ଆଇଜିଏଚ୍‌ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ କାମ ବନ୍ଦ : ଦୁଇ ମାସ ହେଲା ମଜୁରି ମିଳିନି, ଆନ୍ଦୋଳନରେ ୫୦୦ ଶ୍ରମିକ

Advertisment
ଆଇଜିଏଚ୍‌ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ କାମ ବନ୍ଦ : ଦୁଇ ମାସ ହେଲା ମଜୁରି ମିଳିନି, ଆନ୍ଦୋଳନରେ ୫୦୦ ଶ୍ରମିକ

ରାଉରକେଲା : ପାଞ୍ଚ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ରାଉରକେଲାର ଇସ୍ପାତ ଜେନେରାଲ୍ ହସ୍‌ପିଟାଲ୍‌ (ଆଇଜିଏଚ୍)କୁ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ କରାଯିବ। ବହୁ ବାଦ ବିବାଦ ଓ ଦାବି ପରେ ୫ ମାସ ତଳେ ଏହାର କାମ ଆରମ୍ଭ ହୋଇଥିଲା। ଏବେ ସେ ନିର୍ମାଣ କାମରେ ବାଧା ଉପୁଜିଛି। ଦୁଇ ମାସର ବକେୟା ମଜୁରି ମିଳି ନଥିବାରୁ ଏଥିରେ ନିୟୋଜିତ ପ୍ରାୟ ୫୦୦ ଶ୍ରମିକ ଆଜିଠୁ କାମ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଠିକାସଂସ୍ଥା ଆସନ୍ତା ୭ ଦିନ ଭିତରେ ବକେୟା ମଜୁରି ପ୍ରଦାନ କରିବାକୁ ଶ୍ରମିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବକେୟା ମଜୁରି ହାତକୁ ନଆସିବା ଯାଏ ସେମାନେ କାମରେ ଯୋଗଦେବେ ନାହିଁ ବୋଲି ଶ୍ରମିକମାନେ ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ଫଳରେ ଅନେକ ବିଳମ୍ବରେ ଆରମ୍ଭ ହୋଇଥିବା ହସ୍ପିଟାଲ ନିର୍ମାଣ କାମ ଏବେ ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି।

ଉଲ୍ଲେଖନୀୟ ଯେ ୨୦୧୪ ମସିହାରେ ରାଉକେଲା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଜିଏଚ୍‌କୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବାକୁ ଘୋଷଣା କରିଥିଲେ। ଘୋଷଣାର ୫ ବର୍ଷ ପରେ, ଅର୍ଥାତ୍‌ ଗତ ୨୦୧୯ ଫେବ୍ରୁଆରି ମାସରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨୯୪.୮୨ କୋଟି ଟଙ୍କା ମଞ୍ଜୁର ହୋଇଛି। ନିର୍ମାଣ କାମ ନେଇଥିବା ତାମିଲନାଡୁର ଏନ୍‌ବିସିସି (ଇଣ୍ଡିଆ) ଲିମିଟେଡ ଏହି କାମକୁ ୟୁଆର୍‌ସି କନଷ୍ଟ୍ରକ୍ସନ ଠିକାସଂସ୍ଥାକୁ ହସ୍ତାନ୍ତର କରିଛି। ଠିକାସଂସ୍ଥା ଅଣକୁଶଳୀ ଶ୍ରମିକଙ୍କୁ ଦୈନିକ ୪୬୬ ଟଙ୍କା, ଅର୍ଦ୍ଧ କୁଶଳୀଙ୍କୁ ୫୨୭ ଟଙ୍କା, କୁଶଳୀଙ୍କୁ ୬୧୭ ଟଙ୍କା ମଜୁରି ଦେବା କଥା। ପ୍ରତିମାସ ୭ ତାରିଖ ସୁଦ୍ଧା ମାସିକ ମଜୁରି, ୧୦ ତାରିଖ ସୁଦ୍ଧା ବକେୟା ମଜୁରି ଦେବାକୁ ଫଳକରେ ଲେଖା ଯାଇଛି। ମାତ୍ର ଜଣେ ହେଲେ ଶ୍ରମିକଙ୍କୁ ସମ୍ପୃକ୍ତ ଠିକାସଂସ୍ଥା ଫଳକରେ ଲେଖାଯାଇଥିବା ସରକାରଙ୍କ ନିର୍ଦ୍ଧାରିତ ମଜୁରି ଦେଉନାହିଁ ବୋଲି ଅଭିଯୋଗ ହୋଇଛି। ସେଠାରେ କାମ କରୁଥିବା ପ୍ରାୟ ୫୦୦ ଜଣ ଶ୍ରମିକଙ୍କୁ ୨୨୫ରୁ ୨୫୦ ଟଙ୍କା ହିସାବରେ ଦୈନିକ ମଜୁରି ନେବାକୁ ବାଧ୍ୟ କରାଯାଉଛି। ଏହା ଉପରେ ପୁଣି ନିର୍ଦ୍ଧାରିତ ତାରିଖରେ ମଧ୍ୟ ଶ୍ରମିକମାନେ ସେହି ପ୍ରାପ୍ୟ ପାଉନାହାନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe