ମୋହନଙ୍କ ହାତରେ ଗୁରୁତ୍ବପୂର୍ଣ୍ଣ ବିଭାଗ: ଗୃହ, ଅର୍ଥ, ଜଳ ସମ୍ପଦ ଓ ଲୋକସମ୍ପର୍କ ସମେତ ୬ ବିଭାଗ ରଖିଲେ

Advertisment

କନକ ବର୍ଦ୍ଧନଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ବିଭାଗ

କନକ ବର୍ଦ୍ଧନଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ବିଭାଗ

ଆଦିବାସୀଙ୍କ ଜମି ଅଣଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ: ମୋହନ ମାଝୀ

ଭୁବନେଶ୍ବର: ବିଜେପି ସରକାରର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବାର ୪ଦିନ ପରେ ଆଜି ସେମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ଆଜି ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ୬ଟି ବିଭାଗ ରଖିଛନ୍ତି। ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅର୍ଥ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ସମେତ ଅନ୍ୟ ଯେଉଁ ବିଭାଗ ମନ୍ତ୍ରୀମାନଙ୍କୁ ବଣ୍ଟା ହୋଇନି ସେଗୁଡ଼ିକୁ ନିଜ ପାଖରେ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ରଖିବା ସ୍ବାଭାବିକ ଥିଲେ ହେଁ ମୋହନ କିନ୍ତୁ ନିଜ ପାଖରେ ଏହି ଦୁଇ ବିଭାଗ ସମେତ ଅର୍ଥ, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ, ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ନିଜ ପାଖରେ ଅର୍ଥ, ସୂଚନା ଓ ଲୋକସମ୍ପର୍କ ବିଭାଗ ରଖୁନଥିଲେ। କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ନିଜ ପାଖରେ ରଖିଛନ୍ତି। ଏବେ ବି ମନ୍ତ୍ରିମଣ୍ଡଳରେ ଆଉ ୬ଜଣ ସାମିଲ୍ ହୋଇପାରିବାର ସମ୍ଭାବନା ଥିବାରୁ ଭବିଷ୍ୟତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ମୁଖ୍ୟମନ୍ତ୍ରୀ ଏହି ବିଭାଗ ଅନ୍ୟ ମନ୍ତ୍ରୀଙ୍କୁ ଛାଡ଼ିବେ ବୋଲି କୁହାଯାଉଛି। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ୫ଟି ବିଭାଗ ମିଳିଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ବିଭାଗ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଛି। ପଶ୍ଚିମ ଓଡ଼ିଶାରେ କୃଷି ଓ କୃଷକଜନିତ ସମସ୍ୟା ଅଧିକ ଥିବାରୁ ଏହି ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବା କନକବର୍ଦ୍ଧନଙ୍କୁ କୃଷି ବିଭାଗ ଦାୟିତ୍ବ ଦିଆଯାଇଛି ବୋଲି କୁହାଯାଉଛି। ସେହିଭଳି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି, ପର୍ଯ୍ୟଟନ ବିଭାଗ ଦାୟିତ୍ବ ମିଳିଛି। ଶ୍ରୀମତୀ ପରିଡ଼ା ମୋହନଙ୍କ ମନ୍ତ୍ରିମଣ୍ଡଳର ଏକମାତ୍ର ମହିଳା ମନ୍ତ୍ରୀ ହୋଇଥିବାରୁ ତାଙ୍କୁ ମହିଳା ଏବଂ ଶିଶୁ ବିକାଶ, ମିସନ ଶକ୍ତି ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ତାଙ୍କୁ ତାହା ହିଁ ମିଳିଛି।

୮ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ୧୮ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଆବଣ୍ଟନ ହୋଇଛି। ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ବ ଦିଆଯାଇଛି। ରବି ନାରାୟଣ ନାୟକଙ୍କୁ ଗ୍ରାମାଞ୍ଚଳର ବିକାଶ ଦାୟିତ୍ବ ଦିଆଯାଇଛି। ତାଙ୍କୁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମଧ୍ୟ ମିଳିଛି। ନିତ୍ୟାନନ୍ଦ ଗଣ୍ଡ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବାରୁ ତା‌ଙ୍କୁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ମିଳିଛି। ଏହାସହ ବିଦ୍ୟାଳୟ ଏବଂ ଗଣଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମିଳିଛି। କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ସମେତ ବିଜ୍ଞାନ ଓ ବୈଷୟିକ ବିଭାଗ ମିଳିଛି। ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ, ପୂର୍ତ୍ତ ଓ ଅବକାରୀ ଭଳି ଅତି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ପୃଥ୍ବୀରାଜଙ୍କ ବାପା ବିଶ୍ବଭୂଷଣ ହରିଚନ୍ଦନ ବିଜେପି-ବିଜେଡି ମେଣ୍ଟ ସରକାରରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଆଇନ ବିଭାଗର ମନ୍ତ୍ରୀ ଥିଲେ। ଏବେ ପୃଥ୍ବୀରାଜଙ୍କୁ ସେହି ବିଭାଗ ଦିଆଯାଇଛି। ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମିଳିଛି। ବିଭୂତି ଭୂଷଣ ଜେନାଙ୍କୁ ବାଣିଜ୍ୟ ଏବଂ ପରିବହନ, ଇସ୍ପାତ ଓ ଖଣି ବିଭାଗ ଭଳି ଦୁଇଟି ବଡ଼ ବିଭାଗ ମିଳିଛି। ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସହରାଞ୍ଚଳ ବିକାଶ ଦାୟିତ୍ବ ଦିଆଯାଇଛି। ତାଙ୍କୁ ଗୃହନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ମିଳିଛି। ଏହାସହ ସାଧାରଣ ଉଦ୍ୟୋଗ ବିଭାଗ ବି ମିଳିଛି।

ସେହିପରି ୫ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)ଙ୍କୁ ୧୧ଟି ବିଭାଗ ମିଳିଛି। ଏଥିରେ ଗଣେଶ ରାମ ସିଂହଖୁଣ୍ଟିଆଙ୍କୁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦାୟିତ୍ବ ଦିଆଯାଇଛି। ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିଛି। ବିଜେପି ଯେଉଁ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିଥିଲା ତାହାକୁ ଠିକ୍ ଦିଗରେ ନେବାର ଦାୟିତ୍ବ ସୂର୍ଯ୍ୟବଂଶୀ ସୂରଜଙ୍କ ହାତରେ ଦିଆଯାଇଛି। ପ୍ରଦୀପ ବଳ ସାମନ୍ତଙ୍କୁ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦାୟିତ୍ବ ଦିଆଯାଇଛି। ‌ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମିଳିଛି। ସମ୍ପଦ ଚରଣ ସ୍ବାଇଁଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମିଳିଛି।ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଜୁନ୍ ୧୨ରେ ମନ୍ତ୍ରୀ ଭାବେ ଶ ପଥ ଗ୍ରହଣ କରିଥିଲେ ହେଁ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇନଥିବାରୁ ସେମାନେ ଦାୟିତ୍ବ ନେଇପାରିନଥିଲେ। ଆସନ୍ତା ମଙ୍ଗଳବାର ଠାରୁ ମନ୍ତ୍ରୀମାନେ ସେମାନଙ୍କୁ ଆବଣ୍ଟିତ ବିଭାଗର ଦାୟିତ୍ବ ନେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe