ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଚାଲିଛି ଷଷ୍ଠ ଗଣବିଲୋପ!

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ଜୀବଜନ୍ତୁଙ୍କ ଉପରେ ପଡ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ପ୍ରଜାତିର ଜୀବଜନ୍ତୁ ଲୁପ୍ତପ୍ରାୟ ଅବସ୍ଥାକୁ ଆସିଲେଣି। ସୁନାବେଡ଼ାର ଶୋଭା ବଢ଼ାଉଥିବା ବାରାସିଂଘା ଓ ଅରଣା ମଇଁଷି ଏବେ ଦେଖିବା ସ୍ବପ୍ନ ପାଲଟିଛି।

Forest

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ଜୀବଜନ୍ତୁଙ୍କ ଉପରେ ପଡ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ପ୍ରଜାତିର ଜୀବଜନ୍ତୁ ଲୁପ୍ତପ୍ରାୟ ଅବସ୍ଥାକୁ ଆସିଲେଣି। ସୁନାବେଡ଼ାର ଶୋଭା ବଢ଼ାଉଥିବା ବାରାସିଂଘା ଓ ଅରଣା ମଇଁଷି ଏବେ ଦେଖିବା ସ୍ବପ୍ନ ପାଲଟିଛି। ଡାଇନୋସର୍‌ଙ୍କ ଭଳି ଏମାନଙ୍କ ବଂଶ ବି ବୁଡ଼ିବା ଅବସ୍ଥାରେ। କେବଳ ଏହି ଦୁଇ ପ୍ରଜାତି ନୁହନ୍ତି, ଶାଗୁଣା ବଂଶ ଓଡ଼ିଶାରୁ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ସଂରକ୍ଷଣ ଦିଗରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ଉଧେଇ ପାରୁ ନାହିଁ। ଚିଲିକାର ବରକୁଦିଆ ଚମେଇ ନେଉଳ, ବଣି, ଅହିରାଜ ସାପ ବଂଶ ବି ବିଲୁପ୍ତପ୍ରାୟ। କାଁଭାଁ କେବେ କେଉଁଠି ଏମାନଙ୍କୁ ଦେଖିବାକୁ ମିଳୁଛି। 

ଯେଉଁଭଳି ଭାବେ ଜୀବଜନ୍ତୁଙ୍କ ସଂଖ୍ୟା କମୁଛି, ଆଗକୁ ଘଡ଼ିଆଳ, ବଜ୍ରକାପ୍ତା, ଭାଲୁ, ମହାବଳ ପ୍ରଜାତି ଓଡ଼ିଶାରୁ ଲୋପ ପାଇବାର ଆଶଙ୍କା ପ୍ରକାଶ ପାଇଛି। ଚିନ୍ତାର ବିଷୟ ହେଉଛି ଯେ ‘ଇଣ୍ଟରନ୍ୟାସନାଲ ୟୁନିଅନ୍ ଫର୍ କଞ୍ଜରଭେସନ୍‌ ଅଫ୍ ନେଚର’ର ରେଡ୍ ଲିଷ୍ଟ ଅନୁଯାୟୀ ବିଶ୍ବର ୪୬ ହଜାରରୁ ଅଧିକ ପ୍ରଜାତି ଲୋପ ପାଇବାକୁ ଯାଉଛନ୍ତି। ବିଶ୍ବରେ ଦେଖାଯାଉଥିବା ଜୀବଜନ୍ତୁଙ୍କ ମଧ୍ୟରୁ ୨୮% ଅର୍ଥାତ୍ ୪୬ହଜାର ୩୦୦ ପ୍ରଜାତି ଧୀରେ ଧୀରେ ବିଲୁପ୍ତମୁହାଁ। ସେଥିମଧ୍ୟରେ ୪୧% ଉଭୟଚର, ୨୬% ସ୍ତନ୍ୟପାୟୀ, ୨୧% ସରୀସୃପ ଓ ୧୨% ପକ୍ଷୀ ରହିଛନ୍ତି। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି ଯେ ବହୁ ବର୍ଷ ତଳେ ବିଶ୍ବରେ ୫ ଥର ଜୀବଜନ୍ତୁଙ୍କ ଗଣବିଲୋପ ହୋଇଥିଲା। ମାତ୍ର କୋଭିଡ୍ ମହାମାରୀ ପରେ ବିଶ୍ବରେ ଜୀବଜନ୍ତୁ ଓ ବୃକ୍ଷଙ୍କ ଷଷ୍ଠ ଗଣବିଲୋପ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଅଧିକରୁ ଅଧିକ ଜୀବଜନ୍ତୁ ଲୋପ ପାଇବେ। ତେଣୁ ବିଲୁପ୍ତପ୍ରାୟ ଜୀବଜନ୍ତୁଙ୍କୁ ବଞ୍ଚାଇବାକୁ ଏବେଠାରୁ ସବୁ ବର୍ଗଙ୍କୁ ଏକାଠି ହେବାକୁ ସେମାନେ ଆହ୍ବାନ ଦେଇଛନ୍ତି।

ଲୁପ୍ତପ୍ରାୟ ତାଲିକାରେ ୪୬ ହଜାର ଜୀବଜନ୍ତୁ
୪୧% ଉଭୟଚର, ୨୬% ସ୍ତନ୍ୟପାୟୀ ପ୍ରାଣୀ
ଚିନ୍ତାପ୍ରକଟ କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ

ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅଧୀନ ସିଇସି ଅଧ୍ୟକ୍ଷ ସିଦ୍ଧାନ୍ତ ଦାସଙ୍କ କହିବାନୁଯାୟୀ ଆଜିର ଦିନରେ ଯଦି ବିଶ୍ବର କୌଣସି ବଡ଼ ସମସ୍ୟା ଥାଏ ତାହା ହେଲା ଜଳବାୟୁ ପରିବର୍ତ୍ତନ ଦ୍ବାରା ସୃଷ୍ଟି ହେଉଥିବା ଗ୍ଲୋବାଲ ୱାର୍ମିଂ। ଏହା ଦ୍ବାରା ବିଶ୍ବର ତାପମାତ୍ରା କିଛି ବର୍ଷ ମଧ୍ୟରେ ୧.୫ ଡିଗ୍ରି ବଢ଼ିଗଲାଣି। ଏଭଳି ବୃଦ୍ଧି ପାଇଲେ ଆମ ପାଖରେ ଥିବା ବୈଜ୍ଞାନିକ ଓ ବୈଷୟିକ ଜ୍ଞାନକୌଶଳ ଦ୍ବାରା ତାହାର ମୁକାବିଲା କରିବା ସମ୍ଭବପର ହେଉ ନାହିଁ। ହିମାଳୟ ଗଛ ଶୂନ୍ୟ ହୋଇଯିବ। ଉପକୂଳକୁ ସମୁଦ୍ର ମାଡ଼ି ଆସିବ। ତେଣୁ ଏଦିଗରେ ପଦକ୍ଷେପ ନେବା ସହ ନିଜେ ନିଜକୁ ସୁରକ୍ଷିତ ‌କରିବାକୁ ହେବ। ଏକ୍ଷେତ୍ରରେ ଜଙ୍ଗଲ ଓ ବନ୍ୟପ୍ରା‌ଣୀଙ୍କ ପ୍ରମୁଖ ଭୂମିକା ମଧ୍ୟ ରହିଛି। କାରଣ ସଂରକ୍ଷଣ ଦ୍ବାରା ହିଁ ଆମେ ବଞ୍ଚିପାରିବା। ଜୀବଜନ୍ତୁ ରହିଲେ ମାଟି ଓ ପାଣିର ସଂରକ୍ଷଣ ହେବ ଏବଂ ଆମେ ନିଜକୁ ବଞ୍ଚାଇପାରିବା। ବର୍ତ୍ତମାନ ଦେଖାଯାଉଛି ଯେ ବିକାଶ ନାଁରେ ଆମେ ବିନାଶ କରୁଛୁ। ଅନେକ ଜୀବଜନ୍ତୁଙ୍କୁ ହେୟଜ୍ଞାନ କରି ହତ୍ୟା କରୁଛୁ। ସେଥିରୁ ନିବୃତ୍ତ ରହିବାକୁ ହେବ।
ଏନ୍‌ଟିସିଏର ପୂର୍ବତନ ସଦସ୍ୟ ସଚିବ ତଥା ପ୍ରୋଜେକ୍ଟ ଟାଇଗରର ଅତିରିକ୍ତ ମହାନିର୍ଦ୍ଦେଶକ ଅନୁପ ନାୟକ କହିଛନ୍ତି ଯେ ଯେତିକି ବିଲୁପ୍ତ ପ୍ରାୟ ଜୀବଜନ୍ତୁ ତାଲିକାରେ ରହିଛନ୍ତି ସେଥିମଧ୍ୟରୁ ଅଧିକାଂଶ ଉଭୟଚର ପ୍ରାଣୀ। ଯେଉଁମାନେ କି ଜଣାଇଥାନ୍ତି ଯେ ଆମ ଜୈବ ବିବିଧତା କେମିତି ରହିଛି।

ଆମ ବ୍ୟବସ୍ଥା କିଭଳି କାର୍ଯ୍ୟ କରୁଛି। କାରଣ ପ୍ରାକୃତିକ ଭାରସାମ୍ୟ ଠିକ୍‌ ନ ରହିଲେ ଆମେ ବଞ୍ଚିପାରିବାନି। ମାଟି, ଜଳର ସଂରକ୍ଷଣ କରା ନ ଗଲେ ପ୍ରାକୃତିକ ଭାରସାମ୍ୟ ଠିକ୍‌ ରହିବ ନାହିଁ। ଏବେ ସମୟ ଆସିଛି ଯେତିକି ଜୀବଜନ୍ତୁ ରହିଛନ୍ତି ସମସ୍ତଙ୍କୁ ବଞ୍ଚାଇବାକୁ ପଡ଼ିବ। ମଣିଷକୃତ କାରଣରୁ ଜୀବଜନ୍ତୁଙ୍କ ପ୍ରଜାତି ଲୋପ ପାଉଛି। ୫ଟି ଗଣବିଲୋପ ଘଟିସାରିଛି। ବୈଜ୍ଞାନିକମାନେ କହୁଛନ୍ତି ଯେ ୬ଷ୍ଠ ଗଣବିଲୋପ ଆରମ୍ଭ ହୋଇଯାଇଛି। ୨୦୨୦ ପରଠାରୁ ବହୁ ସଂଖ୍ୟକ ଜୀବଜନ୍ତୁ ଓ ବୃକ୍ଷ ନଷ୍ଟ ହେବାରେ ଲାଗିଛି। ସେମାନଙ୍କୁ ବଞ୍ଚାଇବା ଦିଗରେ ଆମକୁ କାମ କରିବାକୁ ପଡ଼ିବ। ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଦ୍ବାରା ଓଡ଼ିଶାରେ ଜୀବଜନ୍ତୁଙ୍କ ସଂଖ୍ୟା କମି ନାହିଁ। ଶିମିଳିପାଳରେ ମହାବଳ ସଂଖ୍ୟା ୫ରୁ ବଢ଼ି ୨୭ରେ ପହଞ୍ଚିଲାଣି। ଋଷିକୁଲ୍ୟା ମୁହାଣରେ ପ୍ରାୟ ୭ ଲକ୍ଷ କଇଁଛଙ୍କ ଆଗମନ ଜୈବ ବିବିଧତା ପାଇଁ ଶୁଭସଙ୍କେତ ଆଣିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe