New Indian Express
ଉଚ୍ଛେଦ ଉପରେ ଅଗଷ୍ଟ ୩ ପର୍ଯ୍ୟନ୍ତ ଅଙ୍କୁଶ
କଟକ : କରୋନା ସଂକ୍ରମଣକୁ ନେଇ ଦେଖାଦେଇଥିବା ପରିସ୍ଥିତିକୁ ବିଚାରକୁ ନେଇ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ, ସୁରକ୍ଷା, ଅନ୍ତରୀଣ ଜାମିନ, ପାରୋଲ୍ର ଅବଧି ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହିତ ଉଚ୍ଛେଦ, ବେଦଖଲ ଓ ଭାଙ୍ଗିବା ଉପରେ ଅଗଷ୍ଟ ୩ ପର୍ଯ୍ୟନ୍ତ ଅଙ୍କୁଶ ଜାରି କରିଛନ୍ତି।
କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଖା ଦେଇଥିବା ସ୍ଥିତିରେ ନିଜଆଡ଼ୁ ରୁଜୁ କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟ ୨୦୨୧, ଏପ୍ରିଲ ୨୯ରେ ପ୍ରଦାନ କରିଥିବା ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ ଜୁଲାଇ ୧୬ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜୁନ୍ ୨୯ରେ ନିର୍ଦ୍ଦେଶ ଦେଇଥିଲେ। ପୂର୍ବର ଏହି ଅନ୍ତରୀଣ ନିର୍ଦ୍ଦେଶ ଅଗଷ୍ଟ ୩ ପର୍ଯ୍ୟନ୍ତ ହାଇକୋର୍ଟ ଆଜି ସଂପ୍ରସାରିତ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨କୁ ଧାର୍ଯ୍ୟ କରାଯାଇଛି।
ନିମ୍ନ ଅଦାଲତ ସ୍ବାଭାବିକ ପାଇଁ ନିର୍ଦ୍ଦେଶ
କଟକ : କରୋନା ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ସବ୍ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ ଟ୍ରିବୁନାଲଗୁଡିକ କିଭିଳି ଭାବେ କାର୍ଯ୍ୟ କରିବେ, ସେ ନେଇ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜୁଲାଇ ୧୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଏହି ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ରହିଥିବା ନିର୍ଦ୍ଦେଶନାମା ସହିତ ୨୦୨୧, ଫେବ୍ରୁଆରି ୧୧ରେ ଜାରି କରାଯାଇଥବା ଏସ୍ଓପି ଅଦାଲତ କାର୍ଯ୍ୟ ସଂପାଦନ ବେଳେ ପାଳନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ରାଜ୍ୟ ସରକାରଙ୍କ କରୋନା ‘କାଟାଗୋରି-ଏ’ ଜିଲ୍ଲାରେ ସମସ୍ତ କାର୍ଯ୍ୟ ଦିବସରେ ସ୍ବାଭାବିକ କୋର୍ଟ କାର୍ଯ୍ୟ ଆରମ୍ଭ କରାଯିବ ଓ ସମସ୍ତ ପ୍ରକାର ମାମଲାର ଅନ୍ୟାଦେଶ ପର୍ଯ୍ୟନ୍ତ ଶୁଣାଣି କରାଯିବ। ସେହିଭଳି ଭାବେ ‘କାଟାଗୋରି-ବି ଜିଲ୍ଲାରେ ସ୍ବାଭାବିକ କୋର୍ଟ କାର୍ଯ୍ୟ ଆରମ୍ଭ କରାଯିବ। ଜୁଲାଇ ୧୯ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିବସରେ ଦିନ ୩ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ହେବ। ଦିନ ୧ଟାରୁ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ବିରତି ରହିବ। ସବୁ ଧରଣର ମାମଲା ଏହି ସବୁ ଜିଲ୍ଲାରେ ଶୁଣାଣି କରାଯିବ। ‘ଫିଜିକାଲ୍ ବା ‘ଭର୍ଚୁଆଲ ମୋଡ୍ରେ ମାମଲାର ଶୁଣାଣି କରାଯିବ। କୋର୍ଟଙ୍କ ସୁବିଧାକୁ ଦେଖି କେଉଁ ବ୍ୟବସ୍ଥାରେ ମାମଲା ଶୁଣାଣି ହେବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଭିଡିଓ କନଫରେନ୍ସିଂରେ ଜାରି ରହିବ ଶୁଣାଣି
କଟକ : ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲା ଶୁଣାଣି କରାଯିବ। ଏ ନେଇ ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟ କାର୍ଯ୍ୟ ନେଇ ଜୁଲାଇ ୧ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ବ୍ୟବସ୍ଥା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।
କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ନେଇ ଜୁଲାଇ ୧୫ରେ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ କୋର୍ଟ କାର୍ଯ୍ୟ ସଂକ୍ରାନ୍ତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧ର ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲା ଶୁଣାଣି ଜାରିରହିବ। ନୂଆ ମାମଲା ସହିତ ଡକୁମେଣ୍ଟ ଦାଖଲ ଡ୍ରପ୍ ବକ୍ସ, ଇ-ମେଲ୍ ବା ଇ-ଫାଇଲିଂ ପୋର୍ଟାଲରେ କରାଯାଇପାରିବ। ଜରୁରୀ ମାମଲା କ୍ଷେତ୍ରରେ ମୌଖିକ ଭାବେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ରେଜିଷ୍ଟ୍ରାର(ଜୁଡିସିଆଲ) ଓ ଡେପୁଟି ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ନିକଟରେ ମେନସନ୍ କରାଯାଇପାରିବ। ହାଇକୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ରହିବ। ହାଇକୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ରହିବ। କିନ୍ତୁ ଆବେଦନରେ ଥିବା ତ୍ରୁଟି ଦୂର (ଡିଫେକ୍ଟ ରିମୁଭାଲ) କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶରେ ଆଇନଜୀବୀମାନେ ହାଇକୋର୍ଟକୁ ଆସି ପାରିବେ।
Follow Us