ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ରରେ ଉନ୍ନତି: ତଥାପି ଜାତୀୟ ହାରଠୁ ପଛରେ ଓଡ଼ିଶା

Advertisment
ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ରରେ ଉନ୍ନତି: ତଥାପି ଜାତୀୟ ହାରଠୁ ପଛରେ ଓଡ଼ିଶା

ଭୁବନେଶ୍ବର : ମୃତକଙ୍କ ଡାକ୍ତରୀ ପ୍ରମାଣପତ୍ର(ଏମ୍‌ସିସିଡି) ପ୍ରଦାନରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଛି। ଏପରିକି ଜାତୀୟ ହାରଠାରୁ ରାଜ୍ୟରେ ଏମ୍‌ସିସିଡି କମ୍ ରହିଛି। ଯାହାଫଳରେ ଗୋଟିଏ ବର୍ଷରେ ରାଜ୍ୟରେ ଯେତିକି ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି, ସେମାନଙ୍କ ମଧ୍ୟରୁ କେତେ ସଂଖ୍ୟକ ଲୋକ କେଉଁ କେଉଁ ରୋଗରେ ପ୍ରାଣ ହରାଉଛନ୍ତି ତାହା ସ୍ପଷ୍ଟ ହୋଇପାରୁନି। ଯଦିଓ ୨୦୧୯ ତୁଳନାରେ ୨୦୨୦ ମସିହାରେ ଏଥିରେ ଉନ୍ନତି ହୋଇଛି ତଥାପି ଜାତୀୟ ହାରକୁ ହାସଲ କରିବାକୁ ହେଲେ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ସାର୍ଟିଫିକେସନ୍ ବା ପ୍ରମାଣପତ୍ରର ଆବଶ୍ୟକତା ରହିଛି।

ସାମ୍ପୁଲ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ବା ଏସ୍‌ଆରଏସ୍‌ ୨୦୨୦ର ଏମ୍‌ସିସିଡି ତଥ୍ୟ ଅନୁସାରେ, ଏହିବର୍ଷ ରାଜ୍ୟରେ ୩,୬୨,୯୮୨ ଜଣଙ୍କ ମୃତ୍ୟୁ ପଞ୍ଜୀକୃତ ହୋଇଛି। ତହିଁରୁ ୫୯,୨୯୬ଜଣ ମୃତକଙ୍କ ଏମ୍‌ସିସିଡି ସମ୍ଭବ ହୋଇପାରିଛି। ଜାତୀୟ ସ୍ତରରେ ଏହା ୨୨.୫ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହାର ହାର ୧୬.୩ ପ୍ରତିଶତ ରହିଛି। ଗୋଆ, ମଣିପୁର ଭଳି ରାଜ୍ୟରେ ଏହା ଶତ ପ୍ରତିଶତ ହେଉଥିବା ବେଳେ ବିହାରରେ ସର୍ବନିମ୍ନ ୩.୪, ଝାଡ଼ଖଣ୍ଡରେ ଏହା ୬.୧ ପ୍ରତିଶତ ରହିଛି। ତେବେ କ୍ରମାଗତ ଭାବେ ରାଜ୍ୟରେ ଏମ୍‌ସିସିଡିରେ ଉନ୍ନତି ଦେଖିବାକୁ ମିଳିଛି। ୨୦୧୮ ମସିହରେ ରାଜ୍ୟରେ ମାତ୍ର ୧୧.୧ ପ୍ରତିଶତ ଲୋକଙ୍କ ଏମ୍‌ସିସିଡି ହୋଇପାରୁଥିବା ବେଳେ ୨୦୧୯ରେ ଏହା ୧୨.୬ ପ୍ରତିଶତ ସହିତ ୨୮ ନମ୍ବର ସ୍ଥାନରେ ରହିଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ୟରେ କମ୍ ସଂଖ୍ୟକ ଲୋକଙ୍କ ଏମ୍‌ସିସିଡି ହେଉଥିବାରୁ ରାଜ୍ୟରେ କୋଭିଡର ପ୍ରଥମ ଲହରରେ ଏହା ସଂପର୍କରେ ସ୍ପଷ୍ଟ ଚିତ୍ର ‌ମିଳିପାରି ନାହିଁ।

publive-image

୨୦୨୦ ମସିହାରେ ଏମ୍‌ସିସିଡିରେ ଦେଶର ବିଭିନ୍ନ ରାଜ୍ୟରେ କୋଡ୍‌ସ ଅଫ ସ୍ପେଶାଲ ପରପଜ୍ ବା କୋଭିଡ-୧୯ ମୃତକଙ୍କ ହାର ସଂପର୍କରେ ସୂଚନା ଦିଆଯାଇଛି। ଏଥିରେ ମହାରାଷ୍ଟ୍ର ୧୭, ମଣିପୁର-ଉତ୍ତରପ୍ରଦେଶ ୧୫, ହିମାଚଳ ପ୍ରଦେଶ ୧୩, ପଞ୍ଜାବ ୧୨ ଥିବା ବେଳେ ଓଡ଼ିଶାରେ ଏହା ୨.୪ ପ୍ରତିଶତ ରହିଛି। ଏସବୁ ରାଜ୍ୟରେ ଏମ୍‌ସିସିଡି ହାର ଓଡ଼ିଶାଠାରୁ ଅଧିକ ରହିଛି। ତେଣୁ ଓଡ଼ିଶାରେ ଯଦି ମୃତକଙ୍କ ଅଧିକ ସଂଖ୍ୟାରେ ଏମ୍‌ସିସିଡି ହୋଇଥାନ୍ତା ତାହାଲେ ହୁଏତ କୋଭିଡ-୧୯ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଥାନ୍ତା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି।

ତେବେ ରାଜ୍ୟରେ ଏମ୍‌ସିସିଡିର ହାର ବଢ଼ାଇବାକୁ ସ୍ବାସ୍ଥ୍ୟ ବିଭାଗ ଉପରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ପଞ୍ଜୀକୃତ ହେଉଛି ତାହାର ୭୦ ପ୍ରତିଶତ ଡୋମିସାଇଲ ବା ଘରେ ମୃତ୍ୟୁ ହେଉଛି। କେବଳ ୩୦ ପ୍ରତିଶତ ମୃତ୍ୟୁ ହସ୍ପିଟାଲରେ ହେଉଛି। ଘରେ ମୃତ୍ୟୁ ହେଉଥିବା କାରଣରୁ ସଂପୃକ୍ତ ମୃତକ କେଉଁ ରୋଗରେ ପ୍ରାଣ ହରାଉଛନ୍ତି ତାହାର ରେକର୍ଡ ଆସିପାରୁ ନାହିଁ। ତେଣୁ ଏହି ମୃତ୍ୟୁର କାରଣ ରେକର୍ଡ ପାଇଁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଏକ ଟିମ୍ ଗଠନ ପାଇଁ ଅନୁମୋଦନ ଦେଇଛନ୍ତି। ଏଥିରେ ଆୟୁଷ ଡାକ୍ତର/ସ୍ବାସ୍ଥ୍ୟ ସୁପରଭାଇଜର/ସ୍ବାସ୍ଥ୍ୟକର୍ମୀ ରହିବା ସହିତ ୭ଦିନ ଭିତରେ ଏମ୍‌ସିସିଡି କରିବା ଲାଗି କୁହାଯାଇଛି। ଏହାସହ ଏମ୍‌ସିସିଡି ସଂକ୍ରାନ୍ତୀୟ କାଗଜପତ୍ର ସିଧାସଳଖ ବିଭାଗର ୱେବ ପୋର୍ଟାଲରେ ଅପଲୋଡ କରାଯିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe