ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସ୍ବାମୀଙ୍କ ଶାରୀରିକ ଦୁର୍ବଳତାକୁ ନେଇ ଅପଶବ୍ଦ ବିବାହ ବିଚ୍ଛେଦ ପାଇଁ ପର୍ଯ୍ୟାପ୍ତ

ସ୍ବାମୀଙ୍କ ଶାରୀରିକ ଦୁର୍ବଳତା/ଅକ୍ଷମତା ପ୍ରସଙ୍ଗରେ ଆକ୍ଷେପ କରି ମନ୍ତବ୍ୟ ଦେବା ଓ ତାଙ୍କର ଏଭଳି ସ୍ଥିତି ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଏକ ପ୍ରକାର ମାନସିକ ନୃଶଂସତା। ବିବାହ ବିଚ୍ଛେଦ ନିର୍ଦ୍ଦେଶ ପ୍ରଦାନ ପାଇଁ ଏପରି କାରଣ ପର୍ଯ୍ୟାପ୍ତ ଆଧାର ବୋଲି ହାଇକୋର୍ଟ କହିଛନ୍ତି।

Orissa High Court

Orissa High Court Photograph: (sambad.in )

କଟକ: ସ୍ବାମୀଙ୍କ ଶାରୀରିକ ଦୁର୍ବଳତା/ଅକ୍ଷମତା ପ୍ରସଙ୍ଗରେ ଆକ୍ଷେପ କରି ମନ୍ତବ୍ୟ ଦେବା ଓ ତାଙ୍କର ଏଭଳି ସ୍ଥିତି ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଏକ ପ୍ରକାର ମାନସିକ ନୃଶଂସତା। ବିବାହ ବିଚ୍ଛେଦ ନିର୍ଦ୍ଦେଶ ପ୍ରଦାନ ପାଇଁ ଏପରି କାରଣ ପର୍ଯ୍ୟାପ୍ତ ଆଧାର ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ସ୍ବାମୀଙ୍କ ଆବେଦନକୁ ଗ୍ରହଣ କରି ବିବାହ ବି‌ଚ୍ଛେଦ ସପକ୍ଷରେ ପୁରୀ ପରିବାର ଅଦାଲତ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ଜଷ୍ଟିସ୍‌ ବିଭୁପ୍ରସାଦ ରାଉତରାୟ ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ଶାରୀରିକ ଦୁର୍ବଳତା ପ୍ରସଙ୍ଗରେ ସ୍ବାମୀଙ୍କ ବିରୋଧରେ ପତ୍ନୀ ଏପରି ମନ୍ତବ୍ୟ ଦେବା ତାଙ୍କୁ ମାନସିକ କଷ୍ଟ ଦେଉଥିବ। ଏପରି ବ୍ୟବହାର ସ୍ବାମୀଙ୍କ ପ୍ରତି ପତ୍ନୀଙ୍କ ଚିନ୍ତାଧାରା ଓ ସମ୍ମାନକୁ ପ୍ରକାଶ କରୁଛି। ସ୍ବାମୀ-ସ୍ତ୍ରୀ ସଂପର୍କରେ ଶାରୀରିକ ଦୁର୍ବଳତା ସତ୍ତ୍ବେ ସ୍ବାମୀଙ୍କୁ ପତ୍ନୀ ସମର୍ଥନ ଦେବେ ବୋଲି ଆଶା କରାଯାଏ। ଏହି ମାମଲାରେ ସ୍ବାମୀଙ୍କ ଶାରୀରିକ ଦୁର୍ବଳତା ପାଇଁ ପତ୍ନୀ ଆକ୍ଷେପ କରିବା ସହିତ କଟୁ ଟିପ୍ପଣୀ ଦେଉଥିବା ସ୍ପଷ୍ଟ ହୋଇଛି। ମାନସିକ ନୃଶଂସତା ଆଧାରରେ ପୁରୀ ପରିବାର ଅଦାଲତ ବିବାହ ବିଚ୍ଛେଦ ପାଇଁ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି। ଅନ୍ୟପକ୍ଷରେ ପତି-ପତ୍ନୀଙ୍କ ଆୟ ସଂପର୍କିତ କୌଣସି ତଥ୍ୟ ମାମଲାର ରେକର୍ଡରେ ନଥିଲା।  ଏଭଳି ସ୍ଥିତିରେ ହିନ୍ଦୁ ବିବାହ ଆଇନ ଅନୁସାରେ ପତ୍ନୀ ସ୍ଥାୟୀ ଭରଣ‌ପୋଷଣ ମଞ୍ଜୁର ଓ ସ୍ତ୍ରୀଧନ ଫେରସ୍ତ ଦାବି ପ୍ରସଙ୍ଗକୁ ପରିବାର ଅଦାଲତରେ ଉଠାଇ ପାରି‌ବେ ବୋଲି ହାଇ‌ୋକାର୍ଟ କହିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ସ୍ବାମୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ପତ୍ନୀଙ୍କ ଦ୍ବାରା ନିର୍ଯାତିତ ବୋଲି ଅଭିଯୋଗ କରିଥିଲେ। ୨୦୧୬ରେ ବିବାହ ହୋଇଥିବା ବେଳେ ୨୦୧୯ରେ ସ୍ବାମୀ ପୁରୀ ପରିବାର ଅଦାଲତରେ ବିବାହ ବିଚ୍ଛେଦ ପାଇଁ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତାଙ୍କ ଶାରୀରିକ ଦୁର୍ବଳତା ପ୍ରସଙ୍ଗକୁ ନେଇ ପତ୍ନୀ ଆକ୍ଷେପ କରିବା ସହିତ କଟୁ ଶବ୍ଦ ପ୍ରଯୋଗ କରି ମନ୍ତବ୍ୟ ଦିଅନ୍ତି ବୋଲି ସ୍ବାମୀ ଅଭିଯୋଗ କରିଥିଲେ। ଅଦାଲତରେ ସାକ୍ଷ୍ୟ ଗ୍ରହଣ ବେଳେ ସ୍ବାମୀ ମଧ୍ୟ ତାଙ୍କ ବୟାନରେ ସମାନ କଥା କହିଥିଲେ। ସ୍ବାମୀଙ୍କ ଏପରି କଥାକୁ ଭୁଲ ବୋଲି ଅଦାଲତରେ ପ୍ରମାଣ କରାଯାଇ ପାରି ନଥିଲା। ପରିବାର ଅଦାଲତ ବିବାହ ବିଚ୍ଛେଦ ପାଇଁ ୨୦୨୩ରେ ରାୟ ଦେଇଥିଲେ। ପତ୍ନୀଙ୍କୁ କୌଣସି ସ୍ଥାୟୀ ଭରଣପୋଷଣ ମଞ୍ଜୁର ନ କରି ପରିବାର ଅଦାଲତ ବିବାହ ବିଚ୍ଛେଦ ରାୟ ପ୍ରଦାନ କରିଥିବାରୁ ଏପରି ରାୟକୁ ବିରୋଧ କରି ପତ୍ନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe