ବ୍ରାହ୍ମଣୀ-କେଲୁଅରୁ ବେଆଇନ ବାଲି ଲୁଟ୍‌

Advertisment
ବ୍ରାହ୍ମଣୀ-କେଲୁଅରୁ ବେଆଇନ ବାଲି ଲୁଟ୍‌

ଧର୍ମଶାଳା: ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରବାହିତ ବ୍ରାହ୍ମଣୀ ଓ କେଲୁଅ ନଦୀରୁ ବେଆଇନ ଭାବେ ବାଲି ଲୁଟ୍ ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନର ନିଷ୍କ୍ରିୟତା ପାଇଁ ମାଫିଆମାନେ ଦିନ ଦ୍ବିପ୍ରହରରେ ମେସିନ୍ ଲଗାଇ ହାଇୱା, ଟ୍ରକ୍ ଓ ଟ୍ରାକ୍ଟରରେ ହଜାର ହଜାର ଟ୍ରିପ୍ ବାଲି ଉଠାଇ ନେଉଛନ୍ତି। ଏଥିପାଇଁ ନଦୀ ତଟବର୍ତ୍ତୀ ଲୋକେ ବିପଦର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟ ସରକାରଙ୍କର ବିପୁଳ ପରିମାଣର ରାଜସ୍ବହାନି ହେଉଛି।

ଯେଉଁ କେତେକ ବାଲିଘାଟକୁ ଲିଜ୍ ଦିଆଯାଇଛି ସେଠାରେ ମେସିନ୍ ବ୍ୟବହାର ପାଇଁ କୌଣସି ଅନୁମତି ଦିଆଯାଇନଥିବା ତହସିଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଚୁକ୍ତି ମୁତାବକ କେବଳ ଶ୍ରମିକମାନେ ବାଲି ଉତ୍ତୋଳନ ଓ ବୋଝେଇ କରିବା କଥା। ହେଲେ ଲିଜ୍‌ଧାରୀ ବାଲିଘାଟରେ ଏକାଧିକ ମେସିନ୍ ବ୍ୟବହାର କରି ପ୍ରତ୍ୟହ ଶହ ଶହ ଟ୍ରିପ୍ ବାଲି ପରିବହନ କରୁଛନ୍ତି। ସେହିପରି ଲିଜ୍ ଅଞ୍ଚଳ ବାହାରୁ ଚୁକ୍ତି ଠାରୁ ବହୁଗୁଣ ବାଲି ଖନନ ଓ ପରିବହନ ହେଉଛି। ଏହି ବେଆଇନ କାରବାରକୁ ସ୍ଥାନୀୟ ଲୋକେ ବିରୋଧ କରୁଥିଲେ ମଧ୍ୟ ଏଥିରେ ରୋକ୍ ଲଗାଇବା ସମ୍ଭବ ହେଉନାହିଁ। ପ୍ରଶାସନର ଗେହ୍ଲାପୁଅ ପାଲଟିଥିବା ତଥାକଥିତ ବାଲିମାଫିଆଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାହାର ହାତ ଯାଉନାହିଁ।

ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀର ରାଇଛନ୍ଦା, ବୃନ୍ଦାଦେଈପୁର, ଚଉଷଠିପଡ଼ା ଏବଂ କେଲୁଅ ନଦୀର ଉତ୍ତରପ୍ରତାପ, ମିର୍ଜାପୁର, ବାସୁଦେବପୁର, କଦମପାଳ ଆଦି ସ୍ଥାନରେ ବାଲିଘାଟ ନିଲାମ ଦିଆଯାଇଛି। ଏସବୁ ସ୍ଥାନରେ ଶ୍ରମିକମାନଙ୍କ ବଦଳରେ ମେସିନ୍ ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଛି। କେଲୁଅ ନଦୀର ଅରାବଳ, ମୋହନପୁର, ଅରେଇକଣା, ଭଗବାନପୁର, କାଏମା ଏବଂ ବ୍ରାହ୍ମଣୀ ନଦୀର ଭୁବନ, ରଘୁନାଥପୁର ଶାସନ ଅପରପାର୍ଶ୍ବ ଘାଟ ଆଦି ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି। ନଦୀରେ ବର୍ଷାଜଳ ପ୍ରବାହିତ ହେବା ପୂର୍ବରୁ ବିପୁଳ ବାଲି ଉତ୍ତୋଳନ କରି ମହଜୁଦ ରଖାଯାଉଛି। ପରେ ଏହାକୁ ଚଢ଼ା ଦରରେ ବିକ୍ରି କରି ବେଶ୍ ମୁନାଫା କରୁଛନ୍ତି। କେଉଁଘାଟରୁ କେତେ ବାଲି ଉତ୍ତୋଳନ ହୋଇଛି ତାହା ରାଜସ୍ବ ବିଭାଗ ମାପ କରୁନଥିବାରୁ ବର୍ଷା ହେଲେ ସବୁକିଛି ଲୁଚିଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe