ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜାରାଜନଗରଠାରେ ଆଜାଦ ହିନ୍ଦ ଏକ୍ସପ୍ରେସରୁ ୬ ବଣ୍ଡଲ ଡିନାମାଇଟ୍ ଜବତ କରାଯିବାର ସପ୍ତାହେ ପରେ ଆଜି (ଶୁକ୍ରବାର) ଝାରସୁଗୁଡ଼ାଠାରେ ଆଲେପି-ଧାନବାଦ ଏକ୍ସପ୍ରେସ (୧୩୩୫୨)ରୁ ଉଚ୍ଚକ୍ଷମତା ସମ୍ପନ୍ନ ୬ଟି ବୋମା ଠାବ କରାଯାଇଛି। ତେବେ, ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ଧରଣର ଅଘଟଣ ଟଳି ଯାଇଛି।
ପ୍ରକାଶ ଯେ, ଗୁରୁବାର ଏହି ଟ୍ରେନ୍ ଝାରସୁଗୁଡ଼ା ଜଙ୍କସନରେ ପହଞ୍ଚିବା ପୂର୍ବରୁ ଲାଇନ୍କୁ ସବୁଜ ସଂକେତ ନ ମିଳିବାରୁ ରାତି ୩ଟା ୪୫ ମିନିଟରେ ଝାରସୁଗୁଡ଼ା ରୋଡ୍ ଷ୍ଟେସନରେ କିଛି ସମୟ ଅଟକିଥିଲା। ଏହି ସମୟରେ ବଗି ନଂ ଏସ୍-୩ରୁ ଲୋକଙ୍କ ପାଟିତୁଣ୍ଡ ଶୁଣାଯାଇଥିଲା। ଆରପିଏଫ ହେଡ୍ କନଷ୍ଟେବଲ ଫିରୋଜ ଖାନ ବଗି ଭିତରକୁ ପଶି ଦେଖିଲାବେଳକୁ ୭୧ ନମ୍ବର ବର୍ଥ ତଳେ ଥିବା ଏକ ବ୍ୟାଗରେ ନିଆଁ ଲାଗି ପାଖରେ ଥିବା ଗୋଟିଏ ଚପଲ ପୋଡ଼ୁଥିଲା। ତାକୁ ଫିରୋଜ ଗୋଡ଼ରେ ଦଳି ନିଆଁ ଲିଭାଇଥିଲେ। ଏକ ପୋଲିଥିନରେ ଥିଲା ବୋମା ଗୁଡ଼ିକୁ ମଧ୍ୟ ବଗି ବାହାରକୁ ଫୋପାଡ଼ିଥିଲେ। ଏହା ୬ଟି ବ୍ୟାଟେରି ସଂଯୋଗ ଥିବା ବୋମା ବୋଲି ଜଣାପଡ଼ିଥିଲା। ଗୋଟିଏ ସାମାନ୍ୟ ଜଳି ଯାଇଥିବା ବେଳେ ଅନ୍ୟ ୫ଟି ଅକ୍ଷତ ଅବସ୍ଥାରେ ଥିଲା। ଖବର ପାଇ ଆର୍ପିଏଫ ଓ ଜିଆର୍ପିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଆର୍ପି ଡିଏସପି କ୍ଷୀରସାଗର ନାୟକ, ଆର୍ପିଏଫ ଡିଭିଜନାଲ ସିକ୍ୟୁରିଟି କମିସନର ଏସ. ହେମ୍ବ୍ରମଙ୍କ ତତ୍ୱାବଧାନରେ ଦିନ ୧୧ଟାରେ ସମ୍ବଲପୁରରୁ ଆସିଥିବା ବୋମା ନିଷ୍କ୍ରିୟକାରୀ ଦଳ ବୋମାଗୁଡ଼ିକୁ ପରୀକ୍ଷା କରିଥିଲେ। ତାକୁ ଡିଟୋନେଟିଂ ମେସିନ୍ ଦ୍ୱାରା ନଷ୍ଟ କରିଥିଲେ। ଏହି ଘଟଣା ପରେ ଟ୍ରେନ୍କୁ ରାଉରକେଲା ଠାରେ ଅଟକାଯାଇ ବଗିରେ କାଳେ ଆଉ ବୋମା ରହିଥିବା ସଂଦେହ କରି ଯାଞ୍ଚ କରାଯାଇଛି। ଏହି ବ୍ୟାଗରେ କିଏ କାହିଁକି ଏହି ବୋମା ନେଇ ଯାଉଥିଲା ତାହା ଜଣାପଡ଼ିନାହିଁ। ଏହି ବୋମାକୁ ଆଇଇଡି (ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍) କୁହଯାଏ ବୋଲି ବୋମା ନିଷ୍କ୍ରିୟକାରୀ ଦଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ମଧ୍ୟ ବ୍ରଜରାଜନଗର ଠାରେ ଆଜାଦ ହିନ୍ଦ ଏକ୍ସପ୍ରେସ ଟ୍ରେନରୁ ଆରପିଏଫ ୬ ବଣ୍ଡଲ ଡିନାମାଇଟ୍ ଜବତ କରିଥିଲା।
ଫିରୋଜ ଖାନଙ୍କ ଯୋଗୁଁ ଟଳିଗଲା ବଡ଼ ଅଘଟଣ
ଝାରସୁଗୁଡ଼ା ଆରପିଏଫରେ ହେଡ୍ କନେଷ୍ଟବଲ ଥିବା ଫିରୋଜ ଖାନ୍ ପାଟ୍ରୋଲିଂ ଡ୍ୟୁଟିରେ ଥିବା ବେଳ ଏସ୍-୩ ବଗିରୁ କିଛି ଯାତ୍ରୀଙ୍କୁ ପାଟିତୁଣ୍ଡ ଶୁଣିଥିଲେ। ସେତେବେଳେ ଅନେକ ଯାତ୍ରୀ ନିଘୋଡ଼ ନିଦରେ ଥିଲେ। ବଗିରେ କ୍ଷମତାଠାରୁ ମଧ୍ୟ ଅଧିକ ଯାତ୍ରୀ ଥିବାରୁ କେହି କେହି ତଳେ ମଧ୍ୟ ଶୋଇଥିଲେ। ୭୧ ନଂ ବର୍ଥ ବଗିର ଗେଟ୍ ପାଖକୁ ରହୁଥିବାରୁ ହୁଏତ ଏହି ଦହନଶୀଳ ବୋମାକୁ ଅତି କମ୍ ସମୟ ମଧ୍ୟରେ ଶ୍ରୀ ଖାନ୍ ଲିଭାଇ ଗେଟ୍ ବାହାରେ ଫୋପାଡ଼ିବାରେ ସମର୍ଥ ହୋଇଥିଲେ। ବୋମା ଠାବ ହେବା ନେଇ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଯଦି ବଗି ଭିତରେ ବିସ୍ଫୋରଣ ହୋଇଥାନ୍ତା କେତେ ବଡ଼ ଅଘଟଣା ଘଟିଥାନ୍ତା ବୋଲି ଯାତ୍ରୀ ମାନେ କହୁଥିଲେ। ଜନାବ ଖାନ ସାହସିକତା ଦେଖାଇ ବୋମାକୁ ଗୋଡ଼ରେ ଦଳି ଲିଭାଇ ବାହାରେ ଫିଙ୍ଗିବା ଦ୍ୱାରା ବହୁ ଧନଜୀବନ ସୁରକ୍ଷିତ ହୋଇ ପାରିଛି।
Follow Us
ଫିରୋଜ ଖାନଙ୍କ ଯୋଗୁଁ ଟଳିଗଲା ବଡ଼ ଅଘଟଣ