Sambad English
ଯାଜପୁର/ଚଣ୍ଡିଖୋଲ : ଦୀର୍ଘ ଦିନ ହେଲା ଦର୍ପଣ ତହସିଲ ଓ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ପାହାଡ଼ରେ ଚାଲିଥିବା ଚୋରା ମୋରମ୍ ଖାଦାନ କାରବାର ପର୍ଦ୍ଦାଫାସ ହୋଇଛି। ଏହି ଖାଦାନରେ ଗତକାଲି ତହସିଲ ଓ ପୁଲିସ ମିଳିତ ଚଢ଼ଉ କରି ଏକ ମେସିନ, ୫ ହାଇୱା, ଏକ ଟିପରକୁ ଜବତ କରିଛନ୍ତି। ଚୋରା ମୋରମ୍ କାରବାରରେ ନିୟୋଜିତ ମେସିନ୍ଟି ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କର ବୋଲି ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ଖେଳିଯାଇଛି। ଏହି ଘଟଣାରେ ଶ୍ରୀ ବେହୁରାଙ୍କ ମେସିନର ଡ୍ରାଇଭର ମଣ୍ଟୁ ମହାନ୍ତି (କଙ୍କଡ଼ାହାଡ଼) ଓ ଏକ ଗାଡ଼ିର ଡ୍ରାଇଭର ମହେଶ୍ବର ପ୍ରାଧନ (ଜେନାପୁର)ଙ୍କୁ ବାଲିଚନ୍ଦ୍ରପୁର ଥାନା ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଶ୍ରୀ ବେହୁରାଙ୍କ ସମେତ ଅନ୍ୟ ଗାଡ଼ିର ମାଲିକ ଓ ଫେରାର ହୋଇଯାଇଥିବା ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏପରିକି ଶ୍ରୀ ବେହୁରାଙ୍କୁ ଗିରଫ କରିବା ପାଇଁ ଧର୍ମଶାଳା ଥାନା ଅଧୀନ ଜାରକା ବଜାରସ୍ଥିତ ତାଙ୍କ ଘରେ ବାଲିଚନ୍ଦ୍ରପୁର ଥାନା ପୁଲିସ ଚଢ଼ଉ କରିଥିଲେ। ଶ୍ରୀ ବେହୁରା ଫେରାର ହୋଇଯାଇଛନ୍ତି।
ପ୍ରକାଶ ଥାଉକି ଗତକାଲି ଅପରାହ୍ଣରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସ ଓ ବାଲିଚନ୍ଦ୍ରପୁର ଥାନାଧିକାରୀ ରମାକାନ୍ତ ମୁଦୁଲିଙ୍କ ନେତୃତ୍ବରେ ମାଣ୍ଡୁକା ପାହାଡ଼ ଉପରେ ଚଢ଼ଉ କରିଥିଲେ। ଏଠାରେ ୧୨ଏକର ପାହାଡ଼ରୁ ମୋରମ ଉତ୍ତୋଳନ ପାଇଁ ଲିଜ୍ଧାରୀ ହର ପ୍ରସାଦ ସେନାପତିଙ୍କୁ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ବର୍ଷକୁ ୧କୋଟି ଟଙ୍କା ହିସାବରେ ଲିଜ୍ ଦିଆଯାଇଛି। ମାତ୍ର ଅଣଲିଜ ଅଞ୍ଚଳରୁ କୋଟିକୋଟି ଟଙ୍କାର ଚୋରା ମୋରମ ନିୟମିତ ଚାଲାଣ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ତହସିଲ ଓ ପୁଲିସ ଗତକାଲି ଚୋରା ମୋରମ ଖାଦାନ ଉପରେ ଚଢ଼ଉ କରି ଗାଡ଼ିଗୁଡ଼ିକ ଜବତ କରିଥିଲେ।
ଏହି ଘଟଣାରେ ୨ଜଣ ଡ୍ରାଇଭର ଗିରଫ ହୋଇଥିବାବେଳେ ଅନ୍ୟ ଗାଡ଼ିଗୁଡ଼ିକର ଡ୍ରାଇଭର, ମାଲିକ ଓ ମେସିନର ମାଲିକ ଶ୍ରୀ ବେହୁରା ଫେରାର ହୋଇଯାଇଥିବା ପୁଲିସ କହିଛି। ଏ ବିଷୟରେ ଏସ୍ପି ଭିନୀତ ଅଗ୍ରୱାଲ କହିଛନ୍ତି ଯେ ଘଟଣାରେ ସର୍ବେଶ୍ବର ବେହୁରାଙ୍କ ସଂପୃକ୍ତି ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଧର୍ମଶାଳା ଅଞ୍ଚଳର ଜଣାଶୁଣା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ନିଜ ଜମିରେ ବେଆଇନ ଭାବେ ମାଟି ପକାଇଥିବା ବେଳେ ଗାଡ଼ି ଓ ମେସିନକୁ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ ଜବତ କରିବା ସହିତ ମାମଲା ରୁଜୁ କରିଥିଲେ। ସେଥିରେ ଶ୍ରୀ ବେହୁରା ଗିରଫ ହେବା ସହିତ ୨ସପ୍ତାହ ଜେଲରେ ରହିଥିଲେ। ଏହି ଘଟଣାକୁ ସପ୍ତାହେ ନପୂରୁଣୁ ପୁଣି ଚୋରା ମୋରମ ଖାଦାନରୁ ତାଙ୍କ ଏକ୍ସାଭେଟର ଜବତ ହେବା ଘଟଣା ଚର୍ଚ୍ଚାକୁ ଆସିଛି। ଶ୍ରୀ ବେହୁରା ଲଘୁ ଖଣିଜ ସମ୍ପଦ ଲୁଟ୍ କାରବାରକୁ ନେଇ ଲୋକାୟୁକ୍ତଙ୍କଠାରୁ ଆରମ୍ଭ କରି ବିଭିନ୍ନ ନ୍ୟାୟାଳୟରେ ମାମଲା ରୁଜୁ କରି ଲିଜଧାରୀ, ଜିଲ୍ଲା ପ୍ରଶାସନ ଓ ସରକାରୀ ଦଳକୁ ନାକେଦମ୍ କରୁଥିବା ବେଳେ ବିଭିନ୍ନ ଦୁର୍ନୀତ କାରବାରକୁ ଲୋକଲୋଚନକୁ ଆଣି ସରକାରୀ କଳକୁ ହରଡ଼ଘଣାରେ ପକାଇଥିଲେ। ଏବେ ନିଜେ ସେହି କେଳେଙ୍କାରୀରେ ଫସିଯାଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲାରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।
Follow Us