ଦଶମରେ ଗଣିତ ନ ଥିଲେ ଯୁକ୍ତ୨ରେ ବିଜ୍ଞାନ, ବାଣିଜ୍ୟ ପଢ଼ି ହେବ

ନିୟମ ବଦଳାଇଲା ଗଣଶିକ୍ଷା ବିଭାଗ

ଆଦିବାସୀ-ଦଳିତ ବିଦ୍ୟାର୍ଥୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅଣଦେଖା

The News Minute

ଭୁବନେଶ୍ବର : ଦଶମ ଶ୍ରେଣୀରେ ଗଣିତ ବିଷୟରେ ଶିକ୍ଷା‌ ଗ୍ରହଣ କରି ନ ଥିଲେ ଯୁକ୍ତ୨ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ। ଏଣିକି କୌଣସି ପ୍ରକାର ଅସୁବିଧା ନାହିଁ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମସ୍ତ ବୋର୍ଡର ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ମିଳିବ। ଯେଉଁ ଛାତ୍ରଛାତ୍ରୀ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକାରେ ସୁଯୋଗ ମିଳିବ। ତେବେ ଯେଉଁ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଗଣିତରେ ଫେଲ୍‌ ହୋଇଥିବେ ସେମାନେ ଏଭଳି ସୁଯୋଗରୁ ବଞ୍ଚିତ ହେବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ବିଶେଷଜ୍ଞ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସଂଶୋଧନ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ପୁଣିଥରେ ବିଜ୍ଞପ୍ତି ପ୍ରକାଶ କରାଯିବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଅଜବ ନିୟମ ଦ୍ବାରା ସିଆଇଏସ୍‌ସିଇ, ସିବିଏସ୍‌ଇ ବୋର୍ଡ ଅଧୀନରେ ଦଶମ ପାସ୍‌ କରିଥିବା ବହୁ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମଲେଖାରୁ ବଞ୍ଚିତ ହୋଇଥିବା ନେଇ ଖବର ପ୍ରକାଶ ପରେ ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଛି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦେଶକ୍ରମେ ତୁରନ୍ତ ବୈଠକ ଡକାଯାଇ ବିଶଦ ଆଲୋଚନା କରାଯାଇଥିଲା। ଜଣେ ବି କେହି ଛାତ୍ରଛାତ୍ରୀ ଯେମିତି ପାଠପଢ଼ାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି। ସଚିବ ଶ୍ରୀ ସାହୁ କହିଛନ୍ତି ଯେ ବିଶେଷଜ୍ଞ କମିଟିର ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ନିଆଯାଇଥିଲା। ଏବେ ସେଥିରେ ସଂଶୋଧନ କରାଯାଇଛି। ଶିକ୍ଷା ଗ୍ରହଣରୁ କାହାକୁ ବଞ୍ଚିତ କରାଯିବ ନାହିଁ। ଭବିଷ୍ୟତରେ ଏନେଇ ବ୍ୟାପକ ବିଚାରବିମର୍ଶ କରାଯିବା ପରେ ଲାଗୁ କରାଯିବ। ଯୁକ୍ତ୨ରେ ଏବେ ବହୁତ ସିଟ୍‌ ଖାଲି ପଡ଼ିଛି। ୫ ଲକ୍ଷରୁ ଅଧିକ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୦ ହଜାର ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୭୦ ହଜାର ସିଟ୍‌ ରହିଛି। ଏଭଳି ସମସ୍ୟା ପାଇଁ କୌଣସି ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ୍‌ ହୋଇ ନାହିଁ। ବରଂ ଦ୍ବିତୀୟ ପର୍ଯ୍ୟାୟରେ ସେମାନଙ୍କୁ ସୁଯୋଗ ମିଳିବ।

ସୂଚନାଯୋଗ୍ୟ ଯେ ଦଶମ ଶ୍ରେଣୀରେ ଗଣିତ ନ ଥିଲେ ଯୁକ୍ତ୨ରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ି ହେବ ନାହିଁ ବୋଲି ନିର୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ବିରୋଧରେ ଇଣ୍ଟରନେସନାଲ ହ୍ୟୁମାନ ରାଇଟ୍ସ କମିସନର ରାଜ୍ୟ ସଭାପତି ଶିବ ସୁନ୍ଦର ସ୍ୱାଇଁ, ଯୁଗ୍ମ ନିର୍ଦେଶକ ଶଶାଙ୍କ ଶେଖର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ସଭାପତି ନାରାୟଣ ସାହୁ ସ୍ବର ଉଠାଇଥିଲେ। ଗତକାଲି ଶିକ୍ଷା ନିର୍ଦେଶାଳୟ ନିର୍ଦେଶକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe