Assembly: ‘ଅନିୟମିତତା ହୋଇଥିଲେ ଭିଜିଲାନ୍ସକୁ ଦିଅ’

Advertisment

ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ବଜେଟ୍‌ ଉପରେ ଖର୍ଚ୍ଚ ଦାବି ଆଲୋଚନାବେଳେ ଉଭୟ ବିରୋଧୀ ଓ ଶାସକ ଦଳ ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତିକୁ ନେଇ ଅସନ୍ତୋଷ ଜାହିର୍ କରିଥିଲେ।

Updated On

ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ବଜେଟ୍‌ ଉପରେ ଖର୍ଚ୍ଚ ଦାବି ଆଲୋଚନାବେଳେ ଉଭୟ ବିରୋଧୀ ଓ ଶାସକ ଦଳ ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତିକୁ ନେଇ ଅସନ୍ତୋଷ ଜାହିର୍ କରିଥିଲେ।

ଅଦ୍ୟତନ ହୋଇଛି
assembly

ଭୁବନେଶ୍ବର: ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ବଜେଟ୍‌ ଉପରେ ଖର୍ଚ୍ଚ ଦାବି ଆଲୋଚନାବେଳେ ଉଭୟ ବିରୋଧୀ ଓ ଶାସକ ଦଳ ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତିକୁ ନେଇ ଅସନ୍ତୋଷ ଜାହିର୍ କରିଥିଲେ। କିନ୍ତୁ ଶାସକ ଦଳର ବିଧାୟକମାନେ ବିଜେଡିକୁ ଟାର୍ଗେଟ୍ କରି କହିଥିଲେ, ତୁମର ୨୪ ବର୍ଷର ସରକାରର ଅପାରଗତା ପାଇଁ ଲୋକଙ୍କୁ ପାନୀୟ ଜଳ ମିଳୁନି। ୩୫ହଜାର କୋଟିର ଟେଣ୍ଡର କରି ୧୭ଟି ବାହାର ରାଜ୍ୟର ସଂସ୍ଥାକୁ କାମ ଦେଲ। କେଉଁ ସଂସ୍ଥା କାମ କରିବ କି ନାହିଁ ଜାଣିଲନି। ଏହି ମେଗା ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଛି। ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ କାମ ସରୁନି କି ଲୋକଙ୍କୁ ପାଣି ମିଳୁନି। ଏହାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଓ ଅରବିନ୍ଦ ମହାପାତ୍ର କହିଥିଲେ, ଶାସକ ଦଳ ବିଧାୟକ, ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଅନିୟମିତତା ହୋଇଛି। ଯଦି ଅନିୟମିତତା ହୋଇଛି ତେବେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନ? ତୁମର ତ ସରକାର ଅଛି, ଭିଜିଲାନ୍ସ ତଦନ୍ତ କର। ଏନେଇ ଆଜି ମନ୍ତ୍ରୀ ଘୋଷଣା କରନ୍ତୁ। ଯିଏ ଦୋଷୀ ତାଙ୍କୁ ବାନ୍ଧ। ବିରୋଧୀଙ୍କ ଏହି ଦାବିକୁ ଶାସକ ଦଳ ପକ୍ଷରୁ ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ସମର୍ଥନ କରିଥିଲେ। ଏହାପରେ ବିଭାଗୀୟ ମନ୍ତ୍ରୀ  ରବି ନାରାୟଣ ନାଏକ ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖିଥିଲେ ହେଁ ଭିଜିଲାନ୍ସ  ତଦନ୍ତ ପ୍ରସଙ୍ଗରେ କିଛି କହି ନଥିଲେ।

୨୦୨୯ ବେଳକୁ କେବଳ ନଳ ଥିବ, ଜଳ ନଥିବ: ଅରୁଣ
ବିକଶିତ ଗାଁ, ବିକଶିତ ଓଡ଼ିଶାରେ ପଲ୍ଲୀସଭା କଥା ରହୁନି: କଂଗ୍ରେସ

ଆଲୋଚନା ଆରମ୍ଭ କରି ଅରୁଣ ସାହୁ କହିଥିଲେ, ଇଏ ହେଉଛି ବାହାଦୂରୀ ସରକାର। କହିଲେ ଆମେ ସରକାରକୁ ଆସିଲେ ପଲ୍ଲୀସଭାରେ କାମ ବାଣ୍ଟିବୁ। ହେଲେ ବିନା ପଲ୍ଲୀ ସଭାରେ ବିକଶିତ ଗାଁ, ବିକଶିତ ଓଡ଼ିଶା‌ ଯୋଜନାର କାମ ବଣ୍ଟା ହେଉଛି। ଅନ୍ତ୍ୟୋଦୟ, ପିଏମ୍-ଆବାସ ଯୋଜନାରେ ମାଗଣାରେ ବାଲି ଦେବ କହିଥିଲ, କେତେ ଜଣଙ୍କୁ ମାଗଣାରେ ବାଲି ଦେଲ? ପାନୀୟ ଜଳ ପ୍ରସଙ୍ଗ ଉଠାଇ କହିଲେ, ଏହି ଗୃହରେ ମନ୍ତ୍ରୀ କହିଲେ ଆମେ ୬ମାସରେ ସବୁ ଘରକୁ ପାଣି ଦେବୁ। ତିନି ଥର ୬ମାସ ଲେଖାଏଁ କହି ଅବଧି ଘୁଞ୍ଚାଇବା ପରେ ଏବେ କହୁଛନ୍ତି ୨୦୨୭ ସୁଦ୍ଧା ପାଣି ଦେବୁ। ଯଦି ମେଗା ପାନୀୟଜଳ ପ୍ରକଳ୍ପରେ ଅନିୟମିତତା ହୋଇଛି କହୁଛ, ତେବେ ଯିଏ ଅନିୟମିତତା କରିଛି ସେ ଅପରାଧୀ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନ? ତୁମେ ଯେମିତି କାମ କରୁଛ ୨୦୨୯ ବେଳକୁ କେବଳ ନଳ ଥିବ, ଜଳ ନଥିବ। ଏହାସହ ବିଜେପି ସରକାରକୁ ଟାର୍ଗେଟ କରି କହିଥିଲେ, ତୁମେ ବ୍ଲକ୍‌ ଅଧ୍ୟକ୍ଷଙ୍କର ଆର୍ଥିକ କ୍ଷମତା ପ୍ରତ୍ୟାହାର କରିନେଲ। କ’ଣ ଲାଭ ହେଲା? 

ଜଣେ ପ୍ରଶାସନିକ ଅଧିକାରୀ କ’ଣ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ବଡ଼? 
ଗୌତମବୁଦ୍ଧ ଦାସ କହିଥିଲେ, ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ଅର୍ଥ ଖର୍ଚ୍ଚ ହୋଇପାରୁନି। ଜଳ ଜୀବନ ମିସନ୍‌ରେ କେନ୍ଦ୍ର ଓ ରାଜ୍ୟ ଅଧା ଅଧା ଅର୍ଥ ଦେବାର ନିୟମ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ୨୪୫୫କୋଟିରୁ ମାତ୍ର ୩୬୮କୋଟି ଦେଇଛନ୍ତି। ଅରବିନ୍ଦ ମହାପାତ୍ର କହିଥିଲେ, ତୁମ ଅପାରଗତା ଲୁଚାଇବାକୁ ୨୪ବର୍ଷର ସରକାରରେ ଖାଲି ଅନିୟମିତତା ହୋଇଛି ବୋଲି କୁହନି। ଯଦି ପାଣି ଦେଇପାରୁନ ତା’ର ସମସ୍ୟା ଖୋଜି ସମାଧାନ କର। ଶାସକ ଦଳ ପକ୍ଷରୁ ସୁବାସିନୀ ଜେନା, ସୁଦର୍ଶନ ହରିପାଲ ଆଲୋଚନାରେ ଭାଗ ନେଇ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।

କଂଗ୍ରେସ ବିଧାୟକ ଅଶୋକ ଦାସ କହିଥିଲେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଠିକ୍ ଭାବେ ଅର୍ଥ ଖର୍ଚ୍ଚ ହେଉନି କି ପଲ୍ଲୀସଭା କଥା ରହୁନି। ସରକାର ଏହାର ତର୍ଜମା କରନ୍ତୁ। କଂଗ୍ରେସ ପକ୍ଷରୁ ପବିତ୍ର ସାଉଁଟା, ମଙ୍ଗୁ ଖିଲ ଆଲୋଚନାରେ ଭାଗ ନେଇ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ। ଶାସକ ଦଳ ପକ୍ଷରୁ ବିଭୂତି ଭୂଷଣ ଜେନା କହିଥିଲେ, ପାନୀୟ ଜଳ ଯୋଜନାରେ ଯେଉଁ ଅନିୟମିତତା ହୋଇଛି ବିଭାଗୀୟ ମନ୍ତ୍ରୀ ତା’ର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ଆମେ ଯଦି କାର୍ଯ୍ୟାନୁଷ୍ଠାନ ନ ନେବା ତେବେ ସେମାନେ ଭାବିବେ ଯାହା କରିଥିଲେ ଠିକ୍ କରିଛନ୍ତି। ଗତ ସରକାରରେ ଯିଏ ପାନୀୟ ଜଳ ମନ୍ତ୍ରୀ ଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ। ବିଜେଡି ସରକାରର ଭୁଲ୍ ପାଇଁ କାହିଁକି ଆମେ ବଦନାମ ମୁଣ୍ଡାଇବୁ। ଶାସକ ଦଳ ପକ୍ଷରୁ ସନାତନ ବିଜୁଳି, ଜଲେନ ନାୟକ, ଅଶୋକ ମହାନ୍ତି, ଭାଦବ ହାଁସଦା, ଅମର ନାୟକ ପ୍ରମୁଖ ଆଲୋଚନାରେ ଭାଗ 
ନେଇ ଖର୍ଚ୍ଚ ଦାବିକୁ ସମର୍ଥନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe