ଯୁବ ବାହିନୀର ସିଇଓ ଓ ଏସ୍‌ଆଇଆର୍‌ଡି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe