ଚୋରାରେ ଚାଲିଛି ୨୫୦ କରତକଳ, ଜଙ୍ଗଲ ଭିତରେ ହୋଇଛି ବିଦ୍ୟୁତ୍‌ ସଂଯୋଗ

ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଚୁପ୍‌

ଚୋରାରେ ଚାଲିଛି ୨୫୦ କରତକଳ, ଜଙ୍ଗଲ ଭିତରେ ହୋଇଛି ବିଦ୍ୟୁତ୍‌ ସଂଯୋଗ

ବାରିପଦା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶ ସୁରକ୍ଷା ଓ ଜଙ୍ଗଲ କ୍ଷୟ ରୋକିବା ନେଇ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରାଯାଉଛି। କୋଟିକୋଟି ଟଙ୍କା ଖର୍ଚ୍ଚ ବି ହେଉଛି। ତେବେ ମୟୂରଭଞ୍ଜ ଜିଲ୍ଲାରେ ବନ ବିଭାଗ ଓ କାଠମାଫିଆଙ୍କ ମଧୁଚନ୍ଦ୍ରିକା ଫଳରେ ନୂତନ ଜଙ୍ଗଲ ସୃଷ୍ଟି ହେବା ଦୂରର କଥା, ପୂର୍ବରୁ ଥିବା ଜଙ୍ଗଲ ଧୀରେ ଧୀରେ ପଦା ହେବାକୁ ବସିଲାଣି। ପ୍ରତିଦିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଗଛ କଟାଯାଉଛି। ଶିମିଳିପାଳ ବି ଏଥରୁ ବାଦ୍ ପଡ଼ୁ ନାହିଁ। ମୂଲ୍ୟବାନ ଗଛ କଟାଯାଇ ବାହାରକୁ ଚାଲାଣ କରାଯାଉଛି। ବିଶେଷତଃ ଝାଡ଼ଖଣ୍ଡକୁ ନିୟମିତ ମୂଲ୍ୟବାନ କାଟ ଚାଲାଣ ହେଉଥିବା ଜଣାପଡ଼ିଛି। ବିଭାଗୀୟ କିଛି ତଳିଆ କର୍ମଚାରୀ ଓ ଅର୍ଥଲୋଭୀ ଅଧିକାରୀଙ୍କୁ ହାତ କରି ମାଫିଆମାନେ ମୂଲ୍ୟବାନ ଗଛ ଓ ଔଷଧୀୟ ବୃକ୍ଷ କାଟି ଚାଲାଣ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଜାଣି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ମୟୂରଭଞ୍ଜ ଜିଲ୍ଲାର ସବୁଜିମା ବିଶ୍ବ ଦରବାରରେ ବେଶ ପରିଚିତ। ସେଥିରେ ପୁଣି ରହିଛି ଶିମିଳିପାଳ ଅଭୟାରଣ୍ୟ। ଜିଲ୍ଲାରେ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, ଶିମିଳିପାଳ ପଶ୍ଚିମ ଓ ଶିମିଳିପାଳ ଉତ୍ତର ବନ ଡିଭିଜନ୍‌ ରହିଛି। ପ୍ରତି ଡିଭିଜନ୍‌ରେ ବନଖଣ୍ଡ ଅଧିକାରୀ ଥିବା ବେଳେ ଆବଶ୍ୟକ ଅନୁଯାୟୀ ବନାଞ୍ଚଳ ଅଧିକାରୀ ଏବଂ କର୍ମଚାରୀ ରହିଛନ୍ତି।

ଏହି ୫ ବନଖଣ୍ଡରେ ହଜାର ହଜାର ଏକର ପରିମିତ ଜଙ୍ଗଲ ରହିଛି। ଜଙ୍ଗଲ ମଧ୍ୟରେ ରହିଛି ବହୁ ମୂଲ୍ୟବାନ ଆଉ ଔଷଧୀୟ ବୃକ୍ଷ। ଜିଲ୍ଲାରେ ପ୍ରାୟତଃ ୨୫୦ଟି କରତକଳ ଚୋରାରେ ଚାଲିଥିବା ବେଳେ ଏଠାକୁ ପ୍ରତିଦିନ ମୂଲ୍ୟବାନ ବଡ଼ବଡ଼ ଗଛ କଟା ହୋଇ ଆସୁଛି। ତାକୁ କରତକଳରେ ଛୋଟ ଛୋଟ ପିସ୍ କରାଯାଇ ବାହାରକୁ ଚାଲାଣ ହେଉଛି। ସବୁଠାରୁ ବଡ଼କଥା ହେଲା ଚୋରାରେ ଚାଲିଥିବା ୨୫୦ କରତକଳ ମଧ୍ୟରୁ ୭୦ଟି ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି। କରତକଳ ଚାଲିବା ପାଇଁ ଚୋରାରେ ବିଦ୍ୟୁତ୍‌ ସଂଯୋଗ ବି ହୋଇଛି। ଏସବୁ କରତକଳକୁ କିଭଳି ବିଦ୍ୟୁତ୍‌ ସଂଯୋଗ କରାଯାଉଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ମାଲିକଙ୍କ କହିବା କଥା ହେଲା ପୂର୍ବରୁ ଅନୁମତି ମିଳୁଥିଲା। ଏବେ କିଛି ବର୍ଷ ହେଲା ବାରମ୍ବାର ପ୍ରଶାସନ ଓ ସରକାରଙ୍କ ନିକଟରେ ଅନୁମତି ଦେବାକୁ ଦାବି ହେଉଥିଲେ ବି କେହି ଶୁଣୁ ନାହାନ୍ତି।

ଆଇନଗତ ସମସ୍ୟା ଯୋଗୁ କରତକଳ ଚାଲିବା ନିମନ୍ତେ ଅନୁମତି ଦିଆଯାଉ ନଥିବା ବେ‌ଳେ ଯନ୍ତ୍ରପାତି ନଷ୍ଟ ହେବା ଆଶଙ୍କା କାରଣରୁ ଲୁଚାଛପାରେ ଚଳାଇଛୁ ବୋଲି କହିଛନ୍ତି। ଅନ୍ୟପଟେ ଗଛ କଟାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ଜିଲ୍ଲାପାଳ ଏବଂ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ ହୋଇ ଆସୁଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ‌‌କେବଳ ଧର୍ମକୁ ଆଖିଠାର ମାରିଲା ଭଳି କାଁଭାଁ ଚଢ଼ଉ କରାଯାଉଛି ଏବଂ କିଛି କାଠଗଣ୍ଡି ଓ କରତକଳ‌ର ଯନ୍ତ୍ରପାତି ଜବତ ହେଉଛି। ମାଲିକମାନଙ୍କୁ ନୋଟିସ୍ କରି କାମ ସାରି ଦିଆଯାଉଛି ବୋଲି କହନ୍ତି ଶିମିଳିପାଳ ପାଦଦେଶର ବାସିନ୍ଦା ଗୋଲକ ମହାନ୍ତ ଓ ଦୈତାରୀ ମହାନ୍ତ। କରତକଳ ଚାଲିବା ନିମନ୍ତେ ଅନୁମତି ମିଳିଲେ କିଛି ସମସ୍ୟା ହୁଅନ୍ତା ନାହିଁ ବୋଲି ଜଣେ ଅବସରପ୍ରାପ୍ତ ବନ କର୍ମଚାରୀ କହିଛନ୍ତି। ଗଛ କଟା ଓ ବେଆଇନ କରତକଳ ବନ୍ଦ ନେଇ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଦୃଷ୍ଟି ନ ଦେ‌ଲେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ କଲେ ମଧ୍ୟ କିଛି ଲାଭ ହେବ ନାହିଁ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe