ମା’ମାନେ ଆଶୀର୍ବାଦ ପାଇଲେ, ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ: ମୁଖ୍ୟମନ୍ତ୍ରୀ

ହବିଷ୍ୟାଳି କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମର ଶୁଭାରମ୍ଭ

ମା’ମାନେ ଆଶୀର୍ବାଦ ପାଇଲେ, ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ: ମୁଖ୍ୟମନ୍ତ୍ରୀ

ପୁରୀ: କାର୍ତ୍ତିକ ଧର୍ମର ମାସ। ମା’ମାନେ କାର୍ତ୍ତିକ ବ୍ରତ କରି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ। ମା’ମାନେ ଆଶୀର୍ବାଦ ପାଇଲେ, ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୃନ୍ଦାବତୀ ନିବାସରେ ଅନୁଷ୍ଠିତ ହବିଷ୍ୟାଳି କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ରାଈଦାମୋଦର ବ୍ରତ ପାଇଁ ସମଗ୍ର ରାଜ୍ୟରୁ ୩ହଜାର ହବିଷ୍ୟାଳିଙ୍କ ବ୍ରତ ପାଳନ ନିମନ୍ତେ ରହିବା, ମହାପ୍ରଭୁଙ୍କ ଦର୍ଶନ କରିବା, ମହାପ୍ରସାଦ ସେବନ କରିବା ଏବଂ ସେବା ଯୋଗାଇ ଦେବାକୁ ସମସ୍ତ ବ୍ୟବସ୍ଥା ହୋଇଛି। ଏଠାରୁ ଆପଣମାନେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରନ୍ତୁ ବୋଲି ସେ କହିଛନ୍ତି।

ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପଠାରେ ହବିଷ୍ୟାଳି ମା’ମାନଙ୍କର ରହଣିର ବ୍ୟବସ୍ଥା ହୋଇଛି। ହବିଷ୍ୟାଳିମାନେ ରାଇ ଦାମୋଦର ପୂଜା କରି ଆଜି ସ୍ବେଚ୍ଛାସେବୀଙ୍କ ସହଯୋଗରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସୁରକ୍ଷିତ ରହଣି, ସୁରକ୍ଷା, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ହବିଷ୍ୟାଳିଙ୍କ ମନୋରଂଜନ ପାଇଁ ପ୍ରବଚନ, ଭଜନ ଓ ପାଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଶ୍ରୀଜଗନ୍ନାଥ ଧାମରେ ବ୍ରତଧାରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବା ଦ୍ବାରା ବହୁ ମା’ମାନେ ଶ୍ରୀକ୍ଷେତ୍ର ଧାମରେ ରହି ସୁବିଧାରେ ବ୍ରତ ପାଳନ କରିପାରୁଛନ୍ତି।

ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଅତିଥି ଭାବେ ଯୋଗଦେଇ କହିଛନ୍ତି, ୩ ହଜାର ବ୍ରତଧାରୀଙ୍କୁ ସେବା ଯୋଗାଇ ଦେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ବାସୀଙ୍କ ସହଯୋଗ ଯୋଗୁଁ ଏହା ସଫଳ ହୋଇ ପାରିଛି। ଏହି ଅବସରରେ କଟକରୁ ଆସିଥିବା ହବିଷ୍ୟାଳି ଅହଲ୍ୟା ଆଚାର୍ଯ୍ୟ, ନବରଙ୍ଗପୁରର ପାର୍ବତୀ ହରିଜନ ଓ ଗଞ୍ଜାମର ରାଧାଦେବୀ ପଣ୍ଡା ହବିଷ୍ୟାଳିଙ୍କ ପାଇଁ ହୋଇଥିବା ଶିବିର ଓ ଅନ୍ୟ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ସାଧୁବାଦ ଜଣାଇଛନ୍ତି।

ଏହି ଅବସରରେ ବିଧାୟକ ସମୀର ରଂଜନ ଦାଶ, ଜିଲ୍ଲା ପରିଷଦ ସଭାପତି ସ୍ବପ୍ନାରାଣୀ ସ୍ବାଇଁ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ.ସୁରେଶ ଚନ୍ଦ୍ର ଦଳେଇ, ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସମର୍ଥ ବର୍ମା ଅତିଥିଙ୍କୁ ସ୍ବାଗତ ସହ ହବିଷ୍ୟାଳିଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe