ଓଡ଼ିଆରେ ଇଗ୍ନୋ ଡିଇସିଇ ପାଠ୍ୟକ୍ରମ

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ଦ୍ବାରା ପ୍ରଦାନ କରାଯାଉଥିବା ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା(ଡିଇସିଇ) ପାଠ୍ୟକ୍ରମର ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ ହୋଇଛି। ବିଦ୍ୟାର୍ଥୀମାନେ ଯୁକ୍ତ୨...

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ଦ୍ବାରା ପ୍ରଦାନ କରାଯାଉଥିବା ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା(ଡିଇସିଇ) ପାଠ୍ୟକ୍ରମର ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ ହୋଇଛି। ବିଦ୍ୟାର୍ଥୀମାନେ ଯୁକ୍ତ୨ ଶିକ୍ଷା ପରେ ଏକ ବର୍ଷିଆ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ପାଠ୍ୟକ୍ରମରେ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା, ଶିଶୁ ସ୍ୱାସ୍ଥ୍ୟ ଓ ପୋଷଣ ଆଦି ଉପରେ ଶିକ୍ଷା ପ୍ରଦାନ କରାଯିବ। ପାଠ୍ୟପୁସ୍ତକ ସହ ଶିକ୍ଷାର୍ଥୀଙ୍କୁ ଅଡିଓ କ୍ୟାସେଟ୍‌ ଓ ଭିଡିଓ ଟ୍ୟୁଟୋରିଆଲ ମଧ୍ୟ ଦିଆଯିବ। ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ବିଷୟବସ୍ତୁକୁ ଉକ୍ତ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାଦ୍ୱାରା ବିଦ୍ୟାର୍ଥୀମାନେ ପାଠ୍ୟପୁସ୍ତକ ପଢ଼ିବା ସହ ପାଠ୍ୟକ୍ରମର ପ୍ରୟୋଗାତ୍ମକ ଦିଗ ଉପରେ ମଧ୍ୟ ଜ୍ଞାନ ଆହରଣ କରିପାରିବେ।
 ୋକସେବା ଭବନରେ ଆଜି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପାଠ୍ୟପୁସ୍ତକର ଲୋକାର୍ପଣ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ବିଶେଷ ଭାବେ ବାଲ୍‌ବାଟିକା, ଅଙ୍ଗନବାଡ଼ିରେ କାର୍ଯ୍ୟ କରୁଥିବା କର୍ମୀ ଓ ପ୍ରଶିକ୍ଷକମାନେ ନିଜକୁ ଉକ୍ତ ପାଠ୍ୟକ୍ରମରେ ପଞ୍ଜିକୃତ କରି ଉପକୃତ ହୋଇପାରିବେ। ଓଡ଼ିଆ ଭାଷାରେ ପାଠ୍ୟକ୍ରମ ପ୍ରଚଳନ ଦ୍ୱାରା ସମସ୍ତେ ପାଠ୍ୟକ୍ରମକୁ ଅତି ସହଜ ଓ ସରଳ ପଦ୍ଧତିରେ ପଢ଼ିପାରିବେ। ଏଥିସହ ଉକ୍ତ ପାଠ୍ୟକ୍ରମ ଶିଶୁ ଶିକ୍ଷା ଓ ପୋଷଣ ଦିଗରେ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିବିଶେଷ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବେସରକାରୀ ପ୍ଲେ ସ୍କୁଲର କର୍ମକର୍ତ୍ତାଙ୍କ ପାଇଁ ସହାୟକ ହେବ ବୋଲି ସେ କହିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ପ୍ରାରମ୍ଭିକ ଶିକ୍ଷା ହେଉଛି ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ। ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିଲେ ଆମର ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା, ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାଦାନ ପଦ୍ଧତିକୁ ମାତୃଭାଷାରେ ପ୍ରଚଳନ କରିବାକୁ ପ୍ରୋତ୍ସାହିତ କରାଯାଇଛି। ମାତୃଭାଷାରେ ଶିକ୍ଷା ଲାଭ କଲେ ଛାତ୍ରଛାତ୍ରୀଙ୍କର ସୃଜନଶୀଳତାର ବିକାଶ ହୋଇପାରିବ। ତୃଣମୂଳ ସ୍ତରରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ‘ସମସ୍ତଙ୍କ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା’ର ଲକ୍ଷ୍ୟକୁ ହାସଲ କରାଯାଇପାରିବ।
କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ମୋନିଷା ବାନାର୍ଜୀ, ଇଗ୍ନୋ କୁଳପତି ପ୍ରଫେସର ଉମା କାଞ୍ଜିଲାଲ ପ୍ରମୁଖ ଉପସ୍ଥିତ ଥିଲେ। ଇଗ୍ନୋ ଦ୍ୱାରା ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମକୁ ଇଂରାଜୀ, ହିନ୍ଦୀ ଓ ତାମିଲ ଭାଷାରେ ପୂର୍ବରୁ ପ୍ରଦାନ କରାଯାଉଥିଲା। ଏବେ ତାହାକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ। ଇଗ୍ନୋର ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବାକୁ ଗତ ଜୁନ୍‌ ୯ରେ ଉଚ୍ଚଶିକ୍ଷା ବିଭାଗ ଓ ଇଗ୍ନୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe