ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଏନ୍‌ଏମ୍‌ଏର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଅଧାକୁ ଅନୁମତି, ଅଧା ପାଇଁ ସର୍ତ୍ତାବଳୀ

Advertisment

ନିୟନ୍ତ୍ରିତ ଅଞ୍ଚଳକୁ ଯିବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଶ୍ରୀମନ୍ଦିର ପ୍ରଶାସନିକ କୋଠା ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ହେବ ଭିନ୍ନ ଆବେଦନ

ନିୟନ୍ତ୍ରିତ ଅଞ୍ଚଳକୁ ଯିବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଶ୍ରୀମନ୍ଦିର ପ୍ରଶାସନିକ କୋଠା ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ହେବ ଭିନ୍ନ ଆବେଦନ

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପାଚେରି ନିର୍ମାଣ ମାମଲା: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

Image Courtesy of Mint

ପୁରୀ: ବହୁ ବାଦବିବାଦ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କିଛି ନିର୍ମାଣକୁ ଅନୁମତି ଦେଇଥିବା ବେଳେ କିଛି ଉପରେ ଆପତ୍ତି ଉଠାଇ ସ୍ଥାନ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ପାଇଁ ଏନଏମଏ ଅନୁମତି ପ୍ରଦାନ କରିଥିଲେ ବି ଏହାକୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ, ଏଟିଏମ, ଦାନ କିଓସ୍କ ଆଦିକୁ ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ସହ ଏଥିପାଇଁ ଭିନ୍ନ ଭାବେ ଡିପିଆର, ଆବେଦନପତ୍ର ପଠାଇବାକୁ କୁହାଯାଇଛି। ଏହା ସହିତ ଏନ୍‌ଏମ୍‌ଏ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଭୁବନେଶ୍ବର ଏକାମ୍ର ସଂରକ୍ଷଣ ଯୋଜନାକୁ ମଧ୍ୟ ଏନ୍‌ଓସି ଦେବା ସହ କିଛି ସର୍ତ୍ତ ଲଦିଛନ୍ତି।

ଗତ ୯ ତାରିଖରେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନଏମଏ ସମ୍ମିଳନୀ କକ୍ଷରେ ଏନ୍‌ଓସି ବୈଠକ ହୋଇଥିଲା। ଏନ୍‌ଏମ୍‌ଏ ଅଧ୍ୟକ୍ଷ ଡ. ସଚ୍ଚିଦାନନ୍ଦ ଯୋଶୀ, ସଦସ୍ୟ ହେମ୍ରାଜ ଆର. କାମଦାର, ପ୍ରଫେସର ଏମ. କୈଳାସ ରାଓ, ସଦସ୍ୟ ସଂପାଦକ ଭାସ୍କର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଲୋଚନା ପରେ ଏନଏମଏ ଆମସାର ଆଇନ-୧୯୫୮, ସେକ୍ସନ୍‌-୨(ଡିସି) ଆଧାରରେ କ୍ଲକ ରୁମ, ମିନି କ୍ଲକ ରୁମ, ସେଲଟର ପାଭିଲିୟନ, ମହିଳା ଓ ପୁରୁଷ ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ, ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଛି। ପଶ୍ଚିମଦ୍ବାର ନିଷିଦ୍ଧାଞ୍ଚଳରେ ଅତିରିକ୍ତ ସେବାୟତ ଶୌଚାଳୟ ଓ କ୍ଲକ ରୁମ ନିର୍ମାଣ ପାଇଁ ବି ଏନ୍‌ଏମ୍‌ଏ ଅନୁମତି ଦେଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଏନ୍‌ଏମ୍‌ଏର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ନିୟନ୍ତ୍ରିତ ଅଞ୍ଚଳକୁ ଯିବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର
ଶ୍ରୀମନ୍ଦିର ପ୍ରଶାସନିକ କୋଠା ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ହେବ ଭିନ୍ନ ଆବେଦନ
ଏକାମ୍ର ସଂରକ୍ଷଣ ଯୋଜନା ଓ କୋଣାର୍କ ଐତିହ୍ୟ ଉନ୍ନୟନ ଯୋଜନାକୁ ବି ମଞ୍ଜୁରି

ସେହିଭଳି କିଛି ‌ନିର୍ମାଣ ପାଇଁ ପ୍ରତ୍ନତତ୍ତ୍ବ ବିଭାଗର ଅନୁମତି ନେବାକୁ ବି ଏନ୍‌ଏମ୍‌ଏ ପରାମର୍ଶ ଦେଇଛି। ଯେଉଁଥିରେ ସେଲଟର ପାଭିଲିୟନ, ସୂଚନା ଓ ଦାନ କିଓସ୍କ, ଆଶୁ ଚିକିତ୍ସା କେନ୍ଦ୍ର, ପୁଲିସ ସେବା କେନ୍ଦ୍ର, ଏଟିଏମ କିଓସ୍କ ଆଦି ଅନ୍ତର୍ଭୁକ୍ତ। ଏନଏମଏ ସ୍ପଷ୍ଟ କରିଛି କି ଯେଉଁ ସେଲଟର ପାଭିଲିୟନ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି, ତାହାର ଉଚ୍ଚତା କମାଯାଉ। ଶ୍ରୀମନ୍ଦିର ଐତିହ୍ୟ କୀର୍ତ୍ତିରାଜି ଯେଭଳ ନ ଲୁଚିବ, ସେଭଳି ନିର୍ମାଣ କାର୍ଯ୍ୟ କରାଯାଉ। ସୂଚନା ଓ ଦାନ କିଓସ୍କ, ଆଶୁ ଚିକିତ୍ସା କେନ୍ଦ୍ର, ପୁଲିସ ସେବା କେନ୍ଦ୍ର, ଏଟିଏମ କିଓସ୍କ ଆଦିର ସ୍ଥାନ ପରିବର୍ତ୍ତନ ସହ ଏହାକୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଭାବେ ଏନଓସି ମାଗିବାକୁ ଏନଏମଏ କହିଛି। ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ପାଇଁ ଏନଏମଏ ଏନଏଓସି ପ୍ରଦାନ କରିଥିବା ବେଳେ ଏହାକୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୧୦୧.୫୦ ମିଟର ଦୂରରେ ଏହି କେନ୍ଦ୍ର ନିର୍ମାଣ କରିବାକୁ ଅନୁମତି ଦେଇଛି। କେନ୍ଦ୍ରର ଉଚ୍ଚତା ୭.୫୦ ମିଟର(ଜି+୧) ଭିତରେ ରଖିବାକୁ କୁହାଯାଇଛି।

ଯାହାର ତଳ ମହଲା ୧୩୬୫ ବର୍ଗମିଟର ଓ ପ୍ରଥମ ମହଲା ୧୩୦୫ ବର୍ଗମିଟର ଭିତରେ ନିର୍ମାର କରିବାକୁ କୁହାଯାଇଛି। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ବି ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ସହ ଏହାର ଉଚ୍ଚତା ୭.୫୦ ମିଟର ଭିତରେ ରଖିବାକୁ କୁହାଯାଇଛି। ଏହାସହ ଏଥିପାଇଁ ସଂଶୋଧିତ ଏନଏଓ ଆବେଦନ କରିବାକୁ ଏନଏମଏ ସ୍ପଷ୍ଟ କରିଛନ୍ତି। ଇଟିପି(ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ)କୁ ବି ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ସହ ଏହାର ନିର୍ମାଣ ପାଇଁ ଭିନ୍ନ ପ୍ରସ୍ତାବ ପଠାଇବାକୁ କୁହାଯାଇଛି। ସେହିଭଳି ବଡ଼ଛତା ମଠ ଓ ଛାଉଣୀ ମଠର ମରାମତି ପାଇଁ ଭିନ୍ନ ପ୍ରସ୍ତାବ ପଠାଇବାକୁ ବି ଏନଏମଏ କହିଛନ୍ତି।
ଭୁବନେଶ୍ବର ଏକାମ୍ର ସଂରକ୍ଷଣ ଯୋଜନା ଉପରେ ଏନଏମଏ କହିଛନ୍ତି ଯେ ଚଳିତବର୍ଷ ମାର୍ଚ୍ଚ ୨୦୨୨ରେ ଓବିସିସି କୋଟିତୀର୍ଥେଶ୍ବର ଲେନ୍‌ ସଂଲଗ୍ନ ରାସ୍ତା, ତିନିମୁଣ୍ଡିଆ ଛକ-ବଢ଼େଇ ବାଙ୍କ ଛକ ରାସ୍ତା, ବିନ୍ଦୁସାଗରକୁ ସଂଯୋଗ କରୁଥିବା ପାଦଚଲା ରାସ୍ତା, ଲିଙ୍ଗରାଜ ବହୁବିଧ କେନ୍ଦ୍ର, କେଦାରଗୌରୀ ପାର୍କିଂ ଓ ସ୍ବତନ୍ତ୍ର ସଂରକ୍ଷିତ ପାର୍କିଂ, ଲିଙ୍ଗରାଜ ଏଣ୍ଟ୍ରାନ୍ସ ପ୍ଲାଜା, ହେରିଟେଜ୍‌ ପାର୍କ, କେଦାରଗୌରୀ ପ୍ଲାଜା, ଅନନ୍ତ ବାସୁଦେବ ପ୍ଲାଜା, ଲିଙ୍ଗରାଜ ହାଟ, ଭଜନ ମଣ୍ଡପ ନିର୍ମାଣ ଉପରେ ଡିପିଆର ଦାଖଲ କରିଥିଲା। ଏଣୁ ଏହି କାର୍ଯ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକାରୀ କରିବାକୁ ଏନଏମଏ କହିଛନ୍ତି। ଏହାଦ୍ବାରା ଯେଭଳି ଐତିହ୍ୟ କୀର୍ତ୍ତିରାଜି ଉପରେ କୌଣସି କୁପ୍ରଭାବ ପଡ଼ିବନି, ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର ପାଇଁ ଓବିସିସିକୁ ଭିନ୍ନ ଭାବେ ଏନଓସି ପାଇଁ ଆବେଦନ କରିବାକୁ କୁହାଯାଇଛି। ଅନନ୍ତ ବାସୁଦେବ ମନ୍ଦିର ରୋଷଘର ନିର୍ମାଣ କାର୍ଯ୍ୟ ନିୟନ୍ତ୍ରିତ ଅଞ୍ଚଳରେ କରିବାକୁ କୁହାଯାଇଛି। ମାର୍କଣ୍ଡେଶ୍ବର ମନ୍ଦିର ଓ ପାପନାଶିନୀ ପୁଷ୍କରିଣୀ ସଂପ୍ରସାରଣ ଓ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ସହ ଆଲୋଚନା କରି ଭିନ୍ନ ଭାବେ ଆବେଦନ କରିବାକୁ କୁହାଯାଇଛି। ସମସ୍ତ ବିକାଶମୂଳକ କାର୍ଯ୍ୟ ପ୍ରତ୍ନତତ୍ତ୍ବ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରିବାକୁ କୁହାଯାଇଛି।

ଓବିସିସି ଗତ ମାର୍ଚ୍ଚରେ କୋଣାର୍କ ଐତିହ୍ୟ ଅଞ୍ଚଳ ଉନ୍ନୟନ ଯୋଜନା ଉପରେ ଏକ ବିସ୍ତୃତ ଡିପିଆର ଏନଏମଏକୁ ପ୍ରଦାନ କରିଥିଲା। ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ ଲ୍ୟାଣ୍ଡସ୍କେପ ପ୍ଲାଜା, ରେନ୍‌ ପ୍ଲାଜା, ସଟଲ୍‌ ଲେନ୍‌, ସଟଲ୍‌ ପିକଅପ ଆଣ୍ଡ ଡ୍ରପ ଅଫ ପଏଣ୍ଟକୁ ଏନଏମଏ ଅନୁମତି ପ୍ରଦାନ କରିଛି। ଓପନ ଏୟାର ଥିଏଟର ଉପରେ ଭିନ୍ନ ଭାବେ ଆବେଦନ କରିବାକୁ କୁହାଯାଇଛି। ସେହିଭଳି ଫୁଟ ଓଭରବ୍ରିଜ, ରାମ୍ପ, ଏସ୍କାଭେଟର, ଭେଣ୍ଡିଂ ଜୋନ, ସୂଚନା କେନ୍ଦ୍ର, ପାର୍କିଂ, ଲନ୍‌, ସଂଯୋଗ ରାସ୍ତାର ଉନ୍ନତିକରଣ ପ୍ରକଳ୍ପକୁ ବି ଏନଏମଏ ଅନୁମତି ପ୍ରଦାନ କରିଛନ୍ତି। ଏଥିସହ ଏନଏମଏ ସ୍ପଷ୍ଟ କରିଛନ୍ତି, ଯେଉଁ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି, ତାହା କୌଣସି ବଡ଼ ବଡ଼ ଯନ୍ତ୍ରାଂଶରେ କରାଯିବନି। ଗାତ ଖୋଳିବା ଅବା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଲୋକ ଲଗାଇ ଅବା ଛୋଟ ଛୋଟ ଯନ୍ତ୍ରାଂଶ ଲଗାଇ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe