କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ଛତୁ ଫୁଟିଲା ଭଳି ଗଢ଼ି ଉଠୁଛି ବେଆଇନ ଇଟାଭାଟି, ବୃଦ୍ଧି ପାଉଛି ତାପମାତ୍ରା, ପ୍ରଦୂଷିତ ହେବାରେ ଲାଗିଛି ପରିବେଶ

Advertisment
କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ଛତୁ ଫୁଟିଲା ଭଳି ଗଢ଼ି ଉଠୁଛି ବେଆଇନ ଇଟାଭାଟି, ବୃଦ୍ଧି ପାଉଛି ତାପମାତ୍ରା, ପ୍ରଦୂଷିତ ହେବାରେ ଲାଗିଛି ପରିବେଶ

ଜୟପୁର : କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ଛତୁ ଫୁଟିଲା ଭଳି ଗଢ଼ି ଉଠୁଛି ବେଆଇନ ଇଟାଭାଟି। ଜିଲ୍ଲା ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ପ୍ରତିଦିନ ଏଭଳି ବେଆଇନ ଇଟାଭାଟି ଗଢି ଉଠୁଛି। ଜିଲ୍ଲାର ପ୍ରମୁଖ ସହର ଜୟପୁର, ବୋରିଗୁମ୍ମା, କୋଟପାଡ, ସେମିଳିଗୁଡା, କୋରାପୁଟ ଆଦି ସହରରେ ଅଧିକା ସଂଖ୍ୟାରେ ଘର ନିର୍ମାଣ ସହ ବିଭିନ୍ନ ବିଭାଗର ସରକାରୀ କୋଠା ନିର୍ମାଣ ଚାଲିଛି। ଏଥି ପାଇଁ ବହୁ ବେଆଇନ ଇଟାଭାଟି ଚାଲୁଥିବା ବେଳେ ପ୍ରଶାସନ ପାଇଁ ଏହା ଚାଲେଞ୍ଜ ପାଲଟିଛି। ବିଶେଷ କରି ପୋଖରୀକୂଳ ଓ କେନାଲ ପଠା ଇଟାଭାଟି ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗଢ଼ି ଉଠିଥିବା ସମସ୍ତ ଇଟାଭାଟିର ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ) ନାହିଁ। ପ୍ରଶାସନକୁ ହାତଗୁଞ୍ଜା ଦେଇ ମୁନାଫା ଖୋର ବେପାରୀମାନେ ବେଆଇନ ଭାବେ ଚଲାଉଛନ୍ତି ଏହି ବ୍ୟବସାୟ। ପ୍ରଶାସନ ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଅବାଧରେ ଏହି କାର୍ଯ୍ୟ କରୁଛନ୍ତି। ଫଳରେ ତାପମାତ୍ରା ବୃଦ୍ଧି ପାଇବା ସହ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ପୁଣି ଇଟା ପୋଡ଼ିବା ପାଇଁ ଜଙ୍ଗଲରୁ ବେଆଇନ ଭାବେ କାଠ ଆସୁଥିବା ବେଳେ ବନ ବିଭାଗ ତରଫରୁ ମଧ୍ୟ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଟି ଇଟା ନିର୍ମାଣର ପ୍ରଭାବ ଫ୍ଲାଏ ଆଶ୍‌ ବ୍ରିକ୍‌(ପାଉଁଶ ଇଟା) ସେଣ୍ଟର ଉପରେ ପଡିଛି। ଇଟାଭାଟି ସଂଖ୍ୟା ବୃଦ୍ଧି ଯୋଗୁଁ ଏହି ସେଣ୍ଟର ଗୁଡିକ ବନ୍ଦ ହେବାକୁ ବସିଲାଣି। ଫଳରେ ଜିଲ୍ଲା ଶିଳ୍ପ କେନ୍ଦ୍ରଠାରୁ ଋଣ ନେଇଥିବା ମାଲିକ ଋଣ ଶୁଝିବା ଚିନ୍ତାରେ ପଡିଲେଣି। ଏହିସବୁ ଇଟାଭାଟି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଇଟାଭାଟି ତିଆରି କରିବା ପୂର୍ବରୁ ବ୍ୟବସାୟୀମାନେ ସରକାରୀ ଆଇନ୍‌ ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଠାରୁ ଏନ୍‌ଓସି, ଜିଲ୍ଲା ଶିଳ୍ପ କେନ୍ଦ୍ର ଠାରୁ ପ୍ରମାଣପତ୍ର, ଚିମିନି ସ୍ଥାପନ ଓ ରାଜସ୍ବ ରୟାଲଟି ରସିଦ ଦେବାର ଆବଶ୍ୟକତା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe