DNA India
ବାଲେଶ୍ବର: ବେଆଇନ୍ ଲିଙ୍ଗ ନିରୂପଣ ମାମଲାରେ ବାଲେଶ୍ବରର ଜଣେ ଘରୋଇ ଡାକ୍ତରଙ୍କ ବିରୋଧରେ ଏସ୍ଡିଜେଏମ୍ କୋର୍ଟ ଜାମିନବିହୀନ ଗିରଫ ପରୱାନା (ଏନ୍ବିଡବ୍ଲୁ) ଜାରି କରିଛନ୍ତି। ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣକୁ ରାଜ୍ୟ ସରକାର ବେଆଇନ୍ ଘୋଷଣା କରିଥିବା ବେଳେ ଘରୋଇ ଅଲଟ୍ରାସାଉଣ୍ତ କ୍ଲିନିକଗୁଡ଼ିକ ତଦାରଖ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ୨୦୧୪ ମସିହା ନଭେମ୍ବର ୨୮ ତାରିଖରେ ତତ୍କାଳୀନ ବାଲେଶ୍ବର ଜିଲ୍ଲାପାଳ ସନାତନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଟିମ୍ ବିଭିନ୍ନ ଘରୋଇ କ୍ଲିନିକ ଓ ନର୍ସିଂହୋମ୍ରେ ଯାଞ୍ଚ କରିଥିଲେ।
ଫକୀରମୋହନ କଲେଜ ରୋଡ୍ରେ ଥିବା ଏକ ଘରୋଇ ହସ୍ପିଟାଲ ଓ କେନ୍ଦ୍ରୀୟ ବିଦ୍ୟାଳୟ ଛକରେ ଥିବା ଅନ୍ୟ ଏକ ଅଲଟ୍ରାସାଉଣ୍ତ କ୍ଲିନିକରେ ଚଢ଼ାଉ କରାଯାଇ ଅଲଟ୍ରାସାଉଣ୍ତ ମେସିନ୍ ସହ କିଛି କାଗଜପତ୍ର ଜବତ କରାଯାଇଥିଲା। ଏ ନେଇ ପିସି ଆଣ୍ତ୍ ପିଏନ୍ଡିଟି ଆକ୍ଟ ୧୯୯୪ରେ ଏକ ମାମଲା ବାଲେଶ୍ବର ଏସଡିଜେଏମ୍ଙ୍କ ଅଦାଲତରେ ରୁଜୁ ହୋଇଥିଲା। ମାମଲା ବିଚାରାଧୀନ ଥିବାବେଳେ ୮ ବର୍ଷ ପରେ ଡାକ୍ତର ସୁଧୀର କୁମାର ଘୋଷ (୬୨)ଙ୍କ ବିରୋଧରେ ଅଦାଲତ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ତେବେ ଏ ବିଷୟରେ ଟାଉନ ଥାନା ଅଧିକାରୀ ଗୋପାଳ ପ୍ରସାଦ କର୍ଣ୍ଣଙ୍କୁ ପଚାରିବାରୁ ଏ ସଂକ୍ରାନ୍ତୀୟ କାଗଜପତ୍ର ତାଙ୍କର ହସ୍ତଗତ ହୋଇନଥିବା କହିଛନ୍ତି।
Follow Us