ବନ୍ଦର ନଗରୀର ବିକଳ ଚିତ୍ର: ରାସ୍ତା ମଝିରେ ଟ୍ରଲିରେ ପ୍ରସବ

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ମା’, ଶିଶୁ ହସ୍ପିଟାଲରେ ଭର୍ତ୍ତି

ବନ୍ଦର ନଗରୀର ବିକଳ ଚିତ୍ର: ରାସ୍ତା ମଝିରେ ଟ୍ରଲିରେ ପ୍ରସବ

ଜଗତସିଂହପୁର: ବନ୍ଦର ନଗରୀ ପାରାଦୀପରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ସାମନାକୁ ଆସିଛି। ଆଜି ସକାଳେ ରାସ୍ତା ମଝିରେ ଟ୍ରଲିରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ସ୍ଥାନୀୟ ମହିଳାମାନେ ଟ୍ରଲି ଚାରିପଟେ ଲୁଗା ଗୁଡ଼ାଇ ମହିଳାଙ୍କ ପ୍ରସବ କରାଇବା ପରେ ମା ଓ ନବଜାତ ଶିଶୁଙ୍କୁ ଅଠରବାଙ୍କୀସ୍ଥିତ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ସେଠାରେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। କିନ୍ତୁ ଏଭଳି ଏକ ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ପ୍ରସୂତି ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୁହୁରିଆ ଜମଧର ଅଞ୍ଚଳର ସରାଫତ ଖାଁଙ୍କ ପତ୍ନୀ ସଲାମୁନ ଖାତୁନ। ତାଙ୍କର ଏକ ୫ ବର୍ଷର ପୁଅ ମଧ୍ୟ ରହିଛି। ସରାଫତଙ୍କ ପତ୍ନୀ ଗର୍ଭବତୀ ଥିଲେ। କେନ୍ଦ୍ରାପଡ଼ାରେ ସେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଉଥିଲେ। ସରାଫତ୍ ଗତକାଲି ଗାଁରୁ ପତ୍ନୀଙ୍କୁ ଧରି ପାରାଦୀପ ଆସିଥିଲେ। ରହିବାର କୌଣସି ବନ୍ଦୋବସ୍ତ ନ ଥିବାରୁ ସମୁଦ୍ରକୂଳ ନିକଟ ଶୌଚାଳୟ ପାଖରେ ରାତି କାଟିଥିଲେ। ଶୀତରେ ରାତି ସାରା ସେଠାରେ ରହିଥିଲେ। ଭୋର ପ୍ରାୟ ୪ଟାରୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଶୌଚାଳୟ କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ ସରାଫତ୍। କିନ୍ତୁ ହସ୍ପିଟାଲ ଯିବାପାଇଁ କୌଣସି ଗା଼ଡି ମିଳି ନ ଥିଲା। ନିକଟରେ ଥିବା ଟ୍ରଲି ଚାଳକଙ୍କୁ ଡାକିଥିଲେ। ସରାଫତ୍ ପତ୍ନୀଙ୍କୁ ଟ୍ରଲିରେ ଶୁଆଇ ଆଣୁଥିବା ବେଳେ ନୂଆବଜାର ନିକଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ସେତେବେଳକୁ ସକାଳ ହୋଇ ଆସିଥିଲା। ପ୍ରସବ ଆରମ୍ଭ ହୋଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ତୁରନ୍ତୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ମହିଳା ଟ୍ରଲି ଚାରିପଟେ ଲୁଗା ଘେରାଇ ଦେଇଥିଲେ। ସେଠାରେ ହିଁ ସଲାମୁନଙ୍କର ପ୍ରସବ କରାଇଥିଲେ ମହିଳାମାନେ। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ନିକଟସ୍ଥ ଆଶା ଦିଦିଙ୍କୁ ବାଇକରେ ବସାଇ ଆଣିଥିଲେ। ଆଉ କିଛି ବ୍ୟକ୍ତି ପୋର୍ଟ ହସ୍ପିଟାଲକୁ ଯାଇ ସେଠାରୁ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ଡାକି ଆଣିଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ସ୍ଥାନୀୟ ଲୋକ ପ୍ରସୂତୀ ଓ ନବଜାତକଙ୍କୁ ଅଠରବାଙ୍କୀସ୍ଥିତ ସରକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe