୬ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୧୯,୮୦୦ ଲାଞ୍ଚ; ଧରାପଡ଼ିଲେ ଆଇସିଡିଏସ୍‌ ସୁପରଭାଇଜର

୬ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୧୯,୮୦୦ ଲାଞ୍ଚ; ଧରାପଡ଼ିଲେ ଆଇସିଡିଏସ୍‌ ସୁପରଭାଇଜର

ବଲାଙ୍ଗୀର/  ଡୁଡୁକା : ୬ଜଣ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୧୯,୮୦୦ ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଆସିଡିଏସ୍‌ ସୁପରଭାଇଜର। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍‌ର ରୋତ ଓ ଭରସୁଜା ସେକ୍ଟରରେ କାର୍ଯ୍ୟରତ ଏହି ଆଇସିଡିଏସ୍‌ ସୁପରଭାଇଜର ହେଲେ କୁନି ନାଏକ। ଅଙ୍ଗନବାଡ଼ି କେନ୍ଦ୍ରର ବିଭିନ୍ନ ବିଲ ପାସ୍‌ ପାଇଁ ସେ ଏହି ଟଙ୍କା ନେଉଥିବା ଜଣାପଡ଼ିଛି।

ଟଙ୍କା ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ବିଭିନ୍ନ ସମୟରେ ସୁପରଭାଇଜର ଶ୍ରୀମତୀ ନାଏକ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ମୁତାବକ ଆଜି ଭିଜିଲାନ୍ସ ବିଭାଗର ରାସାୟନିକ ପ୍ରଲେପ ଦିଆ ନୋଟ୍‌ ନେଇ ପନେସରା-ଖ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀମାନେ ସୁପରଭାଇଜରଙ୍କୁ ଦେଇଥିଲେ। ସେ ଏହି ଟଙ୍କା ଗ୍ରହଣ କଲାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ତାଙ୍କଠାରୁ ରସାୟନିକ ପ୍ରଲେପ ଦିଆ ନୋଟ୍‌ ମଧ୍ୟ ଜବତ କରାଯାଇଥିଲା। ପରେ ଶ୍ରୀମତୀ ନାଏକଙ୍କ ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଣ୍ଡିଆପଦର ଘରେ ମଧ୍ୟ ଚଢ଼ଉ କରାଯାଇଛି।
ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ମାମଲା ନଂ-୨୪ ତା.୧୧.୭.୨୦୨୨ ଦଫା-୭ପିସି ଏମେଣ୍ଡମେଣ୍ଟ ଏକ୍ଟ ୨୦୧୮ରେ  ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଏହି ଚଢ଼ଉରେ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସର ମହିଳା ଅଧିକାରୀଗଣ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe