ଭୁବନେଶ୍ବର: ଔଷଧ ଦୋକାନରେ ବେଆଇନ ଭାବେ ବିକ୍ରି ହେଉଥିବା ଗର୍ଭପାତ ବଟିକା(ଏମ୍‌ଟିପି କିଟ୍‌) ବିକ୍ରି ବିରୋଧରେ ରାଜ୍ୟବ୍ୟାପୀ ଜୋରଦାର ଚଢ଼ାଉ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଦୋକାନରେ ଚଢ଼ଉ ହୋଇଥିବା ବେଳେ ବିଭିନ୍ନ ବ୍ରାଣ୍ଡର ଏହି କିଟ୍‌କୁ ଜବତ କରାଯାଇଛି। ଏହାସହ ଅନେକ ଔଷଧ ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଏପରିକି ଅନେକଙ୍କ ଲାଇସେନ୍‌ସ ବାତିଲ କରିବା ଲାଗି ସୁପାରିସ ‌କରାଯାଇଛି। ଏହି ବେଆଇନ ବଟିକା ବିକ୍ରି ବିରୋଧରେ ଆଉ କିଛିଦିନ ପର୍ଯ୍ୟନ୍ତ ଚଢ଼ଉ ଜାରି ରହିବ ବୋଲି ଭେଷଜ ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି।  ରାଜ୍ୟରେ ଥିବା ଔଷଧ ଦୋକାନରେ ବେଆଇନ ଭାବେ ଏମ୍‌ଟିପି କିଟ୍‌ ବିକ୍ରି ହେଉଛି। ଭେଷଜ ନିର୍ଦ୍ଦେଶାଳୟର ଯାଞ୍ଚ ସମୟରେ କିଛିଦିନ ପର୍ଯ୍ୟନ୍ତ ଔଷଧ ଦୋକାନୀମାନେ ବିକ୍ରି ବନ୍ଦ ରଖୁଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ବିକ୍ରି ଜାରି ରଖୁଛନ୍ତି। ବିନା ଡାକ୍ତରୀ ପ୍ରେସ୍‌କ୍ରିପସନ୍‌ରେ ଏସବୁ କିଟ୍‌ ବିକ୍ରି ହେଉଥିବାରୁ ଏହାର ବିରୋଧରେ ଜୋରଦାର ଚଢ଼ଉ ଅଭିଯାନ ଆରମ୍ଭ କରିବା ଲାଗି ଚଳିତ ମାସ ୨୧ତାରିଖରେ ଭେଷଜ ନିର୍ଦ୍ଦେଶକ ପତ୍ର ଲେଖିଥିଲେ। ଏହା ପରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଚଢ଼ଉ ଜାରି ଆରମ୍ଭ ହୋଇଛି। ସି ଏଣ୍ଡ ଏଫ୍‌ ଏଜେଣ୍ଟ, ହୋଲ୍‌ସେଲର, ଖୁଚୁରା ଔଷଧ ଦୋକାନରେ ଡ୍ରଗ୍‌ ଇନ୍‌ସ୍ପେକ୍ଟରମାନେ ଏମ୍‌ଟିପି କିଟ୍‌କୁ ନେଇ ତନାଘନା ଜାରି ରଖିଛନ୍ତି। 

Advertisment

Bhadrak BJD: ଆସ୍ଥା ଅନାସ୍ଥାକୁ ନେଇ କୁହୁଳୁଛି ଭଦ୍ରକଜିଲ୍ଲା ରାଜନୀତି

Youth Meeting: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ‘ଆଦର୍ଶ ଯୁବ ଗ୍ରାମସଭା’

ଭେଷଜ ନିର୍ଦ୍ଦେଶାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଢ଼ଉ ବେଳେ ଯେଉଁ ଔଷଧ ଦୋକାନରେ ଏଭଳି ବେଆଇନ ବିକ୍ରି ନଜରକୁ ଆସିଛି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଏପରିକି ନିୟମିତଭାବେ ନିୟମର ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ଲାଇସେନ୍‌ସକୁ ବାତିଲ୍ କରାଯିବ। ଭୁବନେଶ୍ବରର ଏଡିସି ସର୍କଲ-୧ ଅଧୀନରେ ଗତ ୩ଦିନ ଭିତରେ ୧୧ଟି ହୋଲ୍‌ସେଲ୍‌ର ଓ ମେଡିକାଲ ଷ୍ଟୋର ଉପରେ ଚଢ଼ାଉ କରାଯାଉଛି। ଏଥିରୁ ୭ଟି ମେଡିକାଲ ଷ୍ଟୋରକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଏହାସହ ଅନ୍ୟ ସର୍କଲରେ ମଧ୍ୟ ଚଢ଼ାଉ ଜାରି ରହିଛି। ଭେଷଜ ନିର୍ଦ୍ଦେଶକ ମାମିନା ପଟ୍ଟନାୟକ କହିଛନ୍ତି, ବିନା ପ୍ରେସ୍‌କ୍ରିପସନ୍‌ରେ ଯୁବପିଢ଼ି ଏମ୍‌ଟିପି କିଟ୍‌ ବ୍ୟବହାର କରିବା ଅନେକ ସମସ୍ୟା ଆଣୁଛି। ପୂର୍ବରୁ ଏହାକୁ ନେଇ କେବଳ ଯାଞ୍ଚ ହେଉଥିବା ବେଳେ ଏବେ କଠୋର ପଦକ୍ଷେପ ନିଆଯିବ। କାରଣ ଦର୍ଶାଅ ନୋଟିସ୍ ପରେ ଦୋକାନୀଙ୍କ ଲାଇସେନ୍‌ସ ବାତିଲ କରାଯିବ। ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରତିମାସରେ ସ୍ବତନ୍ତ୍ର ଅଭିଯାନ କରାଯାଉଛି।

Medicine