ବିଶୁଦ୍ଧ ଜଳ ନାଁରେ ଠକେଇ : ବଜାରରେ ପାଣି ପାଉଚ୍‌ ଗଦାଗଦା, ସନ୍ଦେହ ଘେରରେ ପାଣି ବୋତଲ କାରବାର

ବିଭିନ୍ନ କମ୍ପାନି ନାଁରେ ବେପାର

ବିଶୁଦ୍ଧ ଜଳ ନାଁରେ ଠକେଇ : ବଜାରରେ ପାଣି ପାଉଚ୍‌ ଗଦାଗଦା, ସନ୍ଦେହ ଘେରରେ ପାଣି ବୋତଲ କାରବାର

Gaon Connection

ବଲାଙ୍ଗୀର : ପାଣି ଜାର୍‌ ପରେ ସାମ୍ନାକୁ ଆସିଛି ପାଣି ବୋତଲ ଓ ପାଣି ପାଉଚ୍‌ର ବେଆଇନ କାରବାର। ପାଣି ନାଁରେ ଲୋକଙ୍କୁ ଏଠି ଖୋଲାଖୋଲି ଠକେଇ ଚାଲିଛି। ନାମୀଦାମୀ କମ୍ପାନି ନାଁରେ ନକଲି ପାଣି ବୋତଲ ବି ବଜାରରେ ଯାହାକୁ ଯେତେ। କେବେ ଓ କେଉଁ କମ୍ପାନିର ପାଣି ବୋତଲ ବଜାରକୁ ଆସୁଛି ତାହାର କିଛି ଠିକ୍‌ ନାହିଁ। ପାଣି ପାଉଚ୍‌ ବିକ୍ରିକୁ ସରକାରୀ ସ୍ତରରେ ରୋକ୍‌ ଲାଗିଥିଲେ ବି ଏଠି କୌଣସି ନିୟମକାନୁନ କେହି ମାନୁ ନାହାନ୍ତି। ପାଣି ପାଉଚ୍‌ ଖୋଲାଖୋଲି ବଜାରରେ ବିକ୍ରି ହେଉଛି।

publive-image IndiaMART

ବଲାଙ୍ଗୀର ସହରରେ ବିକ୍ରି ହେଉଥିବା ପାଣି କେତେ ବିଶୁଦ୍ଧ କାହାକୁ ଜଣା ନାହିଁ। ପିଇବା ପାଣି ଓ ଥଣ୍ଡା ପାଣି ନାଁରେ ଚାଲିଛି ପାଣି ଜାର୍‌, ପାଣି ବୋତଲ, ପାଣି ପାଉଚ୍‌ର ବେପାର। ପାଣି ଖାଦ୍ୟ ସାମଗ୍ରୀରେ ଯାଉଥିଲେ ବି ଫୁଡ୍‌ ଲାଇସେନ୍ସ ଅନେକଙ୍କ ପାଖରେ ନାହିଁ। ପାଣି ପରୀକ୍ଷଣ ରିପୋର୍ଟ ବି କରାଉ ନାହାନ୍ତି। ଆଉ ଏବେ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ବେଆଇନ ପାଣି ବ୍ୟବସାୟୀ ସବୁ ଛାନିଆଁ। ଏପଟେ ବଲାଙ୍ଗୀର ବଜାରରେ ପାଣି ବୋତଲ, ପାଣି ପାଉଚ୍‌ରେ ବି ବେଆଇନ କାରବାର। ନକଲି କମ୍ପାନିର ପାଣି ବୋତଲ ବଜାରକୁ ଆସୁଛି। ନାମୀଦାମୀ କମ୍ପାନି ନାଁରେ ନକଲି ପାଣି ବୋତଲ ବଜାରରେ ବିକ୍ରି ହେଉଛି। ସବୁଠୁ ଉଦ୍‌ବେଗର ବିଷୟ ଯେ ପାଣି ପାଉଚ୍‌ ବିକ୍ରି ସଂପୂର୍ଣ୍ଣ ଭାବେ ଅସିଦ୍ଧ ଘୋଷଣା ହୋଇଥିଲେ ବି ଏଠି ଖୋଲାଖୋଲି ପାଉଚ୍‌ ପାଣି ବଜାରରେ ବିକ୍ରି ହେଉଛି। କିଛିଦିନ ତଳେ ଅନୁମତିପ୍ରାପ୍ତ ପାଟଣାଗଡ଼ର ଏକ ପାଣି ବ୍ୟବସାୟୀଙ୍କ ଉପରେ ପ୍ରଶାସନ ପକ୍ଷରୁ ଚଢ଼ଉ ହୋଇଥିଲା। ସେଠାରେ ରିପେକିଂ କରାଯାଇ ଏକ୍ସପାୟରି ପାଣି ବୋତଲକୁ ପୁଣି ବଜାରକୁ ଛଡ଼ାଯାଉଥିବା ପ୍ରାଶାସନିକ ଅନୁସନ୍ଧାନରୁ ଜଣାପଡ଼ିଥିଲା। ବଲାଙ୍ଗୀର ଜିଲ୍ଲାରେ ହାତଗଣତି ୩ ଜଣ ଅନୁମତି ପାଇଥିବା ବେଳେ ସେମାନଙ୍କ କାରବାର ଉପରେ ବି ପ୍ରାଶାସନିକ କୌଣସି ତଦାରଖ ନାହିଁ। ଏସବୁ ଭିତରେ ପାଉଚ୍‌ ପାଣି କେଉଁଠୁ ଆସୁଛି? କେଉଁମାନେ ପାଣି ପାଉଚ୍‌ କାରବାରରେ ଜଡ଼ିତ? ଏହାର କୌଣସି ଖୋଜଖବର କାହା ପାଖରେ ନାହିଁ।

publive-image Naidunia

ପ୍ରଶାସନର ନିରବତାର ସୁଯୋଗ ନେଇ ପାଣି ବୋତଲରୁ ନେଇ ପାଣି ପାଉଚ୍‌ ସବୁରେ ବିଶୁଦ୍ଧ ଜଳ ନାଁରେ ଲୋକଙ୍କୁ ଠକେଇ ଚାଲିଛି। ଏ ନେଇ ଖାଦ୍ୟ ନିରୀକ୍ଷକଙ୍କ କଥା କିନ୍ତୁ ଆଶ୍ଚର୍ଯ୍ୟ କରିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ଶାଖାରେ କାର୍ଯ୍ୟରତ ଖାଦ୍ୟ ନିରୀକ୍ଷକ ବେଆଇନ ପାଣି କାରବାର ଉପରେ ସଂପୂର୍ଣ୍ଣ ନିରବ। ନିରବ ପଛରେ ବି କଣ ରହସ୍ୟ ରହିଛି ତାକୁ ନେଇ ଚାରିଆଡ଼େ ହେଲାଣି ଚର୍ଚ୍ଚା। ଏପଟେ ଉପଜିଲ୍ଲାପାଳ ବେଆଇନ ପାଣି କାରବାର ଉପରେ ପ୍ରାଶାସନିକ ଯାଞ୍ଚ ହେବ ବୋଲି କହିଛନ୍ତି। ପୌର ନିର୍ବାହୀ ଅଧିକାରୀଙ୍କ କହିବା ହେଲା, ପାଣି ପାଉଚ୍‌ ବିକ୍ରି ସଂପୂର୍ଣ୍ଣ ବନ୍ଦ ପାଇଁ ନିର୍ଦେଶ ରହିଛି। ପୂର୍ବରୁ ପୌରପାଳିକା ସ୍କ୍ୱାଡ୍‌ ଗଠନ କରି ପାଣି ପାଉଚ୍‌ ବିକ୍ରି ଉପରେ ରୋକ୍‌ ଲଗାଇଥିଲା। ଏହାରି ଭିତରେ ଯଦି ପୁଣି ପାଣି ପାଉଚ୍‌ ବିକ୍ରି ଚାଲିଛି ପୁଣି ଏକ ସ୍ୱତନ୍ତ୍ର ଅଭିଯାନ କରି ବେଆଇନ ପାଣି ପାଉଚ୍‌ ବିକ୍ରିକୁ ବନ୍ଦ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe