ଥାନାରେ ନାବାଳିକାକୁ ଦୁଷ୍କର୍ମ ମାମଲା : ଫେରାର ଆଇଆଇସି ଗିରଫ

Advertisment

ବଇଣ୍ଡା ଜଙ୍ଗଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌, ଚାକିରିରୁ ବହିଷ୍କୃତ, ରିମାଣ୍ଡରେ ଅଣାଯିବ

ବଇଣ୍ଡା ଜଙ୍ଗଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌, ଚାକିରିରୁ ବହିଷ୍କୃତ, ରିମାଣ୍ଡରେ ଅଣାଯିବ

ଥାନାରେ ନାବାଳିକାକୁ ଦୁଷ୍କର୍ମ ମାମଲା : ଫେରାର ଆଇଆଇସି ଗିରଫ

କଟକ/ଅନୁଗୁଳ/ରାଉରକେଲା : ଥାନାରେ ଜଣେ ପୀଡ଼ିତା ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଏବଂ ବଳପୂର୍ବକ ଗର୍ଭପାତ କରିବା ଘଟଣା ପଦାକୁ ଆସିବା ପରେ ଫେରାର ହୋଇ ଯାଇଥିବା ବୀରମିତ୍ରପୁର ଥାନାର ନିଲମ୍ବିତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କ୍ରାଇମବ୍ରାଞ୍ଚ ଆଜି ଅନୁଗୁଳ ଜିଲ୍ଲା ବଇଣ୍ଡା ଆଉଟପୋଷ୍ଟ ନିକଟସ୍ଥ ଜଂଗଲ ଭିତରେ ଏକ ଆମ୍ବତୋଟାରୁ ଗିରଫ କରିଛି। ପୁଲିସ ଡିଜି ଆଜି ତାଙ୍କୁ ଚାକିରିରୁ ବହିଷ୍କାର ହେବାର ୮ ଘଣ୍ଟା ଭିତରେ କ୍ରାଇମବ୍ରାଞ୍ଚର ଏକ ଟେକନିକାଲ୍ ଟିମ୍ ହାତରେ ଧରାପଡ଼ିଛନ୍ତି ଇନ୍ସପେକ୍ଟର। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏହା ସହିତ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରୁଛି। ଏହି ଘଟଣାରେ ଆଉ ଜଣେ ପୁଲିସ ଅଫିସରଙ୍କ ସମେତ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ପୀଡ଼ିତାଙ୍କ ଦୁଇ ପୁରୁଷ ବନ୍ଧୁ ଏବଂ ସାବତ ବାପା ଫେରାର ଅଛନ୍ତି। ଖୁବ ଶୀଘ୍ର ସେମାନଙ୍କୁ ବି ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ଉଦ୍ୟମ ଚଳାଇଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ରାଇବଗା ଥାନାରେ ଗଲା ୨୩ ତାରିଖରେ ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହି ମାମଲାକୁ ଗଲାକାଲି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ରାଇବଗା ଥାନାରେ ଗ୍ରହଣ କରିଥିଲା। ଦଫା ୩୭୬(୨)(ଏନ)(ବାରମ୍ବାର ଦୁଷ୍କର୍ମ), ୩୭୬(୩), ୩୧୩(ବଳପୂର୍ବକ ଗର୍ଭନଷ୍ଟ) ଏବଂ ୬ ପୋକସୋ ଆକ୍ଟରେ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ ୨୩ ତାରିଖରେ ଶ୍ରୀ ମାଝୀଙ୍କ ବିରୋଧରେ ମାମଲା ରୁଜୁ ପରେ ସୁନ୍ଦରଗଡ଼ରୁ ୨୪ ତାରିଖରେ ଫେରାର ହୋଇଯାଇଥିବା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ଜାଣିବାକୁ ପାଇଥିଲା। କ୍ରାଇମବ୍ରାଞ୍ଚ ତାଙ୍କୁ ଟ୍ରାକ୍ କରିବାର ସମ୍ଭାବନା ଥିବାରୁ ସେ ସାଙ୍ଗରେ ମୋବାଇଲ ଫୋନ୍ ନେଇ ନଥିଲେ। ତେଣୁ କ୍ରାଇମବ୍ରାଞ୍ଚ ତାଙ୍କୁ ଠାବ କରିବାରେ ସମସ୍ୟା ହୋଇଥିଲା। କ୍ରାଇମବ୍ରାଞ୍ଚର ୩ ଜଣ ଇନସ୍ପେକ୍ଟର ଏବଂ ୨ ଜଣ କନଷ୍ଟେବଳଙ୍କୁ ନେଇ ଏକ ଟେକନିକାଲ୍ ଟିମ୍ ଗଠନ ହୋଇଥିଲା। ଶ୍ରୀ ମାଝୀ ଅନୁଗୁଳ ଆଡ଼କୁ ଚାଲିଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିବାରୁ ଏହି ଟିମ୍‌ ବିଭିନ୍ନ ଥାନାକୁ ଯାଇ ତାଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲେ। ଶେଷରେ ଅନୁଗୁଳ ପୁଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଟେକନିକାଲ୍ ଟିମ୍ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଆଉଟପୋଷ୍ଟ ନିକଟସ୍ଥ ଇଚ୍ଛାପୁର ଜଂଗଲ ଭିତରେ ଥିବା ଆମ୍ବ ତୋଟାରେ ଚଢ଼ଉ କରି ତାଙ୍କୁ ଅପରାହ୍ନ ପ୍ରାୟ ୪ଟା ବେଳେ ଗିରଫ କରିଥିଲା। ଗିରଫ ଭୟରେ ସେ ଦୁଇ ତିନି ଦିନ ହେଲା ଏହି ଜଂଗଲ ଭିତରେ ଲୁଚି ରହିଥିଲେ।

କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଅନୁଗୁଳ ପୁଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଟେକନିକାଲ୍ ଟିମ୍ ବହିଷ୍କୃତ ଇନସ୍ପେକ୍ଟର ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରିଛି। ଏବେ ତାଙ୍କୁ ବୀରମିତ୍ରପୁର ନିଆଯାଉଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ। ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବାକୁ ଯୋଜନା କରାଯାଉଛି। ଅନ୍ୟପକ୍ଷରେ ସମାନ୍ତରାଳ ଭାବେ ବୀରମିତ୍ରପୁରରେ ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ବରେ ୫ ଜଣିଆ ଏସଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଦଳ) ବୀରମିତ୍ରପୁର ଯାଇ ତନାଘନା ଚଳାଇଛି। ଥାନା ଭିତରେ ଆଇଆଇସିଙ୍କ ସମେତ ଆଉ ଜଣେ ପୁଲିସ ଅଫିସର ବି ଦୁଷ୍କର୍ମରେ ସାମିଲ ଥିବା କୁହାଯାଉଛି। ତେଣୁ ତାଙ୍କୁ ଏବେ ଚିହ୍ନଟ କରାଯାଉଛି। ବଳପୂର୍ବକ ତାଙ୍କର ଗର୍ଭପାତ କରାଇଥିବା ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସିଧାସଳଖ ସମ୍ପୃକ୍ତି ଥିବାରୁ କ୍ରାଇମବ୍ରାଞ୍ଚ ତାଙ୍କୁ ବି କୌଣସି ମୁହୂର୍ତ୍ତରେ ଗିରଫ କରିବାକୁ ଏସ୍‌ଆଇଟି ଯୋଜନା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe