ଡ୍ରୋନ୍‌ କ୍ୟାମେରାରେ ଧରାପଡ଼ିଲା ବେଆଇନ ଚିଙ୍ଗୁଡ଼ି ଘେରି: ୨୪ରୁ ଅଧିକଙ୍କ ନାମରେ ମାମଲା ରୁଜୁ

Advertisment
ଡ୍ରୋନ୍‌ କ୍ୟାମେରାରେ ଧରାପଡ଼ିଲା ବେଆଇନ ଚିଙ୍ଗୁଡ଼ି ଘେରି: ୨୪ରୁ ଅଧିକଙ୍କ ନାମରେ ମାମଲା ରୁଜୁ

ବ୍ରହ୍ମଗିରି : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ମୁକ୍ତ କରିବା ଲାଗି ପ୍ରତିବର୍ଷ ପ୍ରଶାସନ ହଜାର ହଜାର ହେକ୍ଟର ବେଆଇନ ଚିଙ୍ଗୁଡ଼ି ଘେରି ଭାଙ୍ଗୁଛି। ତେବେ ପୁଣି ସମାନ ଭାବରେ ବେଆଇନ ଘେରିମାନ ଗଢ଼ି ଉଠୁଛି। ପ୍ରଶାସନ ଭାଙ୍ଗିଚାଲି ଥିବା ବେଳେ ପୁଣି ମାଫିଆମାନେ ଘେରି ତିଆରି କରି ଚାଲିଛନ୍ତି। ଫଳରେ ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେବାର ନାଁ ଧରୁନି। ଏହାରି ଭିତରେ ପ୍ରଶାସନ ନୂଆ ତରିକା ଆପଣେଇଛି। ଚିଲିକାରେ ଡ୍ରୋନ୍‌ କ୍ୟାମେରା ଉଡ଼ାଇ ବେଆଇନ ଚିଙ୍ଗୁଡ଼ି ଘେରିକୁ ଚିହ୍ନଟ କରିଛି। ସପ୍ତାହେ ପୂର୍ବେ ବ୍ରହ୍ମଗିରି ତହସିଲ ପକ୍ଷରୁ ପରୀକ୍ଷାମୂଳକ ଭାବରେ ତିନୋଟି ଆର୍‌ଆଇ ସର୍କଲରେ ଚିଲିକା ଉପରେ ଡ୍ରୋନ୍‌ କ୍ୟାମେରା ଉଡ଼ାଇ ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକୁ ଚିହ୍ନଟ କରାଯାଇଥିଲା।

ସାତପଡ଼ା, ପଣସପଦା ଓ ସୁନାମୁହିଁ ଆର୍‌ଆଇ ସର୍କଲରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରି ଚିହ୍ନଟ ହୋଇଥିଲା। ଡ୍ରୋନ୍‌ କ୍ୟାମେରା ଦ୍ବାରା ଉଠା ଯାଇଥିବା ବେଆଇନ ଚିଙ୍ଗୁଡ଼ି ଘେରିର ଫଟୋ ଚିତ୍ର ଆସିବା ପରେ ବ୍ରହ୍ମଗିରି ତହସିଲ ପକ୍ଷରୁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମଗିରି ତହସିଲଦାର ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ବ୍ରହ୍ମଗିରି ଥାନାରେ ୮ଟି ମାମଲା ରୁଜୁ ପାଇଁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ସାତପଡ଼ା, ପଣସପଦା ଓ ସୁନାମୁହିଁ ଆର୍‌ଆଇ ସର୍କଲରେ ଥିବା ଏହି ବେଆଇନ ଚିଙ୍ଗୁଡି ଘେରି ନିର୍ମାଣକାରୀଙ୍କ ବିରୋଧରେ ମାମଲା ରୁଜୁ କରି ବ୍ରହ୍ମଗିରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ୮ ମାମଲାରେ ୨୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମଗିରି ତହସିଲଦାର ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe