ଦଶପଲ୍ଲାରେ ବେଆଇନ ହସ୍ପିଟାଲ: ବିନା ପଞ୍ଜୀକରଣରେ ରୋଗୀ ସେବା, ଅଘଟଣ ହେଲେ ଦାୟୀ ହେବ କିଏ?

Advertisment

‘ସମ୍ବାଦ’ ଅନୁସନ୍ଧାନ ପରେ ରୋଗୀଙ୍କୁ ବିଦା କରିଦେଲେ

‘ସମ୍ବାଦ’ ଅନୁସନ୍ଧାନ ପରେ ରୋଗୀଙ୍କୁ ବିଦା କରିଦେଲେ

ଦଶପଲ୍ଲାରେ ବେଆଇନ ହସ୍ପିଟାଲ: ବିନା ପଞ୍ଜୀକରଣରେ ରୋଗୀ ସେବା, ଅଘଟଣ ହେଲେ ଦାୟୀ ହେବ କିଏ?

ନୟାଗଡ଼/ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ହନୁମାନ ବଜାରରେ ହେଲ୍‌ଥ କେୟାର ହସ୍ପିଟାଲ ନାମରେ ଏକ ବେଆଇନ ହସ୍ପିଟାଲ ଚାଲିଛି। ଗତ ୨୯ ତାରିଖରେ ଏହି ହସ୍ପିଟାଲ ଉଦ୍‌ଘାଟିତ ହୋଇଥିଲା। ଏଠାରେ ପ୍ରସବ, ଅପରେସନ୍‌ଠାରୁ ଆରମ୍ଭ କରି ବିଭିନ୍ନ ରୋଗୀ ସେବା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଡ଼ିଶା ସରକାରଙ୍କ କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆଇନ ଅନୁଯାୟୀ ଏହା ଏପର୍ଯ୍ୟନ୍ତ ପଞ୍ଜୀକୃତ ‌‌ହୋଇନାହିଁ। କାହା ସାହସରେ ଏହି ବେଆଇନ ହସ୍ପିଟାଲ କର୍ତ୍ତୃପକ୍ଷ ଚଳାଇଛନ୍ତି ବୋଲି ପ୍ରଶ୍ନ ଉଠିଛି।

କେବଳ ସେତିକି ନୁହେଁ, ପ୍ରଥମେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍‌ ଆଇନରେ ପଞ୍ଜୀକୃତ ହେବା ପରେ ପିସିପିଏନ୍‌ଡିଟି ଆଇନ ଅନୁଯାୟୀ ଏକ ହସ୍ପିଟାଲ ପଞ୍ଜୀକରଣ ହୋଇପାରିବ। ପିସିପିଏନ୍‌ଡିଟି ପଞ୍ଜୀକରଣ ପରେ ହିଁ ଜଣେ ଗର୍ଭଧାରଣ କରିଥିବା ମହିଳାଙ୍କ ଶିଶୁର ଅବସ୍ଥା କିପରି ଅଛି ଆଦିର ପରୀକ୍ଷା କରିପାରିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜ୍ଞାତସାରରେ ଏସବୁ ହେବା କଥା। କିନ୍ତୁ ବିନା ପଞ୍ଜୀକରଣରେ ଏହି ହସ୍ପିଟାଲରେ ସୋନୋଗ୍ରାଫି, ଏକ୍ସରେଠାରୁ ଆରମ୍ଭ କରି ଅପରେସନ୍‌ ଆଦି ଚାଲିଥିବା ଜଣାପଡ଼ିଛି। ବହୁ ମହିଳା, ପୁରୁଷ ରୋଗୀଙ୍କ ଏଠାରେ ସେବା ସରିଥିବା ଖବର ମିଳୁଥିବା ବେ‌ଳେ, ସାକେଣୀ ଅଞ୍ଚଳର ଜଣେ ମହିଳାଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ମଧ୍ୟ କରାଯାଇଥିବା ଜଣାପଡ଼ିଛି।

ଏହି ହସ୍ପିଟାଲ ବାବଦରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ) ତଥା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍‌ ଆଇନ ଓ ପିସିପିଏନ୍‌ଡିଟିର ଜିଲ୍ଲା ନୋଡାଲ ଅଧିକାରୀ ଡାକ୍ତର ସୁବାସ ନାୟକ କହିଛନ୍ତି ଯେ ଦଶପଲ୍ଲାରେ ହେଲ୍‌ଥ କେୟାର ହସ୍ପିଟାଲ ନାମରେ କୌଣସି ହସ୍ପିଟାଲ ପଞ୍ଜୀକୃତ ହୋଇନାହିଁ। ଏନେଇ ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି। ଏ ବାବଦରେ ହେଲ୍‌ଥ କେୟାର ହସ୍ପିଟାଲର ମାଲିକଙ୍କ ପ୍ରତିକ୍ରିୟା ମିଳିନଥିବା ବେ‌ଳେ, ମ୍ୟାନେଜର ସୌମ୍ୟତ୍‌ ବେହେରା କହିଛନ୍ତି, କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍‌ ଆଇନ ଅନୁଯାୟୀ ପଞ୍ଜୀକରଣ ପାଇଁ ଆମେ ଆବେଦନ କରିଛୁ। ତେବେ ଆମ ହସ୍ପିଟାଲ ଖୋଲାଯାଇଥିବା ବେଳେ ରୋଗୀ ସେବା ନେଇ ମୁଁ ଜାଣିନଥିବା ସେ ସଫେଇ ଦେଇଛନ୍ତି। ଯଦି ରୋଗୀ ସେବା ହୋଇଛି, କ’ଣ ଅସୁବିଧା ହୋଇଛି ବୋଲି ଓଲଟି ପ୍ରଶ୍ନ କରିଛନ୍ତି।

‘ସମ୍ବାଦ’ ଅନୁସନ୍ଧାନ ପରେ ରୋଗୀଙ୍କୁ ବିଦା କରିଦେଲେ
ନୟାଗଡ଼ : ଉଦ୍‌ଘାଟନରୁ ପ୍ରାୟ ୪ ଦିନ ହେବ ଏଠାରେ ବେଆଇନ ରୋଗୀ ସେବା ଚାଲିଥିବା ଖବର ମିଳିବା ପରେ ‘ସମ୍ବାଦ’ ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଇଥିଲା। ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ସୂତ୍ରରୁ ଖବର ପାଇବା ପରେ ରୋଗୀଙ୍କୁ ତୁରନ୍ତ ସୋମବାର ସନ୍ଧ୍ୟାରେ ବିଦା କରିଦେଇଥିବା ଜଣାପଡ଼ିଛି। ଏନେଇ ‌ଖୋଦ୍‌ ରୋଗୀଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଦଶପଲ୍ଲା ସାକେଣୀର ଜଣେ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇ ପ୍ରସବ କରିଯାଇଥିବା ବେଳେ, ତାଙ୍କୁ ସୋମବାର ସନ୍ଧ୍ୟାରେ ବିଦା କରିଦିଆଯାଇଛି। ସମସ୍ୟା ଅଛି। ଡାକ୍ତର ଯାଇ ତମକୁ ଘରେ ଦେଖିବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସଂପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ କହିଥିବା ମହିଳାଙ୍କ ସ୍ବାମୀ ସୂଚନା ଦେଇଛନ୍ତି। ତେବେ କୌଣସି କାରଣକୁ ଭୟ କରି ଏହି ଦମ୍ପତ୍ତି ଅଧିକ କିଛି କହିବାକୁ ନାରାଜ ହୋଇଛନ୍ତି। ଏଭଳି ଅନେକ ରୋଗୀଙ୍କୁ ଆଜି ହସ୍ପିଟାଲରୁ ବିଦା କରିଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe