ସାଳନ୍ଦୀ ନଦୀରୁ ବେଆଇନ ବାଲି ଖନନ; ବଦଳୁଛି ଗତିପଥ, ବିପଦରେ ଗାଁ

Advertisment
ସାଳନ୍ଦୀ ନଦୀରୁ ବେଆଇନ ବାଲି ଖନନ; ବଦଳୁଛି ଗତିପଥ, ବିପଦରେ ଗାଁ

ଭଦ୍ରକ: ବାଲି ମାଫିଆଙ୍କ କବ୍‌ଜାରେ ସାଳନ୍ଦୀ। ପ୍ରତିଦିନ ସାଳନ୍ଦୀରୁ ବାଲି ଉତ୍ତୋଳନ ଯୋଗୁ ନଦୀର ଗତିପଥ ବଦଳୁଛି। ଫଳରେ ନଦୀ କୂଳବର୍ତ୍ତୀ ଗାଁଗୁଡିକ ପ୍ରତି ବିପଦ ଦେଖାଦେଇଛି। ବର୍ଷା ଦିନ ହେଲେ ନଦୀକୂଳବର୍ତ୍ତୀ ଗାଁଗୁଡିକୁ ବନ୍ୟା ବିପଦ ମାଡିଆସୁଛି।

ସାଳନ୍ଦୀ ନଦୀ ଗର୍ଭ ପୋତି ହୋଇପଡିଥିବାରୁ ନଦୀ ଗର୍ଭକୁ ଖନନ କରିବା ଓ ସାଳନ୍ଦୀ ନଦୀବନ୍ଧକୁ ସୁରକ୍ଷିତ ରଖାଯିବା ପାଇଁ ଉଦ୍ୟମ କରାଯାଇ ୨୦୦୨-୨୦୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ଉଦ୍ୟମରେ ସାଳନ୍ଦୀ ସଂସ୍କାର ଯୋଜନାରେ ୧୦୨ କୋଟି ଟଙ୍କା ମଂଜୁର ହୋଇଥିଲା। ସେହିପରି ୨୦୦୫- ୨୦୦୬ ଆର୍ଥିକ ବର୍ଷରେ ଏହାର ବ୍ୟୟ ଅଟକଳ ଅନୁଯାୟୀ କାର୍ଯ୍ୟ କରାଯାଇଥିଲା। ଏହି ଅନୁଦାନରେ ନଦୀ ଖନନ ଠିକ୍ ଭାବେ କରାଯାଇ ନ ଥିବାରୁ ନଦୀର ଗତିପଥ ଜନବସତି ଆଡକୁ ମାଡିଆସିଛି। ନଦୀ ପଠାରେ ବେଆଇନ ଭାବେ ଗଢି ଉଠୁଥିବା ଇଟାଭାଟି ଓ ବେଧଡକ ବାଲି ଖନନ ଯୋଗୁ ସାଳନ୍ଦୀ ନଦୀର ଉପକୂଳ ଅଞ୍ଚଳ ବନ୍ତ ବ୍ଲକର ଆରଗଡା, ମହାନ୍ତିପଡା, ଗୋପିନାଥପୁର, କାଣ୍ଡବା, ଚାରିଗାଁ, ଅଣିଜୋ, ବିରିଡି ଆଦି ଅଞ୍ଚଳରେ ଅନେକ ଗାଁ ବିପଦରେ। ଏହିସବୁ ଅଞ୍ଚଳରେ କିଛି ମାଫିଆ ବେଆଇନ ବାଲି ଖନନ କରୁଛନ୍ତି। ବାଲି ମାଫିଆଙ୍କ କବ୍‌ଜାରେ ଏବେ ସାଳନ୍ଦୀ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହିସବୁ ଅଞ୍ଚଳର ନଦୀ ପାର୍ଶ୍ବବର୍ତ୍ତୀ ଗାଁଗୁଡିକ ନଦୀ ଗର୍ଭରେ ଲୀନ ହେବାକୁ ବେଶୀ ଦିନ ଲାଗିବ ନାହିଁ। ପ୍ରତିଦିନ ବେଧଡକ ବାଲି ଖନନ ସଂପର୍କରେ ରାଜସ୍ବ ବିଭାଗ ଓ ପୁଲିସ ସବୁ ଜାଣି ମଧ୍ୟ ନିରବ ରହୁଛନ୍ତି।

ଏହିସବୁ ଅଞ୍ଚଳରେ ନଦୀ ଘାଟରୁ ବାଲି ଉଠାଣ ପାଇଁ ୨୦୨୦ ମସିହାରେ ଘାଟ ନିଲାମ କରାଯାଇଥିଲା। ବାଲିଘାଟ ନିଲାମ ପରେ ବେଆଇନ ବାଲି ଖନନ ଉପରେ ଅଙ୍କୁଶ ଲାଗିବ ବୋଲି ଲୋକେ ଭାବୁଥିଲେ। ମାତ୍ର ଫଳ ଓଲଟା। ଗୋଟିଏ ନିଲାମ ଧରି ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ଖନନ କରାଯାଉଛି ବୋଲି ଅଭିଯୋଗ ହୋଇଛି। ସରକାରୀ ନିୟମକୁ ବାଲି ମାଫିଆମାନେ ମାନୁ ନଥିବା ବେଳେ ନିଲାମ ବ୍ୟବସ୍ଥା‌ କେବଳ ଧର୍ମକୁ ଆଖିଠାର। ଦିନ ଦ୍ବିପ୍ରହ‌ରରେ ନଦୀରୁ ବାଲି ଖନନ କରାଯାଇ ଚାଲାଣ କରାଯାଉଛି। ଗ୍ରାମବାସୀ ଏହାକୁ ବିରୋଧ କଲେ ମାଫିଆଙ୍କ ଆକ୍ରାଶର ଶୀକାର ହେବାକୁ ପଡୁଛି। ମାଫିଆମାନେ ନଦୀରୁ ବାଲି ଉତ୍ତୋଳନ ଓ ଇଟା ପକାଇବା‌ ପାଇଁ ନଦୀ ତଟକୁ ଅଧିକ ମାତ୍ରାରେ ଖୋଳିବା କାରଣରୁ ନଦୀ କୂଳ ଖାଇ ଅତଡା ଅତଡା ଖସୁଛି। ବାଲି ଖନନ ଯୋଗୁ ସାଳନ୍ଦୀ ନଦୀ ପାର୍ଶ୍ବରେ ଥିବା କାଣ୍ଡବା, ସାହୁପଡା, ଶ୍ରୀରାମପୁର, ଅମରସିଂହପୁର, ଚାରିଗାଁ, ଚକ୍ରାବାଢୀ, ଇଟୁଆ ଆଦି ଗ୍ରାମ ସାଳନ୍ଦୀରେ ଲୀନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନଦୀରୁ ବାଲି ଉତ୍ତୋଳନ କରି ବେଧଡକ ଭାବେ ନଦୀବନ୍ଧ ଓ ଗାଁ ରାସ୍ତାରେ ବଡ ବଡ ଗାଡି ଦିନରାତି ଚାଲୁଥିବାରୁ ନଦୀବନ୍ଧ ଦୁର୍ବଳ ହେଉଛି। ଯାହା ବର୍ଷାଦିନ ଆସିଲେ ସାମାନ୍ୟ ବର୍ଷାରେ ନଦୀକୁ ଧସି ବିପଦ ସୃଷ୍ଟି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe