ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଜାମିନ୍ ସର୍ତ୍ତ ପୂରଣ ଲାଗି ଅଭିଯୁକ୍ତଙ୍କୁ ମିଳି ପାରିବନି ଅନିର୍ଦ୍ଦିଷ୍ଟ ସମୟସୀମା

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଠିକ ସମୟରେ ଚାର୍ଜସିଟ ଦାଖଲ ହୋଇ ପାରି ନଥିବାରୁ ଦୁଇ ଅଭିଯୁକ୍ତଙ୍କୁ ଅଦାଲତ ଜାମିନ୍ ପ୍ରଦାନ କରିଥିଲେ। କିନ୍ତୁ ଅଦାଲତ ଜାମିନ ଦେବାର ଠିକ ପରଦିନ ଚାର୍ଜସିଟ୍ ଦାଖଲ ହୋଇଯାଇଥିଲା। ସେତେବେଳକୁ ଦୁଇ ଅଭିଯୁକ୍ତ ଅଦାଲତରେ ଜାମିନ୍ ସର୍ତ୍ତ ଅନୁଯାୟୀ ବେଲ୍ ବଣ୍ଡ୍‌ ଦାଖଲ କରି ପାରି ନଥିଲେ। ଅନ୍ୟପଟେ ଚାର୍ଜସିଟ୍ ଦାଖଲ ହୋଇ ଯାଇଥିବାରୁ ଅଦାଲତ ବି ଆଉ ଦୁଇ ଅଭିଯୁକ୍ତଙ୍କ ବେଲ୍ ବଣ୍ଡ୍ ଗ୍ରହଣ ନ କରି ସେମାନଙ୍କ ଜାମିନକୁ ଖାରଜ କରି ଦେଇଥିଲେ। ଏହା ବିରୋଧରେ ଅଭିଯୁକ୍ତ ହାଇକୋର୍ଟର ଆଶ୍ରୟ ନେଇଥିଲେ। କିନ୍ତୁ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରି ଦେବା ସହିତ ତଳ କୋର୍ଟର ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଜାମିନ ସର୍ତ୍ତ ପୂରଣ ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସୁମନ୍ତ କୁମାର ଶବର ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ୨୦୨୧, ଏପ୍ରିଲ ୮ରେ କୋର୍ଟ ଚାଲାଣ କରାଯାଇଥିଲା। ନିର୍ଦ୍ଧାରିତ ୧୮୦ ଦିନ ସମୟସୀମା ଭିତରେ ଚାର୍ଜସିଟ ଦାଖଲ ହୋଇ ନଥିବା ବେଳେ ଗୁଣୁପୁର ସ୍ବତନ୍ତ୍ର ଅଦାଲତରେ ଦୁଇ ଅଭିଯୁକ୍ତ ସିଆରପିସିର ଧାରା ୧୬୭(୨) ଓ ଏନଡିପିଏସ ଆଇନର ଧାରା ୩୬(ଏ)ରେ ଜାମିନ ପାଇଁ ଆବେଦନ କରିଥିଲେ। ୨୦୨୧, ଅକ୍ଟୋବର ୭ରେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଦିନକ ପରେ ଅକ୍ଟୋବର ୮ରେ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ ଦାଖଲ କରିଥିଲା। ଅନ୍ୟପକ୍ଷରେ ଅକ୍ଟୋବର ୧୧ରେ ଜାମିନ ନିର୍ଦ୍ଦେଶ ଅନୁସାରେ ସର୍ତ୍ତପୂରଣ କରି ଅଭିଯୁକ୍ତଙ୍କ ତରଫରୁ ବେଲ୍‌ ବଣ୍ଡ୍‌ ଦାଖଲ କରାଯାଇଥିଲା। ସ୍ବତନ୍ତ୍ର ଅଦାଲତ ବେଲ୍‌ ବଣ୍ଡ୍‌ ଗ୍ରହଣ କରିବାକୁ ମନା କରିଥିବା ବେଳେ ଏ ସଂପର୍କିତ ଅକ୍ଟୋବର ୧୧ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦୁଇ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

୨୦୨୧, ଅକ୍ଟୋବର ୭ରେ ସର୍ତ୍ତମୂଳକ ଜାମିନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅକ୍ଟୋବର ୮ରେ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ ଦାଖଲ କରିଥିବାରୁ ସ୍ବତନ୍ତ୍ର ଅଦାଲତ ବେଲ୍‌ ବଣ୍ଡ୍‌ ଗ୍ରହଣ କରିବାକୁ ମନା କରିଥିଲେ। ଅନ୍ୟପକ୍ଷରେ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଅଭିଯୁକ୍ତଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜାମିନ ପ୍ରଦାନ ବେଳେ ସର୍ତ୍ତପୂରଣ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନଥିଲା। ବେଲ୍‌ ବଣ୍ଡ୍‌ ଦାଖଲରେ ବିଳମ୍ବ ପାଇଁ ଅଭିଯୁକ୍ତଙ୍କ ଡିଫଲ୍ଟ ବେଲ୍‌ ଅଧିକାର କେହି ନେଇ ପାରିବେ ନାହିଁ। ଅନ୍ୟପକ୍ଷରେ ଜାମିନ ସର୍ତ୍ତ ପୂରଣ କରିବା ପୂର୍ବରୁ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବାରୁ ନିମ୍ନ ଅଦାଲତଙ୍କ ରାୟ କାଏମ ରଖାଯିବା ସପକ୍ଷରେ ସରକାରଙ୍କ ତରଫରୁ ଯୁକ୍ତି ଦର୍ଶାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏମ.ରବୀନ୍ଦ୍ରନ, ସଂଜୟ ଦତ୍ତ ଓ ହିତେନ୍ଦ୍ର ବିଷ୍ଣୁ ଠାକୁର ମାମଲାରେ ରହିଥିବା ନିର୍ଦ୍ଦେଶ ଆଧାରରେ ହାଇକୋର୍ଟ ପ୍ରଦାନ କରିଥିବା ରାୟରେ ସ୍ବତନ୍ତ୍ର ଅଦାଲତର ଆଦେଶକୁ କାଏମ ରଖାଯିବା ସହିତ ଏ ସଂପର୍କିତ ଆବେଦନକୁ ଖାରଜ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe