ସଙ୍ଗରୋଧ କେନ୍ଦ୍ରର ଚିତ୍ର ବଦଳାଇ ଦେଇଛନ୍ତି ପ୍ରବାସୀ ଓଡ଼ିଆ

Advertisment

କାନ୍ଥରେ ଆଙ୍କିଛନ୍ତି ମହାପୁରୁଷଙ୍କ ଅବିକଳ ଛବି

କାନ୍ଥରେ ଆଙ୍କିଛନ୍ତି ମହାପୁରୁଷଙ୍କ ଅବିକଳ ଛବି

ସଙ୍ଗରୋଧ କେନ୍ଦ୍ରର ଚିତ୍ର ବଦଳାଇ ଦେଇଛନ୍ତି ପ୍ରବାସୀ ଓଡ଼ିଆ

ବେଲଗୁଣ୍ଠା: ହାତରେ ତୂଳୀ। ଚଟାଣ ଉପରେ ରଖାଯାଇଛି ରଙ୍ଗ ଡବା। ବିଦ୍ୟାଳୟର ପାଚେରି ଉପରେ ଆଙ୍କି ଚାଲିଛନ୍ତି ଜଣକ ପରେ ଜଣେ ମହାପୁରୁଷଙ୍କ ଚିତ୍ର। ସାରାଦିନ ଏଥିରେ ସେମାନେ ନିମଗ୍ନ। ଗୁମ୍‌ସୁମ୍ ଭାବେ ଦିନ ସାରା ଗୋଟିଏ କୋଠରିରେ ଅପେକ୍ଷା ବସିବା ଅପେକ୍ଷା ବିଦ୍ୟାଳୟ ହତାର ସୌନ୍ଦର୍ଯ୍ୟୀକରଣ ସହ ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେବାକୁ ସେମାନେ ଅଣ୍ଟା ଭିଡ଼ିଛନ୍ତି। ଇଏ କୌଣସି ସାଧାରଣ ଚିତ୍ରକରର କଥା ନୁହେଁ। ବରଂ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍‌ ଧୂମୂଛାଇ ପଞ୍ଚାୟତର କେବିରୀ ବ୍ରହ୍ମପୁର ପିୟୁପିଏସ୍ ବିଦ୍ୟାଳୟରେ ଥିବା ୨ ପ୍ରବାସୀ ଓଡ଼ିଆଙ୍କ ଏଭଳି ପ୍ରୟାସ ଆଜି ସଭିଙ୍କ ପାଇଁ ଉଦାହରଣ ପାଲଟିଯାଇଛି। ‌କାନ୍ଥ ଉପରେ ଦେଶର ମହାପୁରୁଷଙ୍କ ଅବିକଳ ଛବି ବିଦ୍ୟାଳୟର ଚିତ୍ରକୁ ହିଁ ବଦଳାଇଦେଇଛି। ଖାଲି ଏତିକି ନୁହେଁ, ନିଜ ନିଜ ଭିତରେ ପାଳି କରି ବିଦ୍ୟାଳୟ ହତାକୁ ସଫା ବି କରୁଛନ୍ତି।

ଏହି ବିଦ୍ୟାଳୟକୁ ଗତ ୧୩ ତାରିଖରେ ତାମିଲନାଡ଼ୁର କୋଏମ୍ବାଟୁର୍‌ରୁ ୫୧ ଜଣ ଓ ହାଇଦ୍ରାବାଦରୁ ୯ଜଣ ଏଭଳି ଭାବେ ମୋଟ ୬୦ଜଣ ଆସି ସଙ୍ଗରୋଧରେ ଅଛନ୍ତି। ତେବ‌େ ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ପୂର୍ଣ୍ଣଚନ୍ଦ୍ର ଡାକୁଆ (୨୬) ଓ ପାଲକଷଣ୍ଢା ଗ୍ରାମର ସନ୍ତୋଷ କୁମାର ଜେନା (୨୬) ଏଠାରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବ୍ରତ ପାତ୍ରଙ୍କୁ ରଙ୍ଗ ଡବା ଓ ତୂଳୀ ଆଣିବା ଲାଗି ନିବେଦନ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ପାତ୍ର ବି ସେମାନଙ୍କୁ ନିରାଶ କରି ନଥିଲେ। ୧ହଜାର ଟଙ୍କାର ରଙ୍ଗ ଓ ତୂଳୀ କିଣି ଆଣି ସେମାନଙ୍କୁ ଦେଇଥିଲେ। ବାସ୍ ଏହା ଭିତରେ ୫ ଦିନ ବିତିସାରିଛି। ପୂର୍ଣ୍ଣଚନ୍ଦ୍ର ଓ ସନ୍ତୋଷ ପ୍ରତିଦିନ କେନ୍ଦ୍ରରେ ସମସ୍ତ ଆନୁଷଙ୍ଗିକ କାମକୁ ଠିକ୍ ସମୟରେ କରୁଛନ୍ତି। ଆଉ ବାକି ସମୟ ବିଭିନ୍ନ ମହାପୁରୁଷଙ୍କ ଚିତ୍ର ଆଙ୍କିବାରେ ନିମଗ୍ନ ରହୁଛନ୍ତି। କାରଣ ଉଭୟ କୋଏମ୍ବାଟୁରରେ ସ୍ବର୍ଣ୍ଣ ଅଳଙ୍କାର ଡିଜାଇନ୍ କାମ କରୁଥିବାରୁ ସେମାନେ ଏହି ଅଭିଜ୍ଞତାକୁ ଏଠାରେ ଉପ‌ଯୋଗ କରୁଛନ୍ତି। ତିନିଦିନ ଭିତରେ ସେମାନେ ମହାତ୍ମାଗାନ୍ଧୀ, ଭଗତ୍ ସିଂ, ଭାରତ ମାତା ଓ ବିଭିନ୍ନ ତୀର୍ଥସ୍ଥାନର ଚିତ୍ର ଆଙ୍କି ସାରିଛନ୍ତି। ଆଉ ଅନ୍ୟ ପ୍ରବାସୀ ମାନେ ମଧ୍ୟ ସେମାନଙ୍କୁ ସହଯୋଗ କରୁଛନ୍ତି। ଉଭୟଙ୍କ ଏହି ପ୍ରୟାସକୁ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ପ୍ରଧାନଶିକ୍ଷକ ଶ୍ରୀ ପାତ୍ର, ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ବିଡିଓ ଶଶିଭୂଷଣ ମହାପାତ୍ର ପ୍ରଶଂସା କରିବା ସହ ଏହା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ଅନ୍ୟ ପ୍ରବାସୀ ମାନେ ବିଦ୍ୟାଳୟକୁ ସଫେଇ କରୁଛନ୍ତି। ସନ୍ତୋଷ ଓ ପୂର୍ଣ୍ଣଚନ୍ଦ୍ର କହିଛନ୍ତି, ସଙ୍ଗରୋଧରେ ୨୧ ଦିନ ରହିବା ଆମ ଜୀବନର ଏକ ଅଭୁଲା ସ୍ମୃତି। ହେଲେ ଏହି ବିଦ୍ୟାଳୟରେ ମହାପୁରୁଷଙ୍କ ଚିତ୍ର ଆଙ୍କି ଆମେ ପିଲାଙ୍କ ହୃଦୟରେ ଛାପ ଛାଡ଼ିଯିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe