ଅକାମୀ ଆର୍‌-ଫର୍ମରେ ବାଲି ଚୋରାଚାଲାଣ : ଯାଜପୁର ତହସିଲରେ କୋଟିକୋଟି ଟଙ୍କାର ରାଜସ୍ବ ହଡ଼ପ

Advertisment
ଲଘୁ ଖଣିଜ ଲୁଟ୍, ୯ମାସରେ ୨.୫୦ କୋଟି ଜରିମାନା ଆଦାୟ

New Indian Express

ଯାଜପୁର/ସଦର :  ଯାଜପୁର ତହସିଲରେ କୋଟି କୋଟି ଟଙ୍କାର ରାଜସ୍ବ ହଡ଼ପ ମାମଲାର ଭିଜିଲାନସ୍ ତଦନ୍ତ ଚାଲିଥିବା ବେଳେ ଏଠାରେ ଆଉ ଏକ ବଡ଼ ଦୁର୍ନୀତି ପଦାକୁ ଆସିଛି। ଅକାମି ଆର୍- ଫର୍ମରେ ଯାଜପୁର ତହସିଲ ପକ୍ଷରୁ ବାଲି ଚାଲାଣକୁ ଅନୁମତି ଦିଆଯାଇଛି। କୋଟି କୋଟି ଟଙ୍କାର ବାଲି  ପଡ଼ୋଶୀ ଜିଲ୍ଲାକୁ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଦେଇ ନିୟମିତ ଚୋରାଚାଲାଣ ଚାଲିଛି। ବର୍ଷକ ମଧ୍ୟରେ ଯେଉଁ ପରିମାଣର ବାଲି ଉତ୍ତୋଳନ କରିବାକୁ ତହସିଲ ପକ୍ଷରୁ ଅନୁମତି ଦିଆଯାଇଛି, ତା'ଠାରୁ ଅଧିକ ବାଲି ମେସିନ ଲଗାଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି।

ଯାଜପୁର  ତହସିଲ ଅନ୍ତର୍ଗତ ବୈତରଣୀର ଶାଖା ବୁଢ଼ା ନଦୀର ଅଡଙ୍ଗ ଓ ବୁଢ଼ାଘାଟରୁ ବାଲି ଖନନ ପାଇଁ ବର୍ଷିକିଆ ଅନୁମତି ପ୍ରଦାନ କରାଯାଇଛି। ଅଡଙ୍ଗ ଘାଟକୁ ଏକ ବର୍ଷ ପାଇଁ ୨ହଜାର ସିଏମ୍ ବାଲି ଉତ୍ତୋଳନ ଅନୁମତି ମିଳିଛି। କିନ୍ତୁ ଏଠାରେ ଅକାମି ଆର- ଫର୍ମରେ ବ୍ୟାପକ ବାଲି ଚୋରାଚାଲାଣ ଚାଲିଛି। ଯାହାକି ସଂପୂର୍ଣ୍ଣ ବେଆଇନ ।   ସରକାର ଏହି ଚୋରା କାରବାର ରୋକିବା ପାଇଁ ୨୦୧୮ରୁ   ଆର-ଫର୍ମ ବଦଳରେ ରାଜ୍ୟ ସରକାରଙ୍କ ଲୋଗ ଥିବା ଓ୍ବାଇ- ଫର୍ମ ତହସିଲଗୁଡ଼ିକୁ ଯୋଗାଇ ଦେଇଛନ୍ତି। ତେବେ ଆର-ଫର୍ମରେ ବାଲି ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ଅସାଧୁମେଣ୍ଟ ପକେଟକୁ ଯାଉଥିବା ଅଭିଯୋଗ ହେଉଛି। ଏପରିକି ଏହି ଫର୍ମରେ  ବାଲି ପରିବହନର ପରିମାଣ ପଡୁନଥିବାବେଳେ  ଫର୍ମରେ ଥିବା ତହସିଲଦାରଙ୍କ ଦସ୍ତଖତରେ ତାରିଖ ମଧ୍ୟ ପଡିନଥିବା ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ, ତହିସଲ ପକ୍ଷରୁ ବାଲି ଘାଟକୁ  ମିଳୁଥିବା ରେଜିଷ୍ଟରରେ ବାଲି ପରିବହନର ତଥ୍ୟ ରହୁନି।  ଆର -ଫର୍ମରେ ବାଲି ପରିବହନ ହେଉଥିବାରୁ  ହାଇଓ୍ବା‌ରେ ବାଲି ଯାଇଥିଲେ ତାହାକୁ ଟ୍ରାକ୍ଟର ବୋଲି ଦର୍ଶାଯାଉଥିବା ଅଭିଯୋଗ ହେଉଛି।

ଅଡଙ୍ଗ ବାଲି ‌ସୈରାତରୁ  ବର୍ଷକୁ  ୨ହଜାର ସିଏମ୍‌ ବାଲି ଖନନ ପାଇଁ ଅନୁମତି ରହିଛି। ତେବେ ଦୈନିକ ୨୫୦ ଟି ହାଇୱାରେ ବାଲି ଚାଲାଣ ହେଉଛି। ପ୍ରତ୍ୟେକରେ ୨୦/୨୫ ସିଏମ୍ ପର୍ଯ୍ୟନ୍ତ ବା‌ଲି ପଡ଼ୋଶୀ ଜିଲ୍ଲାଗୁଡ଼ିକୁ ଚାଲାଣ ହେଉଛି। ହାଇୱା ପିଛା ୧୦ ହଜାର ସଂଗ୍ରହ କରାଯାଉଥିବା ବେଳେ ଦୈନିକ ଏହି ଘାଟରୁ ୨୫ ଲକ୍ଷ ଟଙ୍କା ରୋଜଗାର ହେଉଛି। ଏହି ଘାଟରୁ ୨ହଜାର ସିଏମ ବାଲି ଉତ୍ତୋଳନ ପାଇଁ ୧୧ ଲକ୍ଷ ୫୦ ହଜାର ଟଙ୍କା ରାଜସ୍ବ ମିଳୁଛି। ହିସାବକୁ ନେଲେ ଦୈନିକ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଲି ଚାଲାଣ ହେଉଛି। ସରକାର ଚୋରାଚାଲାଣ ରୋକିବାକୁ  ୱାଇ- ଫର୍ମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ କାହିଁକି ଆର- ଫର୍ମ ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନ ଉଠୁଛି।

ଏ ସଂପର୍କରେ ତହସିଲଦାର ସୁଶାନ୍ତ କୁମାର ପତିଙ୍କୁ ଯୋଗାଯୋଗ କରାଯିବାରୁ ଗଚ୍ଛିତ ଥିବା ପୁରୁଣା ଆର- ଫର୍ମକୁ ଶେଷ କରିବା ପାଇଁ ବାଲି ଘାଟକୁ ପ୍ରଦାନ କରାଯାଇଛି। ଏହା ପରେ ୱାଇ-ଫର୍ମ ପ୍ରଦାନ କରାଯିବ ବୋଲି କହିଛନ୍ତି। ‌ଏହି କାରବାରର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅସାଧୁ ମେଣ୍ଟର ଗୁମର ପଦାରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe