ET HealthWorld
ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମା ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ବରେ ବି ବେଆଇନ ଡାଇଗ୍ନୋଷ୍ଟିକ୍ ସେଣ୍ଟର, ପାଥଲୋଜି ଆଦି ଚାଲିଛି। ଦଶପଲ୍ଲା, ଓଡ଼ଗାଁ, ନୂଆଗାଁ, ଗଣିଆ, ଭାପୁର ବ୍ଲକ୍ର ଅପନ୍ତରା ଅଞ୍ଚଳରେ ମାଳ ମାଳ କ୍ବାକ୍, ଅଧାପାଠୁଆ ଡାକ୍ତର ରୋଗୀଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି। ହେଲେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ତଥା କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏନେଇ ଚଢାଉ କରୁନାହାନ୍ତି।
ଏଭଳି ସବୁ ବେଆଇନ ଅନୁଷ୍ଠାନ ପଛରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଛି ଡାକ୍ତର, ବିଭାଗୀୟ ଅଧିକାରଙ୍କ ହାତ ରହିଥିବା କୁହାଯାଉଛି। ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ତଥ୍ୟ ମୁତାବକ ନୟାଗଡ଼ ଜିଲ୍ଲାରେ ମାତ୍ର ୧୭ ଟି ପଞ୍ଜୀକୃତ ବା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ଡାଇଗ୍ନୋଷ୍ଟିକ୍ ସେଣ୍ଟର, ପାଥଲୋଜି ଆଦି ରହିଛି। ଏହି ୧୭ଟି ମଧ୍ୟରୁ ନୟାଗଡ଼ ଜିଲ୍ଲା ସଦର ମହକୁମା ତଥା ବ୍ଲକରେ ୧୪ଟି, ଖଣ୍ଡପଡ଼ାରେ ଗୋଟିଏ, ରଣପୁରରେ ୨ଟି ଆଇନସମ୍ମତ ଡାଇଗ୍ନୋଷ୍ଟିକ୍ ସେଣ୍ଟର ରହିଛି। ବାକି ୫ଟି ବ୍ଲକରେ ଆଦୌ ଆଇନସମ୍ମତ ପାଥଲୋଜି ବା ଡାଇଗ୍ନୋଷ୍ଟିକ୍ ସେଣ୍ଟର ନାହିଁ। ଏହି ଅଞ୍ଚଳରେ କିନ୍ତୁ ରୋଗୀଙ୍କର ବିଭିନ୍ନ ପରୀକ୍ଷା ଚାଲିଛି, ଡାକ୍ତର ମଧ୍ୟ ଏହି ରିପୋର୍ଟ ସବୁ ଗ୍ରହଣ କରୁଥିବା ଜଣାପଡ଼ିଛି। ଯେଉଁ ପଞ୍ଜୀକୃତ ସଂସ୍ଥା ବି ଚାଲିଛି, ସେଠାରେ ଥିବା ଏଲ୍ଟିଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ କର୍ମଚାରୀଙ୍କ ବାବଦରେ ବି ନିୟମିତ ଯାଞ୍ଚର ଆବଶ୍ୟକତା ରହିଛି। କିନ୍ତୁ ଅସଲି ହେଉକି ନକଲି କୌଣସି ଡାଇଗ୍ନୋଷ୍ଟିକ୍ ସେଣ୍ଟର ହେଉ ବା ଛୋଟ ପାଥଲୋଜି କେନ୍ଦ୍ର ଉପରେ ଚଢାଉ କରାଯାଉନାହିଁ।
ପଞ୍ଜୀକୃତ ହୋଇଥିବା ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଜଣେ ଏମ୍ବିବିଏସ୍ ଡାକ୍ତର ରହିବା କଥା। କିନ୍ତୁ ଅନେକ ସ୍ଥାନରେ କେବଳ କାଗଜପତ୍ରରେ ଡାକ୍ତରଙ୍କ ନାମ ଗଡ଼ୁଥିବା ଜଣାପଡ଼ିଛି। ସଂପୃକ୍ତ ଡାକ୍ତରମାନଙ୍କର କେବେବି ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ପାଦ ପଡ଼ୁନଥିବା ବେଳେ ମାସକୁ ମାସ କେବଳ ମୋଟା ଅଙ୍କର ଚାନ୍ଦା ନେଉଛନ୍ତି। ଏଭଳି ବିପଜ୍ଜନକ ସ୍ଥିତିକୁ ରୋଗୀମାନଙ୍କୁ ଠେଲି ଦିଆଯାଉଥିବା ବେଳେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ପାଲଟିଛନ୍ତି। ବିଭିନ୍ନ ଡାଇଗ୍ନୋଷ୍ଟିକ୍ ସେଣ୍ଟର, ପାଥଲ୍ୟାବରେ ଲାବରୋଟୋରି ଟେକ୍ନିସିଆନ୍(ଏଲ୍ଟି) ଭାବେ କାମ କରୁଥିବା ଅନେକ ବ୍ୟକ୍ତି ନକଲି ବୋଲି ଖବର ମିଳିଛି। କିଏ ପଶ୍ଚିମବଙ୍ଗ ତ କିଏ ଅନ୍ୟ କେଉଁ ରାଜ୍ୟରୁ ସାର୍ଟିଫିକେଟ୍ ହାତେଇଛନ୍ତି। ତେବେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟର ନୋଡାଲ ଅଧିକାରୀ ତଥା ଏଡିଏମ୍ଓ ଡାକ୍ତର ସୁବାସ ନାୟକ ଜିଲ୍ଲାରେ ଚାଲିଥିବା ବେଆଇନ ଡାଇଗ୍ନୋଷ୍ଟିକ୍ ସେଣ୍ଟର, ପାଥଲୋଜି ଆଦି ଘଟଣାକୁ ଅସ୍ବୀକାର କରିନାହାନ୍ତି। କିନ୍ତୁ ଏନେଇ ହେଉଥିବା ଚାନ୍ଦା କାରବାରକୁ ଖଣ୍ଡନ କରିଥିବା ବେଳେ, ଚଢାଉ ବାବଦରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି।
Follow Us