ବେଆଇନ ଖଣି ଖନନ କ୍ଷତି ଭରଣା ଯୋଜନା: ୧୧କୋଟି ଟଙ୍କା ଗଲା କୁଆଡ଼େ?

Advertisment

ଏନ୍‌ଜିଟିର ତାଗିଦ୍ ପରେ ଜିଲ୍ଲା ପ୍ରଶାସନର ସତ୍ୟପାଠ, ଆବେଦନକାରୀ କହିଲେ ସତ୍ୟପାଠରେ ସତ୍ୟତା ନାହିଁ

ଏନ୍‌ଜିଟିର ତାଗିଦ୍ ପରେ ଜିଲ୍ଲା ପ୍ରଶାସନର ସତ୍ୟପାଠ, ଆବେଦନକାରୀ କହିଲେ ସତ୍ୟପାଠରେ ସତ୍ୟତା ନାହିଁ

କୋଇଲା ଖଣି ନିଲାମ: ଓଡ଼ିଶାକୁ କେନ୍ଦ୍ର ଦେଲା ୧୯୯.୮୧ କୋଟି

Image Courtesy of NDTV

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ଜମିରେ ବେଆଇନ ଖଣି ଖୋଳାଯାଇ ପଥର, ମୋରମ୍‌ ଚାଲାଣ ହେଉଛି। ଜିଲ୍ଲା ପ୍ରଶାସନ ଖଣି ମାଲିକଙ୍କୁ ଛାଡ଼ି ଚାଲାଣ କରୁଥିବା ଟ୍ରକ୍‌ ଚାଳକଙ୍କୁ ଧରି ଜରିମାନା ଆଦାୟ କରୁଛି। ଏବେ ଆଉ ଗୋଟିଏ କଥା ପଦାରେ ପଡ଼ିଛି। ତାହା ହେଉଛି, ବେଆଇନ ଖଣି ଖନନ ଯୋଗୁ ପରିବେଶର‌ ଯେଉଁ କ୍ଷତି ହେଉଛି; ତାହାର ଭରଣା, ବୃକ୍ଷରୋପଣ ଓ ଖଣି ପୋତିବାଦି କାମ ପାଇଁ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୧୧ କୋଟି ଟଙ୍କାର ଯୋଜନା ଅଦୃଶ୍ୟ ହୋଇଯାଇଛି।

ନିଜିଗଡ଼ ତାପଙ୍ଗ ପଞ୍ଚାୟତରେ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ମାଙ୍କଡ଼ା (ଲେଟରାଇଟ୍) ପଥର ଖଣି ଖୋଳାକୁ ନେଇ ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ (ଏନ୍‌ଜିଟି)ରେ ମାମଲା ୨୦୧୭ ମସିହାରୁ ଚାଲିଆସିଛି। ଏନ୍‌ଜିଟି ପ୍ରତିଥର ମାମଲାର ବିଚାର କରି ଜିଲ୍ଲା ପ୍ରଶାସନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏପରିକି ଗତବର୍ଷ ଏକ ନିର୍ଦ୍ଦେଶରେ ଖଣି ମାଫିଆଙ୍କୁ ଘଣ୍ଟ ଘୋଡ଼ାଇବାକୁ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି ବୋଲି ମଧ୍ୟ ଭର୍ତ୍ସନା କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୫ ତାରିଖରେ ରହିଛି। ତେବେ ୨୦୨୧ ଜୁଲାଇ ଓ ସେପ୍ଟେମ୍ବର ମାସରେ ଏନ୍‌ଜିଟି ପ୍ରଶାସନକୁ ତାଗିଦ୍‌ କରି ବେଆଇନ ଖଣି ଖନନ ଓ ଚାଲାଣ ବନ୍ଦ କରିବାକୁ କ’ଣ ପଦକ୍ଷେପ ନେଇଛନ୍ତି, ସେନେଇ ସତ୍ୟପାଠ ଜରିଆରେ ଜବାବ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ୨୦୨୧ ମସିହା ଡିସେମ୍ବର ୬ ତାରିଖରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ଜିଲ୍ଲାରେ ୧୧ କୋଟି ୭୫ ଲକ୍ଷ ଟଙ୍କାର ବେଆଇନ ଖଣିର କ୍ଷତି ଭରଣା ଯୋଜନା କାର୍ଯ୍ୟକାରୀ ହୋଇଥିବା ଦର୍ଶାଇଛନ୍ତି। ଏହା ବିରୋଧରେ ଆବେଦନକାରୀ ବିଦୁଭୂଷଣ ହରିଚନ୍ଦନ ମଧ୍ୟ ଅତିରିକ୍ତ ସତ୍ୟପାଠ ଦାଖଲ କରିଛନ୍ତି। ନିଜ ସତ୍ୟପାଠରେ ଶ୍ରୀ ହରିଚନ୍ଦନ ଦର୍ଶାଇଛନ୍ତି ଯେ, ଜିଲ୍ଲା ପ୍ରଶାସନର ଏହି ସମସ୍ତ ତଥ୍ୟ ଭୁଲ। ଅନୁଧ୍ୟାନରୁ ଜଣାଯାଇଛି ଯେ, ମିନ‌େରାଲ୍ ଡେଭଲପ୍‌ମେଣ୍ଟ୍‌ ଫଣ୍ତରେ ସେହି ଅଞ୍ଚଳରେ ଜଳ ଯୋଗାଇବା ପାଇଁ ପାଣି ଟ୍ୟାଙ୍କର ଓ ସ୍କୁଲ ଆଦିକୁ ଅନୁଦାନ ବ୍ୟତୀତ ଅନ୍ୟ କିଛି କାମ ହୋଇନାହିଁ।

ଏବେ ପ୍ରଶ୍ନ ଉଠୁଛି ଯେ ଜିଲ୍ଲା ପ୍ରଶାସନର ଯେଉଁ ୧୧କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବା କଥା କହୁଛନ୍ତି, ତାହା କେଉଁଠି କରାଯାଇଛି? ଏହି ପରିପ୍ରେକ୍ଷୀରେ ତାପଙ୍ଗ, ଅଣ୍ତା, ଝିଙ୍କିଝରିର ବାସିନ୍ଦାଙ୍କର ନିର୍ଦ୍ଦିଷ୍ଟ ମତ ରହିଛି। ସେମାନଙ୍କ କହିବା କଥା, ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ଏକ ଏନ୍‌ଜିଓ ସଂସ୍ଥା ଦ୍ବାରା ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଛି। ଏବଂ, କ୍ଷତିଭରଣା ନାମରେ ୧୪ଶ ଅର୍ଥ କମିସନ, ବ୍ଲକ୍‌ ଉନ୍ନୟନ ପାଣ୍ଠି, ଗ୍ରାମ୍ୟ ଉନ୍ନୟନ ପାଣ୍ଠିର ଅନୁଦାନରେ ନିର୍ମିତ ପ୍ରକଳ୍ପ ସ୍ଥାନରେ ‘କ୍ଷତିଭରଣା ପାଣ୍ଠି’ର ଫଳକ ଲଗାଯାଇ ଫ ଟୋ ଉଠାଇ ପ୍ରଶାସନ ନିଜର ଯୋଜନାକୁ କାର୍ଯ୍ୟକାରୀ କରିଛି। ଏନ୍‌ଜିଟି ଏହି ଜାଲିଆତି ସମ୍ପର୍କରେ ସଚେତନ ରହିଛି। ଯେଉଁଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲାପାଳ, ଏସ୍‌ଇଆଇଏଏର ଯୁଗ୍ମ ଟିମ୍‌ ଏହି ଯୋଜନାରେ କରାଯାଇଥିବା କାର୍ଯ୍ୟର ସବିଶେଷ ବିବରଣୀ ୪ ମାସ ମଧ୍ୟରେ ଦେବାକୁ କହିଥିଲେ। ଏପରିକି; କେବଳ ଫ ଟୋ ନୁହେଁ, ଖୋଜିବା ଯୋଗ୍ୟ ପିଡିଏଫ୍ ଓ ଓସିଆର୍ ସହଯୋଗୀ ଫର୍ମାଟ୍‌ରେ ଦାଖଲ କରିବା ସହ ଏହାର ନକଲ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ୱେବ୍‌ସାଇଟ୍‌ରେ ପ୍ରକାଶ କରିବାକୁ ୨୦୨୧ ମସିହା ଡିସେମ୍ବର ୨୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏହି ରିପୋର୍ଟ ଏଯାଏଁ ସିପିସିବି ପ୍ରକାଶିତ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe