୧୯ରେ ସ୍ପଷ୍ଟହେବକି ରାଜ୍ୟ ଆଭିମୁଖ୍ୟ !

Advertisment
୧୯ରେ ସ୍ପଷ୍ଟହେବକି ରାଜ୍ୟ ଆଭିମୁଖ୍ୟ !

Pragativadi

ବରଗଡ଼: ଚାରି ଦଶନ୍ଧି ହେଲା ଚର୍ଚ୍ଚାରେ ଥିବା ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ବର୍ତମାନ କେଉଁ ସ୍ଥିତିରେ ରହିଛି? ଏନେଇ ଲୋକେ ଦ୍ବନ୍ଦ୍ବରେ ଛନ୍ଦି ହୋଇଛନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ଏହି ରେଳ ପ୍ରକଳ୍ପ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଥିଲେ। ଦୋଷ ଲଦାଲଦି ଜୋର୍‌ସୋର୍‌ ଚାଲିଥିଲା। କିନ୍ତୁ ନିର୍ବାଚନ ପରେ ଏହି ପ୍ରକଳ୍ପକୁ ନେଇ କିଛି ଶବ୍ଦ ହୋଇନଥିଲା। ବଜେଟ୍‌ରେ ଟଙ୍କାଟିଏ ବି ଟୋକନ୍‌ ରାଶି ବରାଦ ହୋଇନଥିବାରୁ ଉକ୍ତ ପ୍ରକଳ୍ପ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି। ଆସନ୍ତା ୧୯ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବେ। ଏତିକି ବେଳେ ଉକ୍ତ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ସେ କିଛି ତଥ୍ୟ ଦେବେ ବୋଲି କୁହାଯାଉଛି।

୨୦୨୧ ଅଗଷ୍ଟରେ ଏହି ପ୍ରକଳ୍ପର ପ୍ରିିଇନଭେଷ୍ଟମେଣ୍ଟ କାର୍ଯ୍ୟ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଏକ ପତ୍ରର ଉତ୍ତରରେ ସାଂସଦ ସୁରେଶ ପୂଜାରୀଙ୍କୁ ଜଣାଇଥିଲେ। ଏହା ପରେ ପଦ୍ମପୁର ଉପନିର୍ବାଚନ ସମୟରେ ରାଜ୍ୟ ସରକାର ଜାଗା ଯୋଗାଇ ଦେଲେ ଗୋଟିଏ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନସଭାରେ ଉଦ୍‌ବୋଧନ ଦେଇ କହିଥିଲେ। ତେବେ ଗତ ‌ବଜେଟ୍‌ରେ ଏଥିପାଇଁ କୌଣସି ଅର୍ଥ ବ୍ୟବସ୍ଥା ହୋଇ ନ ଥିବାରୁ ପ୍ରକଳ୍ପର ସ୍ଥିତିକୁ ନେଇ ଚର୍ଚ୍ଚା ଜାରି ରହିଛି। ଡିସେମ୍ବର ୨୦୨୧ରେ ଓଡ଼ିଶା ବିଧାନସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଶ୍ନ ସଂଖ୍ୟା ୨୨୯ରେ ୧୪୨ କିଲୋମିଟର ବିଶିଷ୍ଟ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ନିଗମ କାର୍ଯ୍ୟ ଆରମ୍ଭ କରିଛି କି? ଏବଂ ଏହା ବର୍ତମାନ କେଉଁ ସ୍ଥିତିରେ ରହିଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ତତ୍କାଳୀନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉକ୍ତ ନିଗମ, ଯାହାକି କେନ୍ଦ୍ର ଓ ରାଜ୍ୟର ଏକ ଯୁଗ୍ମ ସଂସ୍ଥା, ଏହି ରେଳ ପ୍ରକଳ୍ପକୁ ଚିହ୍ନଟ କରିଛି ବୋଲି କହିଥିଲେ।

ଏହାବାଦ୍‌ ଓଡ଼ିଶା ସରକାର ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ଜମିର ମୂଲ୍ୟ ଯୋଗାଇ ଦେବା ସହ ୩ଶହ କୋଟି ଟଙ୍କାର ଅନୁଦାନ ଦେବେ। ଏନେଇ ରେଲୱେ ବୋର୍ଡକୁ ଜଣାଇ ଦିଆଯିବା ସହ ଟ୍ରାଫିକ, ବିତ୍ତୀୟ ଏପ୍ରାଜଲ ରିପୋର୍ଟ ମଧ୍ୟ ରେଲୱେ ବୋର୍ଡକୁ ଦିଆଯାଇଛି ବୋଲି କହିଥିଲେ। ଏହି ପ୍ରକଳ୍ପକୁ ଗ୍ରାଣ୍ଟ ଇନ୍‌ ପ୍ରିନ୍‌ସିପୁଲ ସ୍ୱୀକୃତି ମିଳିଥିବା ଉତ୍ତରରେ ଦର୍ଶାଯାଇଥିଲା। ତେବେ ଏତେ ପ୍ରକ୍ରିୟା ହେଲା ପରେ ମଧ୍ୟ ରେଳ ବଜେଟରେ ଏହା ନାମଗନ୍ଧ ରହିଲା ନାହିଁ କିମ୍ବା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ନିଗମ ୱେବସାଇଟ୍‌ରେ ମଧ୍ୟ କୌଣସି ବିଶେଷ ତଥ୍ୟ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଯୁଗ୍ମ କଂପାନିର ୬ଟି ପ୍ରକଳ୍ପ ତାଲିକାରେ ଏହା ଥିବାବେଳେ ଅଗ୍ରଗତି ନେଇ କୌଣସି ସୂଚନା ନାହିଁ। ଦୀର୍ଘ ଦିନ ଧରି କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟ ବିଜେଡି ସରକାର ମଧ୍ୟରେ ଏହି ପ୍ରକଳ୍ପ ନେଇ ବୟାନବାଜି ଚାଲିଥିଲେ ମଧ୍ୟ ପ୍ରକଳ୍ପର ସ୍ଥିତି ନେଇ କିଛି ସ୍ପଷ୍ଟ ଚିତ୍ର ମିଳୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe