Times of India
ଦେବଗଡ଼: ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଶୁକ୍ରବାର ବାରକୋଟ ଥାନା ପୁଲିସ ଜୟପିଛୁଳା ଗ୍ରାମର ମହାନ୍ତି ମୁଣ୍ଡା (୨୫)କୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ, ଦୁର୍ଗା ପୂଜା ଉପଲକ୍ଷେ ଜିଲ୍ଲାର ସମସ୍ତ ଥାନାଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ସ୍ବତନ୍ତ୍ର ପାଟ୍ରୋଲିଂ ଚାଲିଥିବା ବେଳେ ଗତକାଲି ରାତିରେ ବାରକୋଟ ଥାନା ଅନ୍ତର୍ଗତ ଜୟପିଛୁଳା ଗ୍ରାମରେ ଜଣେ ଯୁବକ ବେଆଇନ ଭାବେ ବନ୍ଧୁକ ରଖିଥିବା ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା।
ସୂଚନା ଆଧାରରେ ଗାଁ’ର ମହାନ୍ତି ମୁଣ୍ଡା ଘରେ ଚଢ଼ଉ କରି ଏକ ଦେଶୀ ବନ୍ଧୁକ ଓ ଗୁଳି ଜବତ କରିବା ସହିତ ମହାନ୍ତିକୁ ଗିରଫ କରାଯାଇଥିବା ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପ୍ରମୋଦ ରଥ ସୂଚନା ଦେଇଛନ୍ତି। ବାରକୋଟ ଥାନା ପୁଲିସ ଗିରଫ ଅଭିଯୁକ୍ତ ମହାନ୍ତିକୁ କୋର୍ଟ ଚାଲାଣ କରିଛି। ସାମ୍ବାଦିକ ସମ୍ମିଳନୀରେ ଡିଏସପି (ଡିଆଇବି) ପ୍ରଦୀପ କେରକେଟା, ବାରକୋଟ ଥାନାଧିକାରୀ କନକ ମାଝୀ ଉପସ୍ଥିତ ଥିଲେ।
Follow Us