Northeast Now
ଭୁବନେଶ୍ବର : ରାଜ୍ୟ ସରକାର ୨୦୨୨-୨୩ ବର୍ଷରେ ୭୧ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଧାନ କିଣାର ୪୮ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ଗତମାସ ୧୧ତାରିଖରୁ ଚାଷୀଙ୍କ ନିକଟରୁ ଧାନ କିଣାଯାଉଛି, ହେଲେ ଏହାଭିତରେ ୨୪ଦିନ ବିତିଲାଣି ଚାଷୀଙ୍କ ଖାତାକୁ ଟଙ୍କା ଗଲାନାହିଁ। ଯଦି ଆସନ୍ତା ୭ଦିନ ଭିତରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ନ ଯାଏ ତାହାଲେ ପ୍ରତ୍ୟେକ ଜିଲ୍ଲାର ସିଏସ୍ଓ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ରାଜ୍ୟ କଂଗ୍ରେସ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ କହିଲେ, ଧାନ କିଣିବା ପୂର୍ବରୁ ରାଜ୍ୟ ସରକାର ଅର୍ଥର ବ୍ୟବସ୍ଥା କରିଥାନ୍ତି। ଏପରିକି ବ୍ୟାଙ୍କମାନଙ୍କରୁ ମଧ୍ୟ ମଧ୍ୟ ବରାଦ କରିଥାନ୍ତି। ଯଦି ଏହି ବ୍ୟବସ୍ଥା କରାଯାଇ ନ ଥିଲା ତାହାଲେ ଧାନ କିଣାର ଲକ୍ଷ୍ୟ ଧାର୍ଯ୍ୟ କରାଗଲା କାହିଁକି? ମୁଖ୍ୟମନ୍ତ୍ରୀ ଏଭଳି ସଂଗୀନ ସ୍ଥିତିକୁ ଜାଣିଛନ୍ତି କି ନାହିଁ ତାହା ସନ୍ଦେହ ଘେରରେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ରାଜ୍ୟରେ ପ୍ରାୟ ୪ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଟଙ୍କା ଯାଇନାହିଁ। ଚାଷୀ ମଣ୍ଡିରେ ଥିବା ଅଧିକାରୀ ତଥା ଜିଲ୍ଲା ସିଏସ୍ଓଙ୍କୁ ଭେଟି ଏକଥା ଜଣାଇଲେ କେହି ସ୍ପଷ୍ଟୀକରଣ ଦେଉନାହାନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୁବାସ ରାଉତ ଉପସ୍ଥିତ ଥିଲେ।
Follow Us