‘ସୁଭଦ୍ରା’ରେ ଯୋଡ଼ିହେଲେ କୋଟିଏ: ଆଜି ଦୀପ ଜଳାଇବା ଲାଗି ଆହ୍ୱାନ ଜଣାଇଲେ ପ୍ରଭାତୀ

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ‘ସୁଭଦ୍ରା’ର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି। ୨.୩୪ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତିର ୫ହଜାର ଟଙ୍କା ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା...

subhadra

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ‘ସୁଭଦ୍ରା’ର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି। ୨.୩୪ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତିର ୫ହଜାର ଟଙ୍କା ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୟୁଟ୍ୟୁବ୍‌ ଲାଇଭ୍‌ରେ ଲାଭାର୍ଥୀଙ୍କ ସହ କଥା ହୋଇଥିଲେ। ପଞ୍ଚମ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ୧୧୭କୋଟି ଟଙ୍କା ପ୍ରଦାନ କରାଯାଇଛି। ମୋଟ୍‌ ଉପରେ କୋଟିଏରୁ ଅଧିକ ମହିଳା ‘ସୁଭଦ୍ରା’ ଯୋଜନାରେ ଯୋଡ଼ି ହୋଇଛନ୍ତି। 

ଆଭାସୀ ଜରିଆରେ ଶ୍ରୀମତୀ ପରିଡ଼ା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସମାଜସେବୀ ଓ ହିତାଧିକାରୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ରାଜ୍ୟର ମହିଳାଙ୍କ ଆର୍ଥିକ ସମୃଦ୍ଧି ଓ ସମ୍ମାନ ବୃଦ୍ଧି ପାଇଁ ‘ସୁଭଦ୍ରା’ ଏକ ଯୁଗାନ୍ତକାରୀ ଓ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଯୋଜନାକୁ ଆହୁରି ସଶକ୍ତ କରି ମହିଳାମାନଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯିବ। ‘ସୁଭଦ୍ରା’ ଯୋଜନାର ସଫଳତାକୁ ସମ୍ମାନ ଜଣାଇବା ପାଇଁ ଆସନ୍ତାକାଲି ମା’ ଓ ଭଉଣୀମାନେ ଘର ବାରଣ୍ଡା କିମ୍ବା ତୁଳସୀ ଚଉରା ନିକଟରେ ଦୀପ ଜଳାନ୍ତୁ। ଆଜି ପର୍ଯ୍ୟନ୍ତ ମହିଳାଙ୍କୁ ୫୦୩୨ କୋଟିର ସହାୟତା ଦିଆଯାଇଛି। ଚଳିତମାସ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏ ୬୪ ହଜାର ମହିଳାଙ୍କୁ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ। 

ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୨.୩୪ଲକ୍ଷ ହିତାଧିକାରୀଙ୍କୁ ସହାୟତା
ସଫଳତା ପାଇଁ ଅଙ୍ଗନବାଡ଼ି କର୍ମୀ-ସହାୟିକାମାନଙ୍କୁ ସ୍ବତନ୍ତ୍ର ପାରିତୋଷିକ  
ଆଜି ଦୀପ ଜଳାଇବା ଲାଗି ଆହ୍ୱାନ ଜଣାଇଲେ ପ୍ରଭାତୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ସୁଭଦ୍ରା’ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସଫଳତା ପାଇଁ ସେମାନଙ୍କର ଯୋଗଦାନକୁ ସ୍ବୀକୃତି ପୂର୍ବକ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଟଙ୍କା ଓ ଅଙ୍ଗନବାଡ଼ି ସହାୟିକାଙ୍କୁ ୫୦୦ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାର ଏହା ପାଇଁ ୧୪ କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ବହନ କରିବେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଓ ସୁଭଦ୍ରା ଯୋଜନା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। 

ଉଲ୍ଲେଖଯୋଗ୍ୟ, ‘ସୁଭଦ୍ରା’ରେ ପ୍ରଥମ ପର୍ଯ୍ୟାୟ ବିତରଣ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦ ହିତାଧିକାରୀ ଅର୍ଥ ପାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୩୫ଲକ୍ଷ ହିତାଧିକାରୀ, ତୃତୀୟ ପର୍ଯ୍ୟାୟରେ ୨୦ଲକ୍ଷ, ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଶାଇ ୯୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳା ହିତାଧିକାରୀ ଏହି ଯୋଜନାରେ ଲାଭାନ୍ୱିତ ହୋଇ ସାରିଛନ୍ତି। ଆଜି ୨.୩୪ଲକ୍ଷ ମହିଳା ଯୋଡ଼ି ହେବା ପରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe