ବୁଦ୍ଧମୂର୍ତ୍ତି ଚତୁଃପାର୍ଶ୍ବରେ ବେଆଇନ ପାର୍କିଂ

Advertisment
ବୁଦ୍ଧମୂର୍ତ୍ତି ଚତୁଃପାର୍ଶ୍ବରେ ବେଆଇନ ପାର୍କିଂ

ବଡ଼ଚଣା: ୧୬ ନମ୍ବର ଜାତୀୟ ରାଜପଥର ଚଣ୍ତିଖୋଲ ଛକ ଶୋଭାବର୍ଦ୍ଧନ ପାଇଁ ଏଠାରେ ଭଗବାନ ବୁଦ୍ଧଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହାର ଚତୁଃପାର୍ଶ୍ବକୁ ଲୁହାବାଡ଼ ଦ୍ବାରା ଅବରୋଧ କରାଯାଇଛି। ନିକଟରେ ସ୍ବର୍ଣ୍ଣ ତ୍ରିଭୁଜ ଲଳିତଗିରି, ଉଦୟଗିରି ଓ ରତ୍ନଗିରି ରହିଛି। ଏହିସବୁ ସ୍ଥାନକୁ ଯିବାକୁ ଚଣ୍ତିଖୋଲ ଛକ ପ୍ରବେଶ ପଥ ହୋଇଥିବାରୁ ପର୍ଯ୍ୟଟକଙ୍କ ନଜର ବୁଦ୍ଧମୂର୍ତ୍ତି ଉପରେ ପଡ଼ିଥାଏ। ହେଲେ ଏବେ ଏହି ମୂର୍ତ୍ତିର ଚତୁଃପାର୍ଶ୍ବ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି।

ଲୁହାବାଡ଼ ଗୁଡ଼ିକ ଭାଙ୍ଗିଯିବାରୁ ବୁଲା ଗୋରୁଗାଈଙ୍କ ଅବାଧ ପ୍ରବେଶ ଓ ଗୋବରରେ ଏହିସ୍ଥାନ ଅପରିଷ୍କାର ହୋଇଗଲାଣି। ଏହାର ସମ୍ମୁଖ ଭାଗରେ ଅଧିକାଂଶ ସମୟରେ ଚାରିଚକିଆ ଯାନସବୁ ପାର୍କିଂ କରାଯାଉଛି। କିଛି ଅସ୍ଥାୟୀ ବ୍ୟବସାୟୀ ଏହି ସ୍ଥାନରେ ନିଜର ବ୍ୟବସାୟ ସାମଗ୍ରୀ ରଖି ବେପାର କରୁଥିବା ଦେଖାଯାଉଛି। ବହୁଦିନ ଧରି ଏଠାରେ ଏକ ପାଣିଟାଙ୍କି ବସାଯାଇଛି। ହେଲେ ଏଥିରୁ ପାଣି ବାହାରୁନାହିଁ। ଅପରିଷ୍କାର ହୋଇ ପାଣି ଟାଙ୍କିଟି ପଡ଼ିରହିଛି। ପୂର୍ବରୁ ବଡ଼ଚଣା ଥାନାଧିକାରୀ ଏହି ସ୍ଥାନକୁ ନୋପାର୍କିଂ ଜୋନ୍‌ ଘୋଷଣା କରିଥିବା ବେଳେ ଏବେ ତାହା କାର୍ଯ୍ୟକାରୀ ହେଉନାହିଁ। ଏହାର ମାତ୍ର ୫୦ ମିଟର ଦୂରରେ ଟ୍ରାଫିକ୍‌ ପୋଷ୍ଟ୍‌ ରହିଛି। ପ୍ରତିଦିନ ଏଠାରେ ଟ୍ରାଫିକ୍‌ କର୍ମଚାରୀ କାର୍ଯ୍ୟକରୁଥିବା ବେଳେ ବୁଦ୍ଧମୂର୍ତ୍ତି ନିକଟରୁ ପାର୍କିଂ ହଟାଇବାକୁ ଚେଷ୍ଟା କରୁନାହାନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe