ଅଡ଼ୁଆ ବଢ଼ାଇଲା ତାମ୍ପରା ବେଆଇନ ନିର୍ମାଣ: ସତ୍ୟପାଠ ଦାଖଲ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Advertisment
ଅଡ଼ୁଆ ବଢ଼ାଇଲା ତାମ୍ପରା ବେଆଇନ ନିର୍ମାଣ: ସତ୍ୟପାଠ ଦାଖଲ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ବ୍ରହ୍ମପୁର/ଛତ୍ରପୁର: ତାମ୍ପରା ହ୍ରଦର ସୌନ୍ଦର୍ଯ୍ୟୀକରଣ କାମକୁ ନେଇ ଏନ୍‌ଜିଟି (ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌) କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଆର୍ଦ୍ରଭୂମି ସଂରକ୍ଷଣ ଓ ପରିଚାଳନା ନିୟମାବଳୀ-୨୦୧୭ ଧାରା ୪ ଅନୁସାରେ ତାମ୍ପରା ହ୍ରଦରେ କୌଣସି ପ୍ରକାର ବେଆଇନ ନିର୍ମାଣ ହୋଇ ପାରିବ ନାହିଁ। ଏଣୁ ହ୍ରଦ ଭିତରେ ଚାଲିଥିବା କଂକ୍ରିଟ୍‌ ନିର୍ମାଣ କାମ କାହିଁକି ହଟାଗଲା ନାହିଁ ବୋଲି ଏନ୍‌ଜିଟି ପ୍ରଶ୍ନ କରିଛନ୍ତି। ଏହା ସହିତ ଉଚ୍ଛେଦ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଜିଲ୍ଲାପାଳଙ୍କୁ ୪ ସପ୍ତାହ ମହଲତ ଦିଆଯାଇଛି।

ତାମ୍ପରା ଓଡ଼ିଶାର ବୃହତ ମଧୁରଜଳ ହ୍ରଦ। ଏଠାରେ ବେଆଇନ ନିର୍ମାଣ ଯୋଗୁ ଜଳାଶୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ନେଇ ଭୁବନେଶ୍ବରସ୍ଥିତ ୱାଇଲ୍‌ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ସମ୍ପାଦକ ବିଶ୍ବଜିତ ମହାନ୍ତି ଏନ୍‌ଜିଟିରେ ଅର୍ଜି ଦାଖଲ କରିଥିଲେ। ବେଆଇନ ନିର୍ମାଣ ଭବିଷ୍ୟତରେ ଜଳାଶୟ ପ୍ରତି ବିପଦ ସୃ‌ଷ୍ଟି କରିବା ସହିତ ପ୍ରଦୂଷଣର କାରଣ ସାଜିବ। ଏଣୁ ଏହା ‌ଉପରେ ରୋକ୍‌ ଲଗାଇବା ପାଇଁ ପିଟିସନ୍‌ରେ ଉଲ୍ଲେଖ କରାଯାଇଥିଲା। ଏନ୍‌ଜିଟି କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଅଭିଯୋଗର ତଦନ୍ତ କରିବା ପାଇଁ ୪ଜଣିଆ କମିଟି ଗଠନ କରାଯାଇଥିଲା। କମିଟି ତଦନ୍ତ ରିପୋର୍ଟ ପ୍ରଦାନ କରିସାରିଛି। ରିପୋର୍ଟ ଅନୁସାରେ ହ୍ରଦର ପରିବେଶ ଓ ପାଣିର ମାନ ସଂରକ୍ଷଣକୁ ଗୁରୁତ୍ବ ଦିଆଯାଇଛି। ସେପଟେ ହ୍ରଦ ଭିତରେ ଚାଲିଥିବା କଂକ୍ରିଟ୍‌ ନିର୍ମାଣ ଯୋଗୁ ପରିବେଶ ପ୍ରତି ବିପଦ ସୃଷ୍ଟି ହେଉଥିବା ନେଇ ଆବେଦନକାରୀଙ୍କ ତରଫରୁ ଏନ୍‌ଜିଟିରେ ଯୁକ୍ତି ରଖାଯିବା ସହିତ ଆବଶ୍ୟକ ଫଟୋ ଓ କା‌ଗଜପତ୍ର ଦାଖଲ କରାଯାଇଥିଲା। ଏଣୁ ହ୍ରଦ ଭିତରେ ଚାଲିଥିବା କଂକ୍ରିଟ ନିର୍ମାଣ କାହିଁକି ଉଚ୍ଛେଦ କରାଯାଇ ନାହିଁ ବୋଲି ଏନ୍‌ଜିଟି ପ୍ରଶ୍ନ କରି ସତ୍ୟପାଠ ଦାଖଲ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଓକିଲ ଅପୂର୍ବ ଘୋଷ ତାଙ୍କ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ତାମ୍ପରା ହ୍ରଦର ସୌନ୍ଦର୍ଯ୍ୟୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶା କୋଷ୍ଟାଲ୍‌ ସର୍କିଟ୍‌ ଅନ୍ତର୍ଗତ ଗୋପାଳପୁର, ତାମ୍ପରା, ବରକୁଳ ଓ ସାତପଡ଼ାର ସୌନ୍ଦର୍ଯ୍ୟୀକରଣ ପ୍ରସ୍ତାବର ସଂଶୋଧିତ ଡିପିଆର୍‌ ଜାତୀୟ ଆର୍ଦ୍ରଭୂମି କମିଟି ନିକଟରେ ଦାଖଲ କରାଯାଇଛି। ସେ କମିଟି ରିପୋର୍ଟ ପ୍ରଦାନ କରିବା ପାଇଁ ଏନ୍‌ଜିଟିକୁ ୧୨ ସପ୍ତାହ ସମୟ ମାଗିଛନ୍ତି। ଏନ୍‌ଜିଟି ଏହାକୁ ମଂଜୁର କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଆବେଦନକାରୀ ଶ୍ରୀ ମହାନ୍ତିଙ୍କ ତରଫରୁ ଭୁବନେଶ୍ବରର ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମକଦ୍ଦମା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe