ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚାଲିଛି ଚୋରା କରତ କଳ

Advertisment
ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚାଲିଛି ଚୋରା କରତ କଳ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚାଲିଛି ବେଆଇନ ସମିଲ (କରତ କଳ)। ବିଡ଼ମ୍ବନା କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଜାଗେଶ୍ବରୀ କଲୋନି ଭିତରେ ବର୍ଷ ବର୍ଷ ଧରି ଏହି ସ’ମିଲ ଚାଲିଥିଲେ ମଧ୍ୟ  ରେଞ୍ଜ କର୍ତ୍ତୃପକ୍ଷ ଏହାକୁ ଉଚ୍ଛେଦ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜଣାଯାଇଛି। ଦିନ ରାତି ୨୪ ଘଣ୍ଠା ଧରି କାଠ ପେଡ଼ା ଚାଲିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜନ ବସତି ଭିତରେ ସମିଲ ଚାଲିବା ଦ୍ବାରା ସ୍ଥାନୀୟ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତ। କଲୋନି ଭିତର ଗଳିକନ୍ଦି ରାସ୍ତାରେ କାଠ ବୋଝଇ ଭାରୀଯାନ ଯିବା ଆସିବା କରିବା ଦ୍ବାରା ସ୍ଥାନୀୟ ଲୋକ ଯାତାୟତ କ୍ଷେତ୍ରରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଖାଲି ସେତିକି ନୁହେଁ  ପ୍ରତାପଶାସନ ପଞ୍ଚାୟତ ଗ୍ରାମ୍ୟ ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ଉକ୍ତ ସମିଲ ଥିବାରୁ ଅବାଧ ବୃକ୍ଷଚ୍ଛେଦନ ଚାଲିଛି। କିଛିଦିନ ତଳେ କାଠ ମାଫିଆ ମାନେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଚନ୍ଦନ କାଠ ଓ ଶାଗୁଆନ କାଠ କାଟି ନେଇ ଉକ୍ତ ସମିଲରେ ପେଡ଼ି ବିକି ଦେଇଥିଲେ। ହେଲେ ବନ ବିଭାଗ ଅଧିକାରୀ ସଂପୃକ୍ତ ସମିଲ ମାଲିକ ଓ କାଠ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ବାଳକାଟି ଫାଣ୍ଡି ପୁଲିସ କାଠ ଚୋରକୁ ଧରି ପଚରାଉଚରା କରି ଛାଡ଼ି ଦେଇଥିଲା।

ବିଭାଗୀୟ ଅଧିକାରୀ ଚଢ଼ଉ କରି କାଠ ଜବତ କରୁ ନାହାନ୍ତି କିମ୍ବା ସମିଲ ଉଚ୍ଛେଧ ନେଇ କିଛି ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଖାଲି ସେତିକି ନୁହେଁ ସମିଲ ଚାଲିବା ଯୋଗୁ ଶବ୍ଦ ପ୍ରଦୁଷଣ ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏହାକୁ ବିରୋଧ କରୁଥିବା ସ୍ଥାନୀୟ ଲୋକ ସମିଲ ମାଲିକ ଏବଂ କାଠ ମାଫିଆଙ୍କ ଆକ୍ରୋଶର ଶିକାର ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏସଂପର୍କରେ ବାଲିପାଟଣା ରେଞ୍ଜର ମାନସ କୁମାର ମହାନ୍ତିଙ୍କୁ ପଚାରିବାରେ ଖାଲି ବାଳକାଟି ଓ ଝିଣ୍ଟି ମେଳକ କାହିଁକି ବାଲିଅନ୍ତା ବ୍ଲକର ଅନ୍ୟାନ୍ୟ ସ୍ଥାନରେ ସମିଲ ମାଲିକଙ୍କୁ ନୋଟିସ କରାଯାଇ ଉଚ୍ଛେଦ କରାଯିବ ବୋଲି କହିଛନ୍ତି। ଜିଲ୍ଲା ବନଖଣ୍ଡ ଅଧିକାରୀ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe