adaderana.lk
ବ୍ରହ୍ମପୁର : କିଛିଦିନର ନିରବତା ପରେ ବ୍ରହ୍ମପୁର ସହରରେ ବେଆଇନ ଭାବେ ପ୍ରସ୍ତୁତ କରାଯାଉଥିବା ଗୁଟ୍ଖା କାରଖାନା ଉପରେ ପୁଲିସ ଚଢ଼ଉ କରିଛି। ବଡ଼ବଜାର ଥାନା ପୁଲିସ ଏହି ବେଆଇନ ଗୁଟ୍ଖା କାରଖାନାକୁ ସିଲ୍ କରିବା ସହ ସେଠାରୁ ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। ଏଥିସହ ବାହାରକୁ ଚାଲାଣ ପାଇଁ ଗଚ୍ଛିତ ରହିଥିବା ୭୮୦କେଜିର ଗୁଟ୍ଖା ପୁଲିସ ଜବତ କରି ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ଗୁରୁମୂର୍ତ୍ତି ପେଣ୍ଠର ଟୁକୁନା ସାହୁ (୪୦)। ତେବେ ଉକ୍ତ କାରଖାନା ଚଳାଇ ବେଆଇନ୍ ଗୁଟ୍ଖା ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ସକ୍ଷମ ହୋଇନାହିଁ। ଏନେଇ ଥାନାରେ କେସ୍ନଂ ୨୦୧/୨୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।
ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଜାରି ପ୍ରେସ୍ ବାର୍ତ୍ତା ଅନୁସାରେ, ଆଜି ସକାଳେ ଗଣେଶ ବଜାର ସ୍ଥିତ ବିନାୟକ ଭବନର ଏକ କୋଠରିରେ ବେଆଇନ୍ ଭାବେ ଗୁଟ୍ଖା ଗଚ୍ଛିତ ରହିଥିବା ଖବର ପାଇ ବଡ଼ବଜାର ଥାନା ପୁଲିସ ଚଢ଼ଉ କରିଥିଲା। ସେଠାରୁ ବାହାରକୁ ଚାଲାଣ ହେବା ପାଇଁ ରଖାଯାଇଥିବା ୭୮୦କେଜି(୨୬ବସ୍ତା) ଗୋକୁଲ୍ ଡିଲକ୍ସ ମିକ୍ସ ଜବତ କରିବା ସହ ଟୁକୁନାକୁ ଗିରଫ କରିଥିଲା। ତାକୁ ଅଧିକ ପଚାରାଉଚରା ବେଳେ ନକଲି ଗୁଟ୍ଖା ପ୍ରସ୍ତୁତ ହେଉଥିବା ସ୍ଥାନ ଏବଂ ଏହି ବେଆଇନ୍ କାରବାର ଚଳାଇଥିବା ବ୍ୟକ୍ତି ସମ୍ପର୍କରେ ସୂଚନା ଦେଇଥିଲା। ବେଆଇନ ଭାବେ ଗୁଟ୍ଖା କାରଖାନା ଓ ବେପାର କରୁଥିବା ମୁଖ୍ୟ ଅଭିଯୁକ୍ତ ଜଣକ ସାର୍ଗୁଣା ସାହିର ନାରାୟଣ ସାହୁ ବୋଲି ପୁଲିସ କହିଛି।
Follow Us