ଭୁବନେଶ୍ବର: ଏବେ ଜିଲ୍ଲାସ୍ତରରେ ରାସନ୍ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି କରାଯାଉଛି। ଏଥିରେ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର ନେଇ ରାସନ ଡିଲରଙ୍କ ପାଖରେ ଇ-କେୱାଇସି କରିବାକୁ କୁହାଯାଉଛି। ସେପ୍ଟେମ୍ବର ୨୫ତାରିଖ ଭିତରେ ଇ-କେୱାଇସି ନକଲେ ରାସନ୍ କାର୍ଡରୁ ନାଁ କଟିଯିବ ବୋଲି ସରକାର କହୁଛନ୍ତି। ହେଲେ ଯେଉଁମାନେ ବାହାର ରାଜ୍ୟରେ, ବିଦେଶରେ କାମ କରୁଛନ୍ତି ସେମାନେ ଏହି ନିର୍ଦ୍ଦିଷ୍ଟ ସମୟ ଭିତରେ କିପରି ଆସିବେ? ଅଧିକାଂଶ ଲୋକ ସାଧାରଣ ନିର୍ବାଚନ ସମୟରେ ଭୋଟ୍ ଦେବାକୁ ଆସି ଏବେ ଯାଇଛନ୍ତି। ତେଣୁ ଇ-କେୱାଇସି ନକଲେ ରାସନ୍ କାର୍ଡରୁ ନାଁ କଟିଯିବା ନିଷ୍ପତ୍ତି ଉପରେ ସରକାର ବିଚାର କରନ୍ତୁ ବୋଲି ଆଜି ବହୁ ବିଧାୟକ ପ୍ରଶ୍ନକାଳରେ ଉଠାଇଥିଲେ।
ଏହା ଉପରେ ଯୋଗାଣ ମନ୍ତ୍ରୀ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖି କହିଛନ୍ତି ଯେ ଇ-କେୱାଇସି ନକଲେ ରାସନ୍ କାର୍ଡରୁ ନାମ କଟିବନି। ରାଜ୍ୟ ସରକାର ଜାଣିବାକୁ ଚାହୁଁଛନ୍ତି ଯେ ରାଜ୍ୟରେ ପ୍ରକୃତରେ କେତେ ରାସନ୍କାର୍ଡ ହିତାଧିକାରୀ ଅଛନ୍ତି। ଭୂତ ରାସନ୍କାର୍ଡଧାରୀ (ମୃତକଙ୍କ ନାମ) ଅଛନ୍ତି ନା ନାହିଁ। ଇ-କେୱାଇସି ସମସ୍ତଙ୍କୁ କରିବାକୁ ହେବ। ହେଲେ ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ବାଧ୍ୟବାଧକତା ଦୃଷ୍ଟିରୁ ନକଲେ ହିତାଧିକାରୀଙ୍କ ନାଁ କଟିବନି। ଇ-କେୱାଇସି ପରେ ଅଯୋଗ୍ୟ ହିତାଧିକାରୀ କଟିବେ। ଫଲରେ ଆବେଦନ କରିଥିବା ହିତାଧିକାରୀଙ୍କୁ ନୂଆ କାର୍ଡ ଦିଆଯାଇପାରିବ। ବିଧାୟକ ଅମର ନାୟକଙ୍କ ମୂଳ ପ୍ରଶ୍ନ ରାସନକାର୍ଡ ହିତାଧିକାରୀଙ୍କୁ ଗହମ ଯୋଗାଣ ଉପରେ ମନ୍ତ୍ରୀ କହିଛନ୍ତି ଯେ ଗତ ଦୁଇ ବର୍ଷ ହେଲା ରାସନ୍କାର୍ଡ ହିତାଧିକାରୀଙ୍କୁ ଗହମ ଦିଆଯାଉନି। ପୁଣି ଏବେ ଏହାକୁ ଆରମ୍ଭ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଏହି ପ୍ରଶ୍ନରେ ବିଧାୟକ ପ୍ରତାପ ଦେବ, ଅଶୋକ କୁମାର ଦାସ, ମାନସ କୁମାର ଦତ୍ତ, ଅଶ୍ବିନୀ କୁମାର ପାତ୍ର, ବିଜୟ କୁମାର ଦଳବେହେରା, ଦୁର୍ଗାପ୍ରସନ୍ନ ନାୟକ ଓ ସୋଫିଆ ଫିରଦୋସ୍ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।
Follow Us