ଏସ୍‌ପିଙ୍କୁ ଇମ୍ଫାର ଧମକ୍‌ପୂର୍ଣ୍ଣ ଚିଠି : ହେଲିକପ୍ଟରର କିଛି ଅସୁବିଧା ହେଲେ ଦାୟୀ ରହିବ ପୁଲିସ

Advertisment
ଏସ୍‌ପିଙ୍କୁ ଇମ୍ଫାର ଧମକ୍‌ପୂର୍ଣ୍ଣ ଚିଠି : ହେଲିକପ୍ଟରର କିଛି ଅସୁବିଧା ହେଲେ ଦାୟୀ ରହିବ ପୁଲିସ

ପୁରୀ : ଚିଲିକା ଉପରେ ହେଲି‌କେପ୍ଟର ଉଡ଼ାଇ ବିବାଦୀୟ ହୋଇ ପଡ଼ିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କମ୍ପାନି ଇମ୍ଫା ପକ୍ଷରୁ ପୁରୀ ଏସ୍‌ପିଙ୍କୁ ଏକ ଧମକପୂର୍ଣ୍ଣ ଚିଠି ଦିଆଯାଇଛି। ଇମ୍ଫାର ବିମାନ ଚଳାଚଳ (ଆଭିଏସନ୍) ମୁଖ୍ୟ ହିଂମାଶୁ ଶେଖର ମହାପାତ୍ର ଏହି ଚିଠି ଲେଖି ବିବାଦରେ ନଥିବା ଦୁଇଟି ହେଲିକପ୍ଟରକୁ ସିଜ୍ ହ୍ୟାଙ୍ଗରରୁ ମୁକ୍ତ କରିବା ଲାଗି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଚିଲିକା ଉଡ଼ାଣ ବିବାଦରେ ନଥିବା ଅନ୍ୟ ଦୁଇଟି ହେଲିକପ୍ଟର ହ୍ୟାଙ୍ଗର ଭିତରେ ସିଜ୍ କରି ରଖିବାର କୌଣସି କାରଣ ନଥିଲା। ଏପରି ପରିସ୍ଥିତିରେ ମାସେରୁ ଅଧିକ ସମୟ ଧରି ଏହି ଦୁଇ ହେଲିକପ୍ଟରର ରକ୍ଷଣାବେକ୍ଷଣା ହୋଇ ପାରୁନାହିଁ। ସିଜ୍ ହୋଇଥିବା ଦୁଇଟି ହେଲିକପ୍ଟର ଯଦି ଭବିଷ୍ୟତରେ କୌଣସି ମରାମତି ଆବଶ୍ୟକ କରେ ଅବା ଯାନ୍ତ୍ରିକ ତ୍ରୁଟି ଦେଖାଯାଏ ସେଥି ପାଇଁ ପୁଲିସ ହିଁ ଦାୟୀ ରହିବ। ଏହାର ସମସ୍ତ ଖର୍ଚ୍ଚ ପୁଲିସ ବହନ କରିବ। କେବଳ ସେତିକି ନୁହେଁ, ଯଦି ଭବିଷ୍ୟତରେ ହେଲିକପ୍ଟରକୁ ନେଇ କିଛି ଅସୁରକ୍ଷିତ ପରିସ୍ଥିତି ଉପୁଜେ ସେଥି ପାଇଁ ପୁଲିସ ଉତ୍ତରଦାୟୀ ରହିବ ବୋଲି ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରି ବିବାଦରେ ନଥିବା ଦୁଇଟି ଯାକ ହେଲିକପ୍ଟରକୁ ତୁରନ୍ତ ଛାଡ଼ିବାକୁ କହିଛନ୍ତି। ଅନ୍ୟପକ୍ଷରେ ଡିଜିସିଏ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ବିବାଦରେ ଥିବା ଭିଟି-ବିଡିପି ହେଲିକପ୍ଟରକୁ ରଖିବାରେ ତାଙ୍କର କୌଣସି ଆପତ୍ତି ନଥିବା ଶ୍ରୀ ମହାପାତ୍ର ଜଣାଇଛନ୍ତି। ଶ୍ରୀ ମହାପାତ୍ର ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି, ପୂର୍ବରୁ ଅକ୍ଟୋବର ୧୧ରେ ଇମ୍ଫା ପକ୍ଷରୁ ଏକ ଚିଠି ଏସ୍‌ପିଙ୍କୁ ଲେଖା ଯାଇଥିଲା। କିନ୍ତୁ ଏହା ଉପରେ କୌଣସି ଜବାବ ଦିଆଯାଇନାହିଁ। ଏଣୁ ପୁନର୍ବାର ଚିଠି ଲେଖିବାକୁ ବାଧ୍ୟ ହେଲୁ ବୋଲି ସେ ଉଲ୍ଲେଖ କରିଛନ୍ତି। ଏ ସଂପର୍କରେ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି, ତାଙ୍କ ପାଖକୁ ଏପ୍ରକାର କୌଣସି ଚିଠି ଆସିଥିବା ବିଷୟରେ ସେ ଅବଗତ ନାହାନ୍ତି। ଗତ ୧୧ ତାରିଖରେ ଯେଉଁ ଚିଠି ଆସିଥିବା କଥା ଇମ୍ଫା କର୍ତୃପକ୍ଷ କହୁଛନ୍ତି ସେ ସଂପର୍କରେ ବି ସେ କିଛି ଜାଣିନାହାନ୍ତି। ସୂଚନାଯୋଗ୍ୟ, ମାସେ ତଳେ ସାଥୀ ଅଭିଜିତ ଆୟାର ମିତ୍ର ଓ ଆରତି ଟିକୁଙ୍କୁ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକପ୍ଟର ଉଡ଼ାଇ ବିବାଦରେ ଫସିଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୁଲିସ ନିଜ ଆଡ଼ୁ ତଦନ୍ତ କରି ବୈଜୟନ୍ତଙ୍କ ନାଁରେ ମାମଲା ରୁଜୁ କରିବା ସହ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଥିବା ଇମ୍ଫାର ହ୍ୟାଙ୍ଗରକୁ ସିଲ୍ କରିଥିଲା। ତେବେ ଏହି ହ୍ୟାଙ୍ଗରରେ ଇମ୍ଫାର ବିବାଦୀୟ ହେଲିକପ୍ଟର ସମେତ ଆଉ ଦୁଇଟି ହେଲିକପ୍ଟର ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe