ସ୍ମାର୍ଟ ସିଟିରେ ବେଆଇନ କାମ: ଫଳକ ନାହିଁ କି ଠିକା ସଂସ୍ଥା ଶୁଣୁନି

Advertisment
ସ୍ମାର୍ଟ ସିଟିରେ ବେଆଇନ କାମ: ଫଳକ ନାହିଁ କି ଠିକା ସଂସ୍ଥା ଶୁଣୁନି

ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ବେଆଇନ କାମ ହେଉଥିବା ଦୃଷ୍ଟି ଗୋଚର ହୋଇଛି। ସହରକୁ ସ୍ମାର୍ଟସିଟି କରିବା ପାଇଁ ଯେଉଁ କାମ ଲାଗିଛି ତାହା ଅତି ନିମ୍ନମାନର ହେଉଥିବାବେଳେ ବିନା ସୂଚନା ଫଳକରେ କାମ ଚାଲିଛି। ଠିକା ସଂସ୍ଥାକୁ କହିଲେ ବି ଶୁଣୁନଥିବା ଅଭିଯୋଗ ଉଠୁଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚାଲିଛି କୋଟି କୋଟି ଟଙ୍କାର କାମ। ପ୍ରକଳ୍ପ ସ୍ଥାନରେ ସୂଚନା ଫଳକ ଲଗାଇବାର ନିୟମ ରହିଛି।

କେବଳ ଏତିକି ନୁହେଁ ଫଳକରେ କାମର ବିସ୍ତୃ୍ତ ତଥ୍ୟ, ବ୍ୟୟ ଅଟକଳ, କାମର ଅବଧି ସଂକ୍ରନ୍ତାରେ ଦର୍ଶାଯିବା କଥା। ଠିକା ସଂସ୍ଥାଗୁଡ଼ିକ କିନ୍ତୁ ଏହି ନିୟମକୁ ଫୁ କରି ଦେଇଛନ୍ତି। ବର୍ଷ ବର୍ଷ ଧରି ଏମିତି ‌ବେଆଇନ କାମ ଚାଲିଥିଲେ ହେଁ ତଦାରଖ ଦାୟିତ୍ବରେ ଥିବା ଅଧିକାରୀ ଚୁପ୍‌। ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ମ୍ୟୁଜିକ୍‌ ସର୍କଲ ଓ ରଘୁନାଥପାଲୀ ଡାକଘର ନିକଟରେ ନିର୍ମାଣ ଚାଲିଛି ଭେଣ୍ଡିଂଜୋନ୍‌। ଉଠାଦୋକାନୀଙ୍କ ଥଇଥାନା ପାଇଁ ଦୁଇଟି ସ୍ଥାନରେ ନିର୍ମାଣ ଭେଣ୍ଡିଂ ଜୋନ ବାବଦ୍‌ରେ ସ୍ମାର୍ଟସିଟି ପାଖାପାଖି ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି। ଦୁଇଟି ଠିକା ସଂସ୍ଥା ନିର୍ମାଣ କାମ କରୁଛନ୍ତି।

ଆଶ୍ଚର୍ଯ୍ୟ କଥା, ଗୋଟିଏ ବି ସ୍ଥାନରେ ସୂଚନା ଫଳକ ଲାଗିନାହିଁ। ମ୍ୟୁଜିକ୍‌ସର୍କଲ ନିକଟରେ ନିର୍ମାଣାଧୀନ ଭେଣ୍ଡିଂ ‌ଜୋନ୍‌ରେ ନିମ୍ନମାନର ଇଟା ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀ ବିଭାଗୀୟ ଜେଇଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ପର୍ଯ୍ୟନ୍ତ କିନ୍ତୁ ଠିକାସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। କେବଳ ମ୍ୟୁଜିକ୍‌ ସର୍କଲ ନିକଟ ନିର୍ମାଣାଧୀନ ଭେଣ୍ଡିଂ ଜୋନ୍‌ ନୁହେଁ ସ୍ମାର୍ଟସିଟି ଓ ଆର୍‌ଏମ୍‌ସିର ନିର୍ମାଣାଧୀନ ରାସ୍ତା, ପାର୍କ ସୌନ୍ଦର୍ଯ୍ୟକରଣ ସମେତ ଅନ୍ୟାନ୍ୟ ନିର୍ମାଣାଧୀନ ପ୍ରକଳ୍ପସ୍ଥଳରେ ଗୋଟିଏ ହେଲେ ସୂଚନା ଫଳକ ଦେଖିବାକୁ ମିଳୁନାହିଁ। କାମର ମାନ, ସ୍ଥିତି ଓ ସମୟ ଅବଧି ଲୁଚାଇବାକୁ ଠିକାସଂସ୍ଥାଗୁଡ଼ିକ ଏଭଳି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe