Orissa High Court Photograph: (sambad.in )
କଟକ: ଆଇନ ଅନୁଯାୟୀ କୌଣସି ସଂପତ୍ତିର ବୈଧ କାଗଜପତ୍ର ଥିଲେ ତାହାର ପଞ୍ଜୀକରଣ ବନ୍ଦ ରଖିବାକୁ ସବ୍-ରେଜିଷ୍ଟ୍ରାରଙ୍କୁ ଜିଲ୍ଲା ରେଜିଷ୍ଟ୍ରାର ଚିଠି କରି ପାରିବେ ନାହିଁ। ଏପରି ପ୍ରସଂଗରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଏଡିଏମ) ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କ କ୍ଷମତା ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏଥିସହିତ ବୌଦ୍ଧଗଡ଼ ମୌଜାରେ ନିର୍ଦ୍ଦିଷ୍ଟ ଖାତାରେ ରେକର୍ଡଭୁକ୍ତ ଭୂସଂପତ୍ତିର ପଞ୍ଜୀକରଣ ସାମୟିକ ଭାବେ ବନ୍ଦ ରଖିବାକୁ ବୌଦ୍ଧ ସବ୍-ରେଜିଷ୍ଟ୍ରାରଙ୍କୁ ୨୦୨୪, ଡିସେମ୍ବର ୧୬ରେ ବୈଦ୍ଧ ଏଡିଏମ ତଥା ଜିଲ୍ଲା ରେଜିଷ୍ଟ୍ରାର ଜାରି କରିଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.ଅଗ୍ରୱାଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ରାୟରେ ଉଲ୍ଲେଖ କରାଯାଇଛି ଯେ ରେଜିଷ୍ଟ୍ରେସନ୍ ଆଇନ, ୧୯୦୮ର ଧାରା ୬୮ ରେଜିଷ୍ଟ୍ରାରଙ୍କୁ କେତେକ କ୍ଷମତା ପ୍ରଦାନ କରିଛି। ଏହି ଧାରା ଅନୁସାରେ ସବ୍-ରେଜିଷ୍ଟ୍ରାଙ୍କ ଉପରେ ଏଡିଏମ ତଥା ଜିଲ୍ଲା ରେଜିଷ୍ଟ୍ରାର ନିଜ କ୍ଷମତା ପ୍ରୟୋଗ କରି ପାରିବେ। ଏହା ସଂପୂ୍ର୍ଣ୍ଣ ଭାବେ ଏକ ପ୍ରଶାସନିକ କ୍ଷମତା। ତେଣୁ ସଂପତ୍ତି ସଂପର୍କିତ ଡକୁମେଣ୍ଟ ଯଦି ଆଇନ ଅନୁସାରେ ଥାଏ, ବୈଧାନିକ ଆବଶ୍ୟକତା ତଥା ରେଜିଷ୍ଟ୍ରେସନ୍ ଆଇନ ଅନୁସାରେ ଅନ୍ୟ ସମସ୍ତ ଔପଚାରିକତା ପୂରଣ କରୁଥାଏ, ତେବେ ତାହାର ପଞ୍ଜୀକରଣ ବନ୍ଦ ରଖିବାକୁ ଜିଲ୍ଲା ରେଜିଷ୍ଟ୍ରାରଙ୍କ ତରଫରୁ ସବ୍-ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ଧାରା ୬୮ ଅନୁସାରେ ଜିଲ୍ଲା ରେଜିଷ୍ଟ୍ରାରଙ୍କ କେବଳ ପ୍ରଶାସନିକ କ୍ଷମତା ରହିଛି।
ରେଜିଷ୍ଟ୍ରେସନ୍ ଆଇନର ଧାରା ୨୨-କ ଅନୁସାରେ ନିର୍ଦ୍ଦିଷ୍ଟ ପ୍ରକାରର କେତେକ ଡକୁମେଣ୍ଟ ପଞ୍ଜୀକରଣ କରିବା ଲାଗି ମନା କରିବାକୁ ସବ୍-ରେଜିଷ୍ଟ୍ରାରଙ୍କ କ୍ଷମତା ଅଛି। କିନ୍ତୁ ଧାରା ୬୮ ଆଇନ ଅନୁସାରେ ସବୁ ଆବଶ୍ୟକତା ପୂରଣ କରୁଥିବା କୌଣସି ଡକୁମେଣ୍ଟର ପଞ୍ଜୀକରଣ ବନ୍ଦ ରଖିବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ଏଭଳି ସ୍ଥିତିରେ ବୌଦ୍ଧ ଏଡିଏମ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କ ତରଫରୁ ସବ୍-ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦିଷ୍ଟ ଖାତାରେ ଥିବା ପ୍ଲଟ୍ ସଂପର୍କିତ ଡକୁମେଣ୍ଟ ପଞ୍ଜୀକରଣ ନ କରିବାକୁ ଲେଖା ଯାଇଥିବା ଚିଠିକୁ ରଦ୍ଦ କରାଯାଉଛି ବୋଲି ରାୟରେ ଉଲ୍ଲେଖ କରାଯାଇଛି।
Follow Us