ବେଆଇନ ବନ୍ଧୁକ କାରଖାନା ଠାବ: ୨୦ ଦେଶୀ ବନ୍ଧୁକ ଜବତ, ୩ ଗିରଫ

ବେଆଇନ ବନ୍ଧୁକ କାରଖାନା ଠାବ: ୨୦ ଦେଶୀ ବନ୍ଧୁକ ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁର ଯୁଯୁମୁରା ଅଞ୍ଚଳରେ ଥିବା ବେଆଇନ୍‌ ବନ୍ଧୁକ କାରଖାନାକୁ ପୁଲିସ ଠାବ କରିଛି। ସୂଚନା ଅନୁସାରେ, ସମ୍ବଲପୁର ଜମନକିରା ଥାନା ଚିରଗୋନିଖୋଲର ଅରୁଣ ଭୋଇ ଓ ଗଣେଶ ସିଂ ବେଆଇନ ଭାବେ ବନ୍ଧୁକ ବିକ୍ରି କରୁଥିଲେ। ବିଶ୍ବସ୍ତସୂତ୍ରରୁ ସୂଚନା ପାଇବାପରେ ସମ୍ବଲପୁର ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଚିରଗୋନିଖୋଲ (ବଡ଼ରମା)ରେ ଚଢ଼ଉ କରିଥିଲା। ବିକ୍ରି ହେବାକୁ ତିଆରି ହୋଇଥିବା ଗୋଟିଏ ଡବଲ୍‌ ବ୍ୟାରେଲ୍‌ ଓ ଗୋଟିଏ ସିଙ୍ଗଲ ବ୍ୟାରେଲ୍‌ ବନ୍ଧୁକ ଜବତ କରିଥିଲା। ଉଭୟଙ୍କୁ ପଚରାଉଚରା ପରେ ବାସୁପାଲିର ବିଦ୍ୟାଧର ପ୍ରଧାନ ଓରଫ୍‌ ଇଲୁ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାପଡ଼ିଥିଲା। ଇଲୁ ତାଙ୍କ ଘରେ ବେଆଇନ ଭାବେ ବନ୍ଧୁକ ତିଆରି କରି କାରବାର ଚଳାଇଥିଲା।

ଏହା ଜାଣିବା ପରେ ଇଲୁଙ୍କ କମାରଶାଳରେ ପୁଲିସ ଟିମ୍‌ ଚଢ଼ଉ କରିଥିଲା। ସେହିସମୟରେ ଇଲୁ ପୁଲିସକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପୁଲିସ ତାଙ୍କୁ କାବୁ କରିବା ସହ ଚଡ଼ଉ ଜାରି ରଖିଥିଲା। ତାଙ୍କ ଘରୁ ପୁଲିସ ୨୦ଟି ସିଙ୍ଗଲ୍‌ ବ୍ୟାରେଲ ବନ୍ଧୁକ, ୩ଟି କାଠ ବଟ୍‌, ୪ଟି ବାରେଲ୍‌, ୨ ମୋବାଇଲ ଫୋନ୍‌, ଗନ୍‌ ପାଉଡର୍‌ ଭର୍ତ୍ତି ୭ଟି ପ୍ଲାଷ୍ଟିକ ବୋତଲ ସହ ବନ୍ଧୁକ ତିଆରି ବିଭିନ୍ନ ସାମଗ୍ରୀ ଜବତ କରିଥିଲା। ଏହି ମାମଲାରେ ସମ୍ବଲପୁର ପୁଲିସ ୩ ଅଭିଯୁକ୍ତ ଚିରଗୋନିଖୋଲର ଗଣେଶ ସିଂ(୩୯) ଓ ଅରୁଣ ଭୋଇ(୨୨) ଓ ଇଲୁ (୫୬)ଙ୍କୁ ଗିରଫ କରିଥିବା ଏସ୍‌ପି ମୁକେଶ ଭାମୁ ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe