deccan chronicle
ଭୁବନେଶ୍ବର : ଚୁଡ଼ା, ମୁଢ଼ି, ଉଖୁଡ଼ା ଓ ଖଇ ଆଦି ଦ୍ରବ୍ୟ ଉପରେ ଜିଏସ୍ଷ୍ଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଏହି ନିଷ୍ପତ୍ତିର ଦୃଢ଼ ନିନ୍ଦା କରିଛନ୍ତି। ଜିଏସ୍ଟି କାଉନସିଲ ଏଭଳି ନିଷ୍ପତ୍ତି ନେବା ବେଳେ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରତିବାଦ ନ କରିବା ଦୁଃଖ ଓ ପରିତାପର ବିଷୟ। ଉଭୟ ସରକାରଙ୍କୁ ତାତ୍ସଲ୍ୟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଯଦି ସରକାର ରାଜସ୍ୱ ବଢ଼େଇବା ପାଇଁ ଏତେ ବ୍ୟାକୁଳ ତେବେ ମନ୍ଦିର, ମସଜିଦ, ଗୀର୍ଜା ଓ ଗୁରୁଦ୍ଵାର ଆଦି ଧର୍ମାନୁଷ୍ଠାନକୁ ଯାଉଥିବା ଭକ୍ତ ଓ ଦେଉଥିବା ଦାନ ଉପରେ ମଧ୍ୟ ଜିଏସ୍ଟି ଲଗାଇ ଦିଅନ୍ତୁ। ଯାହାଦ୍ୱାରା ସରକାରଙ୍କ ରାଜସ୍ବରେ ଉନ୍ନତି ହେବ। ସରକାର ଲାଭବାନ ହୋଇପାରିବେ।
ରାଜ୍ୟର ଜନସାଧାରଣ ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଗରିବ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ହେଉଛି ଚୁଡ଼ା, ମୁଢ଼ି, ଉଖୁଡ଼ା ଓ ଖଇ। ଏସବୁ ଖାଦ୍ୟ ଉପରେ ଜିଏସ୍ଟି ଲଗାଯିବା ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ ନ କରି ଚୁପ ରହିବା ରାଜ୍ୟର ଜନସାଧାରଣଙ୍କ ପ୍ରତି ରାଜ୍ୟ ସରକାରଙ୍କ କେତେ ଦରଦ ତାହା ଜଣାପଡୁଛି। ବିଜେଡି ଓ ବିଜେପି ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ବିଜେପି ଓ ବିଜେପି ରାଜ୍ୟ ରାଜଧାନୀରେ କଳି କରୁଛନ୍ତି। କିନ୍ତୁ ଦେଶର ରାଜଧାନୀ ଦିଲ୍ଲୀରେ ଉଭୟ କୋଳାକୋଳି। ଏକଥା ରାଜ୍ୟର ଜନସାଧାରଣ ବୁଝିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।
Follow Us