High court: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଗିରଫ ବ୍ୟକ୍ତିଙ୍କୁ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଅବଗତ କରାଯିବା ବାଧ୍ୟତାମୂଳକ

ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଗିରଫ ବ୍ୟକ୍ତିଙ୍କୁ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଅବଗତ କରାଯିବ। ଏ ସଂକ୍ରାନ୍ତରେ ଅଟକ/ଗିରଫ ବ୍ୟକ୍ତି ବୁଝିପାରୁଥିବା ଭାଷା ଓ ପଢ଼ି ପାରୁଥିବା ଲିପିରେ ଜଣାଇବାକୁ ଗିରଫ କରୁଥିବା ଅଧିକାରୀ (ଆରେଷ୍ଟିଂ ଅଫିସର) ବାଧ୍ୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।

Orissa High Court

Orissa High Court Photograph: (sambad.in )

କଟକ: ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଗିରଫ ବ୍ୟକ୍ତିଙ୍କୁ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଅବଗତ କରାଯିବ। ଏ ସଂକ୍ରାନ୍ତରେ ଅଟକ/ଗିରଫ ବ୍ୟକ୍ତି ବୁଝିପାରୁଥିବା ଭାଷା ଓ ପଢ଼ି ପାରୁଥିବା ଲିପିରେ ଜଣାଇବାକୁ ଗିରଫ କରୁଥିବା ଅଧିକାରୀ (ଆରେଷ୍ଟିଂ ଅଫିସର) ବାଧ୍ୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଥି ସହିତ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଅଭିଯୁକ୍ତଙ୍କୁ ଅବଗତ କରାଯାଇ ନ ଥିବା ଘଟଣା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଏକ ହତ୍ୟା ଅଭିଯୋଗ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଗିରଫଦାରୀର ଆଧାର ସଂକ୍ରାନ୍ତରେ ନିୟମ ଅନୁସାରେ ଅବଗତ କରାଯାଇ ନ ଥିବାରୁ ଆବେଦନକାରୀଙ୍କ ଗିରଫ ତ୍ରୁଟିପୂର୍ଣ୍ଣ। ଫଳସ୍ବରୂପ ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କୁ ହାଜତକୁ ପଠାଯିବା ମଧ୍ୟ ‌ବେଆଇନ। ସମ୍ବିଧାନର ଧାରା ୨୨(୧)ରେ ଥିବା ବ୍ୟବସ୍ଥା ପାଳନ କରାଯାଇ ନ ଥିବାରୁ ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। 

ଏଥି ସହିତ ୫୦ ହଜାର ଟଙ୍କାର ଜଣେ ଲେଖାଏଁ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜେନ୍ଦ୍ର ନାୟକ ଓ ହେମନ୍ତ ନାୟକଙ୍କ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ,‌ ଅଟକ/ଗିରଫ ବ୍ୟକ୍ତିଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ରହିଛି। ସମ୍ବିଧାନର ଧାରା ୨୨(୧) ଅନୁସାରେ ଗିରଫ/ଅଟକ ବ୍ୟକ୍ତିଙ୍କୁ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇ ଦିଆଯିବ। ବିଏନ୍‌ଏସ୍‌ର ଧାରା ୪୭ ଅନୁସାରେ ଗିରଫ ବ୍ୟକ୍ତିଙ୍କୁ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଗିରଫ କରୁଥିବା ଅଧିକାରୀ ଅବଗତ କରିବା ବାଧ୍ୟତାମୂଳକ। ସଂପୃକ୍ତ ବ୍ୟକ୍ତି ବୁଝି ପାରୁଥିବା ଭାଷାରେ ଏ ନେଇ ଜଣାଇ ଦିଆଯିବା କଥା। ହାଇକୋର୍ଟ‌ରେ ଆବେଦନକାରୀଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିବା ଆରେଷ୍ଟ ମେମୋରେ ଗିରଫର ଆଧାର ସ୍ତମ୍ଭ ଖାଲି ଛାଡ଼ି ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା। ଏଥିରୁ ଆବେଦନକାରୀଙ୍କୁ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଅବଗତ କରାଯାଇ ନଥିବା ସ୍ପଷ୍ଟ ହୋଇଥିଲା। ଏଥିରୁ ସମ୍ବିଧାନର ଧାରା ୨୨(୧)ର ପାଳନ କରାଯାଇ ନଥିବା ଜଣାପଡ଼ିଥିଲା। ଆବେଦନକାରୀଙ୍କ ଗିରଫଦାରୀ ବେଆଇନ ବୋଲି ହାଇକୋର୍ଟ କହିବା ସହିତ ଜାମିନ ପ୍ରଦାନ ସପକ୍ଷରେ ରାୟ ଦେଇଛନ୍ତି।

ବିବରଣୀରୁ ପ୍ରକାଶ ଯେ ଥୁଆମୂଳ ଥାନାରେ ରୁଜୁ ଏକ ହତ୍ୟା ମାମଲାରେ ଆବେଦନକାରୀଙ୍କୁ ଗିରଫ କରାଯାଇଥିଲା। କଳାହାଣ୍ଡି ଦୌରା ଜଜ୍‌ ଅଦାଲତରେ ଜାମିନ ଖାରଜ ହେବା ପରେ ଦୁଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗିରଫଦାରୀର ଆଧାର ସଂକ୍ରାନ୍ତରେ ଅବଗତ କରାଯାଇ ନ ଥିବାରୁ ଗିରଫ ଓ ରିମାଣ୍ଡରେ ପଠାଯିବା ବେଆଇନ ବୋଲି ଦର୍ଶାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe