ଏଜି ସ୍କାନରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ହୋଇଥିବା ବେଆଇନ ନିଯୁକ୍ତି

Advertisment

ଅଡିଟ୍‌ରେ ଧରାପଡ଼ିଲା ସାଂଘାତିକ ତ୍ରୁଟି, ଏଜି ମାଗିଲେ ରିପୋର୍ଟ

ଅଡିଟ୍‌ରେ ଧରାପଡ଼ିଲା ସାଂଘାତିକ ତ୍ରୁଟି, ଏଜି ମାଗିଲେ ରିପୋର୍ଟ

ଏଜି ସ୍କାନରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ହୋଇଥିବା ବେଆଇନ ନିଯୁକ୍ତି

educationiconnect.com

ପିଏଚ୍‌ଡି ନଥାଇ କାଗଜପତ୍ରରେ ଦେଖେଇଦେଲେ
ଯୋଗ୍ୟଙ୍କୁ ଉପେକ୍ଷା, କର୍ତ୍ତୃପକ୍ଷ ମାନିଲେ ଭୁଲ୍

ବାରିପଦା : ଆକାଉଣ୍ଟଟାଣ୍ଟ୍ ଜେନେରାଲ(ଏଜି)ଙ୍କ ସ୍କାନରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ହୋଇଥିବା ପୁଳାପୁଳା ଦୁର୍ନୀତିର ଫର୍ଦ୍ଦ। ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ୨୯ ଜୁଲାଇ ୨୦୧୫ରେ ପ୍ରସନ୍ନ କୁମାର ପାତ୍ରଙ୍କୁ ରିଡର ଭାବେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା। ଯଦିଓ ଶ୍ରୀ ପାତ୍ରଙ୍କ ଯୋଗ୍ୟତା ପିଏଚ୍‌ଡି ନୁହେଁ, ତଥାପି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିନ୍ତୁ ତାଙ୍କୁ ପିଏଚ୍‌ଡି ଦର୍ଶାଇ ନିଯୁକ୍ତି ପତ୍ର ଦେଇଥିଲେ। ଏପରିକି ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟରେ ମଧ୍ୟ ଶ୍ରୀ ପାତ୍ରଙ୍କ ନାମ ପୂର୍ବରୁ ପିଏଚ୍‌ଡି ଡିଗ୍ରୀ ଧାରକ ଭାବେ ଡକ୍ତର ଉପାଧି ଲଗାଇ ତଥ୍ୟ ଅପଲୋଡ୍ କରାଯାଇଥିଲା। ଏପରିକି ବିଭିନ୍ନ ସମୟରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଶ୍ରୀ ପାତ୍ରଙ୍କ ନାମ ପୂର୍ବରୁ ଡକ୍ତର ଲଗାଇ ସେ ପିଏଚ୍‌ଡି ହୋଲ୍ଡର ବୋଲି ପ୍ରମାଣ କରିବାକୁ ଭରପୁର ପ୍ରୟାସ କରିଛନ୍ତି। ଏନେଇ ଯୋଗ୍ୟତା ଥାଇ ମଧ୍ୟ ଉପେକ୍ଷିତ ହୋଇଥିବା ଅନ୍ୟ ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଥିଲେ। ହୋଇଥିବା ଏହି ସାଂଘାତିକ ତ୍ରୁଟି ସମ୍ପର୍କରେ ଏଜି’ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ୨୮ ଜୁଲାଇରୁ ୨୦୧୭ରୁ ୧୯ ଅଗଷ୍ଟ ୨୦୧୭ ମଧ୍ୟରେ ଏକ ଅଡିଟ୍ କରାଯାଇଥିଲା। ଆଉ ଏହି ଅଡିଟ୍‌ରେ ଧରାପଡ଼ିଥିଲା ବିଶ୍ୱବିଦ୍ୟାଳୟରେ ହୋଇଥିବା ବେଆଇନ ନିଯୁକ୍ତି ଓ ଆର୍ଥକ ହେରଫେର ଭଳି ଗୁରୁତର ତ୍ରୁଟି। ଏନେଇ ଏଜି ଅଫିସ୍ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ଚଳିତ ବର୍ଷ ଜୁନ୍ ୧୧ରେ ଏକ ବିଭାଗୀୟ ତଦନ୍ତ ରିପୋର୍ଟ ମାଗିଥିଲେ। ତତ୍ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବର୍ତ୍ତମାନର କୁଳସଚିବ ପି କେ ଶତପଥୀଙ୍କୁ ଏନେଇ ୧୫ ଦିନ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବାକୁ ୮ ଜୁଲାଇ ୨୦୨୦ରେ ଚିଠି ଲେଖିଥିଲେ। ମାତ୍ର ୧୫ ଦିନରୁ ଊର୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏଯାଏ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭାଗକୁ କୌଣସି ରିପୋର୍ଟ ପ୍ରଦାନ କରାଯାଇନାହିଁ। ଓଲଟି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରିପୋର୍ଟ ମିଳିବାରେ ବିଳମ୍ବକୁ ନେଇ ଏକ ରିମାଇଣ୍ଡର୍ ଚଳିତ ମାସ ୨୧ରେ ପଠାଇଛନ୍ତି।

publive-image agodi.cag.gov.in

ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ସାଂଘାତିକ ତ୍ରୁଟିକୁ ଆଜି ମାନିଛନ୍ତି କୁଳସଚିବ ଶ୍ରୀ ଶତପଥୀ। ଏଜି ଅଫିସରୁ ମଗାଯାଇଥିବା ରିପୋର୍ଟ ସମ୍ପର୍କରେ ବିଶ୍ୱବିଦ୍ୟାଳୟରେ ଏକ କମିଟି ଗଠନ କରାଯାଇଛି। ଦିନେ ଦୁଇଦିନ ମଧ୍ୟରେ ଏନେଇ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ। ତତ୍କାଳୀନ ସମୟରେ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ତ୍ରୁଟି କାରଣରୁ ଏପରି ହୋଇଥିବା କୁଳସଚିବ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି। ସିଲେକ୍ସନ ବୋର୍ଡରେ ଥିବା ଅଧିକାରୀଙ୍କ ଭୁଲ୍ କାରଣରୁ ଏପରି ହୋଇଥିବା ସେ ପ୍ରକାଶ କରିଛନ୍ତି। ତେବେ ବିଶ୍ୱବିଦ୍ୟାଳୟରେ ହୋଇଥିବା କେବଳ ଏହି ଗୋଟିଏ ଅନିୟମିତତାକୁ ନେଇ ଏଜି ରିପୋର୍ଟ ମାଗିନାହାନ୍ତି। ଆହୁରି ଏକାଧିକ ବେଆଇନ କାର୍ଯ୍ୟକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି। କୁଳାଧିପତିଙ୍କ କାର୍ଯ୍ୟାଳୟରୁ କୌଣସି ନିର୍ଦ୍ଦିଷ୍ଟ ଆଦେଶ ବିନା ମଧ୍ୟ ବିଶ୍ୱବିଦ୍ୟାଳୟରେ ବିଶ୍ୱନାଥ ରଥ ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ଯାହାକି ବିଶ୍ୱବିଦ୍ୟାଳୟରେ ନନ୍‌ଟିଚିଙ୍ଗ୍ କର୍ମଚାରୀ ନିଯୁକ୍ତି ଅଧିନିୟମ ଏବଂ ସାଧାରଣ ପ୍ରଶାସନ ବିଭାଗର ରହିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ନିୟମକୁ ଉଂଲଘନ କରିଥିବା ଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦ ଜୁନ୍ ୨୦୧୫ରେ ଏହି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।

publive-image CareerIndia

ସେହିପରି ସେଲ୍ଫ ଫାଇନାନ୍ସିଂ କୋର୍ସରେ ଶିକ୍ଷକ ନିଯୁକ୍ତିକୁ ନେଇ ମଧ୍ୟ ଏଜି ଆପତ୍ତି ଉଠାଇଛନ୍ତି। ଏହିପରି ଏକାଧିକ ବେଆଇନ୍ କାର୍ଯ୍ୟକଳାପ ଏବଂ ଆର୍ଥିକ ହେର୍‌ଫେରକୁ ନେଇ ଏଜି ସ୍କାନରରେ ରହିଛି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ। ବର୍ତ୍ତମାନର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହିପରି ସାଂଘାତିକ ତ୍ରୁଟି ହୋଇଥିବା ମାନୁଛନ୍ତି। ତଥାପି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କୌଣସି ରିପୋର୍ଟ ପ୍ରଦାନ କରିନପାରିବା ଅନେକଗୁଡ଼ିଏ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବିଶ୍ୱବିଦ୍ୟାଳୟ ସଂଘର୍ଷ ବାହିନୀର ପ୍ରତିଷ୍ଠାତା ଆବାହକ ବିଭୁଦତ୍ତ ଦାସ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe