ବେଆଇନ ବାଲିଘାଟକୁ ନେଇ ଉତ୍ତେଜନା

ବାଲିଘାଟ ରାସ୍ତାରେ ବାଡ଼ ବୁଜିଲେ ଗ୍ରାମବାସୀ

ବେଆଇନ ବାଲିଘାଟକୁ ନେଇ ଉତ୍ତେଜନା

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ତରଭା ବୈତରଣୀ ବାଲିଘାଟକୁ ନେଇ ତରଭା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ବିନା ଲିଜ୍‌ରେ ଏହି ଘାଟରୁ ବର୍ଷବର୍ଷ ଧରି ମାଫିଆମାନେ ବାଲି ଚାଲାଣ କରୁଛନ୍ତି। ଏହାକୁ ରୋକିବା ପାଇଁ ଗ୍ରାମବାସୀ ବାଲିଘାଟ ରାସ୍ତାରେ ଗାତ ଖୋଳି ଗଛ ଲଗାଇ ବାଡ଼ ବୁଜି ଦେଇଛନ୍ତି। ଏହାକୁ କେନ୍ଦ୍ରକରି ମାଫିଆମାନେ ଗାଁରେ ପଶି ଲୋକଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିବା ଅଭିଯୋଗ ​ହୋଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିନା ଲିଜ୍‌ରେ ଏହି ଘାଟରୁ ବର୍ଷବର୍ଷ ଧରି ବେଆଇନ ବାଲି ଚାଲାଣ ହେଉଛି। ଗାଁ ରାସ୍ତା ଦେଇ ଶହଶହ ବାଲି ବୋଝେଇ ଟ୍ରାକ୍ଟର ଯାତାୟାତ କରିବା ଦ୍ୱାରା ଲୋକେ ଧୂଳିଧୂଆଁରେ ଅତିଷ୍ଠ ହୋଇପଡ଼ୁଛନ୍ତି। ଏପରିକି ଗାଁର ଝିଅବୋହୂମାନେ ନଦୀକୁ ଗାଧୋଇବାକୁ ଗଲାବେଳେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଗ୍ରାମବାସୀ ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ତହସିଲଦାର ଦିନେଅଧେ ଗୋଟିଏ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ପରେ ଜରିମାନା ଆଦାୟ କରି ଛାଡ଼ି ଦେଉଛନ୍ତି।

ଗତକାଲି ରାତିରେ ଗ୍ରାମବାସୀ ଏକାଠି ହୋଇ ବେଆଇନ ବାଲିଘାଟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ଶତାଧିକ ଲୋକେ ବାଲିଘାଟ ରାସ୍ତାକୁ ଖୋଳିଦେବା ସହ ପଟ୍ଟାଭୁକ୍ତ ଜମିରେ ଗଛ ଲଗାଇ ଦେଇଥିଲେ। ଖବର ପାଇ ବାଲି ମାଫିଆମନେ ସେମାନଙ୍କ ସମର୍ଥକଙ୍କ ସହ ତରଭା ଗାଁରେ ପଶି ଲୋକଙ୍କୁ ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ ହୋଇଥିଲେ। ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ପଚାରିବାରୁ, ଏହି ବାଲିଘାଟ ବେଆଇନ ଭାବେ ଚାଲିଥିଲା। ସେଠାରେ ୧୪୪ ଧାରା ଜାରି କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe