ଉତ୍କେଲା: କେସିଙ୍ଗା ବ୍ଲକ ବୋରିଆ ନିକଟ ଦେହେରେନ ଜୋର (ରେତ ନଦୀ)ରୁ ପ୍ରତିଦିନ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। ସୋମବାର ଲଇତରା ଆର୍ଆଇ ପ୍ରିୟବ୍ରତ ପୃଷ୍ଟି ଚଢ଼ଉ କରି ବେଆଇନ ବାଲି ଚୋରାଚାଲାଣ କରୁଥିବା ୪ଟି ହାଇୱା ଏବଂ ଗୋଟିଏ ଜେସିବିକୁ ଜବତ କରିଥିଲେ। କେସିଙ୍ଗା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଗୁଡ଼ିକୁ ଥାନାକୁ ନେଉଥିଲା। ହେଲେ ଥାନାକୁ ନନେଇ ଅଧା ରାସ୍ତାରେ ଛାଡ଼ି ଦିଆଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏନେଇ ଏଏସ୍ଆଇ ଅନୁପ ଶତପଥୀଙ୍କୁ ପଚରାଯିବାରୁ ଫାଇନ୍ ଆଦାୟ କରାଯିବ ବୋଲି ତହସିଲ ପକ୍ଷରୁ କୁହାଯାଇ ଗାଡ଼ି ଗୁଡ଼ିକୁ ଛାଡ଼ି ଦେବା ପାଇଁ କୁହାଯାଇଥିଲା। ଅନ୍ୟପକ୍ଷରେ ଜବତ ଗାଡ଼ିମାନଙ୍କ ଠାରୁ କେତେ ଟଙ୍କା ରାଜସ୍ବ ଆଦାୟ କରାଯାଇଛି ତାହା ଜଣାପଡ଼ିନାହିଁ। ଏ ସମ୍ପର୍କରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ଓ ଲଇତରା ଆର୍ଆଇ ପ୍ରିୟବ୍ରତ ପୃଷ୍ଟିଙ୍କୁ ବାରମ୍ବାର ଯୋଗାଯୋଗ କରାଯାଉଥିଲେ ମଧ୍ୟ ଫୋନ୍ ଉଠାଉ ନାହାନ୍ତି। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ରାଜସ୍ବ ପରିଦର୍ଶକ ଅଜୟରାଜ ଶିଖା, କେସିଙ୍ଗା ଆର୍ଆଇ ନିହାରିକା ଦୋରା ପ୍ରମୁଖ ଉପସ୍ଥିତ ଥିଲେ।
Follow Us